ସରକାରୀ ଯୋଜନା ଅଛି, ହେଲେ ମିଳୁନି ସହାୟତା । ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ରୁ ଅଫିସ୍ ଦୌଡ଼ୁଛନ୍ତି ହିତାଧିକାରୀ । କାହାକୁ ୪ ମାସ ହେଲା ମିଳିନି ବାର୍ଦ୍ଧକ୍ୟ ଭତ୍ତା ତ ଆଉ କାହାର ୫ ମାସ ହେଲା ବନ୍ଦ ଦିବ୍ୟାଙ୍ଗ ଭତ୍ତା।
ସରକାରୀ ଯୋଜନା ଅଛି, ହେଲେ ମିଳୁନି ସହାୟତା । ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ରୁ ଅଫିସ୍ ଦୌଡ଼ୁଛନ୍ତି ହିତାଧିକାରୀ । କାହାକୁ ୪ ମାସ ହେଲା ମିଳିନି ବାର୍ଦ୍ଧକ୍ୟ ଭତ୍ତା ତ ଆଉ କାହାର ୫ ମାସ ହେଲା ବନ୍ଦ ଦିବ୍ୟାଙ୍ଗ ଭତ୍ତା। ବୟସର ଅପରାହ୍ନରେ ଆର୍ଥିକ ସଙ୍କଟ, ଅନ୍ୟପଟେ ଅସହାୟଙ୍କୁ ସରକାରୀ ସହାୟତା ଅପହଞ୍ଚ। କେନ୍ଦ୍ରାପଡ଼ାରୁ ସାମ୍ନାକୁ ଆସିଛି ଭତ୍ତା ବ୍ୟବସ୍ଥାର ଏଭଳି ଅବ୍ୟବସ୍ଥାର ଚିତ୍ର ।
ଇଏ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ୍ ଅଣ୍ଡରା ଗାଁର ଲୋଭା ମଲିକ । ଦୁଇ ଆଖିକୁ ଦେଖାଯାଉନି, ଘରେ ସହାୟତା କରିବାକୁ କେହି ନାହାନ୍ତି । ଅନ୍ୟର ସହାୟତା ନେଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛନ୍ତି ନିଜ ଦୁଃଖ ଜଣାଇବାକୁ । କାରଣ ୪ ମାସ ହେଲା ମିଳିନି ଭତ୍ତା ଟଙ୍କା। ଦୈନନ୍ଦିନ ଖର୍ଚ୍ଚ ସହ ଔଷଧ କିଣିବାକୁ ମଧ୍ୟ ଟଙ୍କା ନାହିଁ। କେମିତି ଚଳିବେ, ସେହି ଚିନ୍ତାରେ ଦିନ କାଟୁଛନ୍ତି । ସେହିପରି ଗରଦପୁର ବ୍ଲକ୍ର ଆରତି ସାହୁଙ୍କ ଦୁଃଖ ବି କିଛି କମ୍ ନୁହେଁ । ସ୍କୁଲରେ ପାଚିକା ଭାବେ କାମ କରି ପରିବାର ଚଳାଉଥିବା ବେଳେ ନିଜ ଦରମା ମଧ୍ୟ ମିଳୁନି । ଅନ୍ୟପଟେ ଶୁଣିପାରୁନଥିବା ଓ କଥା କହିପାରୁନଥିବା ପୁଅକୁ ୫ ମାସ ହେଲା ମିଳିନି ଦିବ୍ୟାଙ୍ଗ ଭତ୍ତା। ଦୁଇ ଦୁଇଟି ସମସ୍ୟା ଭିତରେ ପରିବାରର ଆର୍ଥିକ ସ୍ଥିତି ଦୋହଲିଯାଇଛି ।
କେବଳ ଏହି ଦୁଇଟି ଘଟଣା ନୁହେଁ, ଜିଲ୍ଲାର ଶହ ଶହ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ସମାନ ସମସ୍ୟାରେ ଛନ୍ଦି ହୋଇଛନ୍ତି । ସରକାରଙ୍କ ପକ୍ଷରୁ ବ୍ୟାଙ୍କ୍ ଆକାଉଣ୍ଟ୍ ଜରିଆରେ ଭତ୍ତା ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି । ହେଲେ ବ୍ୟାଙ୍କ୍ ନିୟମ, କାଗଜପତ୍ର ଓ ଜଟିଳ ପ୍ରକ୍ରିୟା ବୁଝିନପାରି ହିତାଧିକାରୀ ହେଉଛନ୍ତି ହଇରାଣ । ନିଜ ପ୍ରାପ୍ୟ ଟଙ୍କା ପାଇଁ ମାସ ମାସ ଧରି ବ୍ୟାଙ୍କ୍ ଓ ସରକାରୀ କାର୍ଯ୍ୟାଳୟ ଦୌଡ଼ୁଛନ୍ତି ।
ପ୍ରଶ୍ନ ଉଠୁଛି, ବ୍ୟବସ୍ଥାରେ ତ୍ରୁଟି ନା ପ୍ରଶାସନିକ ଅବହେଳା? ଯୋଜନା ଥାଇ ମଧ୍ୟ ଅସହାୟଙ୍କ ପାଖରେ କାହିଁକି ପହଞ୍ଚୁନି ସହାୟତା? କେବେ ଦୂର ହେବ ଏହି ସମସ୍ୟା? ଭତ୍ତା ଟଙ୍କା ହିଁ ଅନେକ ଅସହାୟଙ୍କ ବଞ୍ଚିବାର ଆଶା। ହେଲେ ନିଜ ପ୍ରାପ୍ୟ ପାଇଁ ଯଦି ସେମାନଙ୍କୁ ମାସ ମାସ ଧରି ଦୌଡ଼ିବାକୁ ପଡ଼ିବ, ତେବେ ସରକାରୀ ଯୋଜନାର ଲାଭ କାହା ପାଇଁ? ତୁରନ୍ତ ସମସ୍ୟାର ସମାଧାନ ସହ ନିୟମିତ ଭତ୍ତା ପ୍ରଦାନ ପାଇଁ ଦାବି ଜୋର୍ ଧରିଛି ।

