ଯେକୌଣସି ସମୟରେ ଯୁଦ୍ଧ ଲଢ଼ିବା ଏବଂ ବିଜୟୀ ହେବା ପାଇଁ ବାୟୁସେନାକୁ ପ୍ରସ୍ତୁତ ରଖିବା ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି । ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି, ଭାରତୀୟ ବାୟୁସେନା ସର୍ବଦା ସତର୍କ, ପ୍ରସ୍ତୁତ ଏବଂ ନିଜ ସଂକଳ୍ପରେ ଅଟଳ ରହିଛି ।
ଆଗାମୀ ଦଶନ୍ଧିରେ ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ ଓ ଆଧୁନିକ କରିବାକୁ ବଡ଼ ଯୋଜନା କରିଛନ୍ତି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ । ଯେକୌଣସି ସମୟରେ ଯୁଦ୍ଧ ଲଢ଼ିବା ଏବଂ ବିଜୟୀ ହେବା ପାଇଁ ବାୟୁସେନାକୁ ପ୍ରସ୍ତୁତ ରଖିବା ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି । ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି, ଭାରତୀୟ ବାୟୁସେନା ସର୍ବଦା ସତର୍କ, ପ୍ରସ୍ତୁତ ଏବଂ ନିଜ ସଂକଳ୍ପରେ ଅଟଳ ରହିଛି । ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ଭବିଷ୍ୟତ ରଣନୀତିକୁ ‘VAYU’ ନାମକ ପାଞ୍ଚ ଅକ୍ଷରର ମନ୍ତ୍ର ଜରିଆରେ ସ୍ପଷ୍ଟ କରିଛନ୍ତି ଏୟାର ଚିଫ୍ ମାର୍ଶାଲ ଦୀକ୍ଷିତ। ତାଙ୍କ କହିବା ଅନୁସାରେ, ବାୟୁସେନାର ମୁଖ୍ୟ ଦାୟିତ୍ୱ ହେଉଛି ଯୁଦ୍ଧ ଲଢ଼ିବା ଓ ଜିତିବା । ତେବେ ନିଜର ଶକ୍ତିଶାଳୀ ଓ ବିଶ୍ୱସନୀୟ ଆକାଶୀୟ କ୍ଷମତା ଜରିଆରେ ଶତ୍ରୁକୁ ଯୁଦ୍ଧ କରିବାରୁ ନିବୃତ୍ତ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ।
VAYUର ପ୍ରଥମ ଅକ୍ଷର Vର ଅର୍ଥ Vigilance and Readiness ବା ସତର୍କତା ଓ ପ୍ରସ୍ତୁତି । ପ୍ରତ୍ୟେକ ସ୍କ୍ୱାଡ୍ରନ୍, ରାଡାର, ବାୟୁ ପ୍ରତିରକ୍ଷା ୟୁନିଟ୍ ଏବଂ ପ୍ରତ୍ୟେକ ବାୟୁ ଯୋଦ୍ଧା ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ସହ ବାୟୁସେନାର ଯୁଦ୍ଧ କ୍ଷମତାକୁ ଅନୁମୋଦିତ ସ୍ତରକୁ ଫେରାଇ ଆଣିବା ତାଙ୍କର ଅନ୍ୟତମ ପ୍ରାଥମିକତା ହେବ । ପୂର୍ବତନ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ନିଜର ସଠିକ୍ ଓ ନିର୍ଣ୍ଣାୟକ ଆକାଶୀୟ ଶକ୍ତିର ପରିଚୟ ଦେଇଥିବା ସେ କହିଛନ୍ତି । ଏକ ପ୍ରସ୍ତୁତ ଓ ସତର୍କ ବାୟୁସେନାର ଦାୟିତ୍ୱ ହସ୍ତାନ୍ତର କରିଥିବାରୁ ସେ ଏପି ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
VAYUର A ଅର୍ଥ ହେଉଛି ଆତ୍ମନିର୍ଭରତା। ସ୍ୱଦେଶୀ ଯୁଦ୍ଧ ବିମାନ ଓ ପ୍ରତିରକ୍ଷା ସାମଗ୍ରୀକୁ ନୂଆ ବାୟୁସେନା ମୁଖ୍ୟ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ତେଜସ୍ MK-1A, MK-2, ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA), ଭାରତୀୟ ସେନ୍ସର ଏବଂ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ତାଙ୍କର ପ୍ରାଥମିକତା ତାଲିକାରେ ରହିଛି । ଭବିଷ୍ୟତରେ ଭାରତୀୟ ବାୟୁସେନା ନିଜସ୍ୱ ପ୍ରଯୁକ୍ତିବିଦ୍ୟା ଓ ସ୍ୱଦେଶୀ ସମାଧାନ ଉପରେ ନିର୍ଭର କରି ଯୁଦ୍ଧ ଲଢ଼ିବ । ସାମରିକ ଅଭିଯାନର ଆବଶ୍ୟକତା ଅନୁସାରେ ଏହି ସ୍ୱଦେଶୀ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ରର ପର୍ଯ୍ୟାପ୍ତ ସଂଖ୍ୟା ସୁନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି ।
VAYUର Y ଅର୍ଥ ହେଉଛି ଯୁକ୍ତି ବା ନୂଆ ରଣନୀତି ଓ ସମାଧାନ । ଯୁଦ୍ଧ କୌଶଳ, ପ୍ରକ୍ରିୟା ଏବଂ ପ୍ରଯୁକ୍ତିବିଦ୍ୟାରେ ନୂଆ ପରୀକ୍ଷଣକୁ ଗୁରୁତ୍ୱ ଦେବେ ନୂଆ ବାୟୁସେନା ମୁଖ୍ୟ । ଏଥିରେ AI ଆଧାରିତ କମାଣ୍ଡ ଓ କଣ୍ଟ୍ରୋଲ୍ ବ୍ୟବସ୍ଥା, ନେଟୱର୍କ ସଂଯୁକ୍ତ ସାମରିକ ପ୍ରଣାଳୀ ଏବଂ ଡ୍ରୋନ୍ ଆକ୍ରମଣକୁ ରୋକିବା ପାଇଁ ବହୁସ୍ତରୀୟ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଫୋକସ୍ ରହିବ ।
ଏହା ବ୍ୟତୀତ ଦ୍ରୁତ ମରାମତି ବ୍ୟବସ୍ଥା, ସାମରିକ ସୁରକ୍ଷା, କଠିନ ପରିସ୍ଥିତିରେ ଲଢ଼ିବାର କ୍ଷମତା ଏବଂ ବାୟୁସେନାର ଅଭିଯାନରେ ନିକଟ ମହାକାଶର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଆଗାମୀ ଯୁଦ୍ଧରେ AI, ଡ୍ରୋନ୍ ଓ ମହାକାଶ ପ୍ରଯୁକ୍ତିର ଭୂମିକାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯିବ ।
VAYUର U ଅର୍ଥ Unity of Effort ବା ସାମୂହିକ ପ୍ରୟାସର ଏକତା । ଏହି ଲକ୍ଷ୍ୟ ଅନୁସାରେ ଭାରତୀୟ ବାୟୁସେନା ସ୍ଥଳସେନା, ନୌସେନା ଏବଂ ଜାତୀୟ ସଂସ୍ଥାଗୁଡ଼ିକ ସହ ମିଶି ଯୋଜନା ପ୍ରସ୍ତୁତ କରିବ ଓ ମିଳିତ ଭାବେ ଅଭିଯାନ ଚଳାଇବ । JAI ଅର୍ଥାତ୍ Jointness, Atmanirbharta ଓ Innovationର ଦୃଷ୍ଟିକୋଣ ସହ ତାଳମେଳ ରଖି ଏହି ପ୍ରୟାସ ଆଗକୁ ବଢ଼ିବ । ଯୁଦ୍ଧର ପ୍ରାରମ୍ଭିକ ଯୋଜନା ପର୍ଯ୍ୟାୟରୁ ହିଁ ଅନ୍ୟ ସେନାବାହିନୀ ସହ ବାୟୁସେନାର ସମନ୍ୱୟ ରହିଲେ ଆକାଶୀୟ ଶକ୍ତିର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ଏୟାର ଚିଫ୍ ମାର୍ଶାଲ ଦୀକ୍ଷିତ କହିଛନ୍ତି ।

