ରାଜଧାନୀଠାରୁ ମାତ୍ର ୭୫ କିଲୋମିଟର ଦୂର । ହେଲେ ବିକାଶ ଏଠି ସାତ ସପନ। ନା ଅଛି ଭଲ ରାସ୍ତା, ନା ମିଳୁଛି ସ୍ୱାସ୍ଥ୍ୟସେବା। ରୋଗୀଙ୍କୁ ଅଧ କିଲୋମିଟର ଟେକିଟେକି ନେଲେ ମିଳୁଛି ଆମ୍ବୁଲାନ୍ସ ।
ରାଜଧାନୀଠାରୁ ମାତ୍ର ୭୫ କିଲୋମିଟର ଦୂର । ହେଲେ ବିକାଶ ଏଠି ସାତ ସପନ। ନା ଅଛି ଭଲ ରାସ୍ତା, ନା ମିଳୁଛି ସ୍ୱାସ୍ଥ୍ୟସେବା। ରୋଗୀଙ୍କୁ ଅଧ କିଲୋମିଟର ଟେକିଟେକି ନେଲେ ମିଳୁଛି ଆମ୍ବୁଲାନ୍ସ । ରାସ୍ତା ଅଭାବରୁ ପିଲାଙ୍କ ପାଠପଢ଼ାରେ ବି ପଡ଼ୁଛି ପ୍ରଭାବ। ଏମିତି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ର କୁକୁଡ଼ାଝର ଗ୍ରାମବାସୀ ।
ଏ ଚିତ୍ର କୌଣସି ଦୁର୍ଗମ ଉପାନ୍ତ ଅଞ୍ଚଳର ନୁହେଁ, ବରଂ ରାଜଧାନୀଠାରୁ ମାତ୍ର ୭୫ କିଲୋମିଟର ଦୂର କୁକୁଡ଼ାଝର ଗାଁର। ଗାଁକୁ ଯିବାକୁ ଭଲ ରାସ୍ତା ନାହିଁ। ଖାଲଖମା ଭରା ରାସ୍ତାରେ ଯାତାୟାତ କରିବା ଲୋକଙ୍କ ପାଇଁ ଦୈନନ୍ଦିନ ସଂଘର୍ଷ ପାଲଟିଛି । ରୋଗୀଙ୍କୁ ଆମ୍ବୁଲାନ୍ସ ପାଖକୁ ନେବାକୁ ହେଲେ ଅଧ କିଲୋମିଟର ଟେକିଟେକି ଆଣିବାକୁ ପଡ଼ୁଛି। ରାସ୍ତା ନଥିବାରୁ ପିଲାଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି ।
୧୯୭୯ ମସିହାରେ ଖୋର୍ଦ୍ଧା ଚିଲିକା ବ୍ଲକ୍ ହରିପୁର ପଞ୍ଚାୟତର ବଉଳାବନ୍ଧ ମୌଜାରେ ୧୪୧ଟି ପରିବାରକୁ ଶହେ ଡିସିମିଲ୍ ଲେଖାଏଁ ଜମି ଦିଆଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଏପରିକି ବାସଗତ ପ୍ରମାଣପତ୍ର ନମିଳିବାରୁ ଗାଁର ଯୁବକମାନେ ସରକାରୀ ଚାକିରି ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗାଁ ବାହାରକୁ କାମ କରିବାକୁ ଗଲେ ଜମି ମାଫିଆ ଜମି କବ୍ଜା କରିନେବାର ଭୟ ଘାରିଛି। ଏଭଳି ଭୟ ଓ ଅନିଶ୍ଚିତତା ଭିତରେ ଜୀବନ କାଟୁଛନ୍ତି ପ୍ରାୟ ୭୦ ପରିବାର ।
ବାରମ୍ବାର ଅଭିଯୋଗ ପରେ ଗତ ସେପ୍ଟେମ୍ବରରେ ତହସିଲଦାର ରାସ୍ତାର ଡିମାର୍କେସନ୍ କରିଥିଲେ । ହେଲେ ମାସେ ପରେ ବି କୌଣସି ସୁଫଳ ମିଳିନି । ଗ୍ରାମବାସୀ ପଟ୍ଟା ଓ ପାଉତି ଅନୁସାରେ ଖଜଣା ଦେଉଥିଲେ ମଧ୍ୟ ତହସିଲଦାର ମ୍ୟାପ୍ର ଆଳ ଦେଖାଇ କାମରେ ହେଳା କରୁଥିବା ଅଭିଯୋଗ ହୋଇଛି ।
ରାଜଧାନୀ ପାଖରେ ଥାଇ ବି ବିକାଶଠାରୁ ବହୁ ଦୂରରେ କୁକୁଡ଼ାଝର ଗାଁ । ପ୍ରଶାସନର ମ୍ୟାପ୍ ଓ କାଗଜପତ୍ର ଭିତରେ ଗାଁର ସମସ୍ୟା କେବେ ସମାଧାନ ହେବ? କେବେ ମିଳିବ ରାସ୍ତା ଓ ମୌଳିକ ସୁବିଧା? ଏବେ ପ୍ରଶାସନର ପଦକ୍ଷେପକୁ ଅପେକ୍ଷା ।

