ସମୁଦ୍ର ମଝିରେ ଆତଙ୍କରାଜ୍, ୨୩ ଜଣଙ୍କ ସହ ଜାହାଜ ହାଇଜ୍ୟାକ୍

ଅପହୃତ ଜାହାଜରେ ୨୧ ଜଣ ଇରାନୀ କ୍ରୁ ସଦସ୍ୟ ଏବଂ ସୋମାଲିଆର ୨ ଜଣ ସୁରକ୍ଷାକର୍ମୀ ଥିଲେ। ତେବେ ସେମାନଙ୍କ ବର୍ତ୍ତମାନର ସ୍ଥିତି ଓ ସୁରକ୍ଷା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ହିନ୍ଦ ମହାସାଗର ଓ ଆଡେନ୍ ଉପସାଗରରେ ପୁଣି ଫେରିଛି ସମୁଦ୍ର ଡକାୟତଙ୍କ ଆତଙ୍କ। ସୋମାଲିଆର ସମୁଦ୍ର ଡକାୟତମାନେ ଏକ ଇରାନୀ ମାଛଧରା ଜାହାଜକୁ ଅପହରଣ କରିନେଇଛନ୍ତି। ଜାହାଜରେ ମୋଟ ୨୩ ଜଣ ଥିବାବେଳେ ୧୨ ଜଣ ସୋମାଲି ସମୁଦ୍ର ଡକାୟତ ଏହାକୁ ନିଜ କବଜାକୁ ନେଇଛନ୍ତି। ଏହି ଘଟଣା ପରେ ଅନ୍ତର୍ଜାତୀୟ ସମୁଦ୍ର ପଥରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ପାଇଁ ସୁରକ୍ଷା ଚିନ୍ତା ବଢ଼ିଯାଇଛି।

ମ୍ୟାରିଟାଇମ୍ ସିକ୍ୟୁରିଟି ସେଣ୍ଟର ଇଣ୍ଡିଆନ୍ ଓସନ୍ ଏନେଇ ସତର୍କ ସୂଚନା ଜାରି କରିଛି। ଅପହୃତ ଜାହାଜଟି ବାଣିଜ୍ୟିକ ଜାହାଜ ଚଳାଚଳ କରୁଥିବା ସମୁଦ୍ର ପଥ ନିକଟକୁ ଯାଉଥିବା କୁହାଯାଇଛି। ଡକାୟତମାନେ ଏହି ଜାହାଜକୁ ଅନ୍ୟ ଜାହାଜ ଉପରେ ଆକ୍ରମଣ କରିବା ପାଇଁ ଏକ ଭାସମାନ ଆଡ୍ଡା ବା ‘ଫ୍ଲୋଟିଂ ବେସ୍’ ଭାବେ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ପୁଣ୍ଟଲ୍ୟାଣ୍ଡ ମ୍ୟାରିଟାଇମ୍ ପୋଲିସ ଫୋର୍ସର ଜଣେ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ‘ଅଜିନି’ ନାମକ ଏହି ଜାହାଜକୁ ଉତ୍ତର-ପୂର୍ବ ସୋମାଲିଆର ବନ୍ଦର ବାଇଲା ଓ ହାଫୁନ୍ ମଧ୍ୟବର୍ତ୍ତୀ ସମୁଦ୍ର ଅଞ୍ଚଳରୁ ଅପହରଣ କରାଯାଇଛି।

ଅପହୃତ ଜାହାଜରେ ୨୧ ଜଣ ଇରାନୀ କ୍ରୁ ସଦସ୍ୟ ଏବଂ ସୋମାଲିଆର ୨ ଜଣ ସୁରକ୍ଷାକର୍ମୀ ଥିଲେ। ତେବେ ସେମାନଙ୍କ ବର୍ତ୍ତମାନର ସ୍ଥିତି ଓ ସୁରକ୍ଷା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ୟୁରୋପୀୟ ସଂଘର ନୌସେନା ଅଭିଯାନ ‘ଅପରେସନ୍ ଅଟାଲାଣ୍ଟା’ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହି ଅଞ୍ଚଳ ଦେଇ ଯାତାୟାତ କରୁଥିବା ସମସ୍ତ ଜାହାଜକୁ ସତର୍କ ରହିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି।

ଗତ କିଛି ମାସ ହେଲା ସୋମାଲିଆ ଉପକୂଳ ଓ ଆଡେନ୍ ଉପସାଗରରେ ସମୁଦ୍ର ଡକାୟତି ଘଟଣା ବୃଦ୍ଧି ପାଇଛି। ଅଗଷ୍ଟ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ, ଏପ୍ରିଲ୍‌ରୁ ଏଯାଏଁ ଡକାୟତମାନେ ଅତିକମ୍‌ରେ ୬ଟି ବାଣିଜ୍ୟିକ ଜାହାଜକୁ ଅପହରଣ କରିଛନ୍ତି। ଏପରିକି ସୋମାଲିଆ ଉପକୂଳଠାରୁ ବହୁ ଦୂର ଖୋଲା ସମୁଦ୍ରରେ ମଧ୍ୟ ଏଭଳି ଆକ୍ରମଣ ହୋଇଛି। ସେପ୍ଟେମ୍ବରରେ ‘ଏମ୍‌ଟି ଅନର୍ ୨୫’ ଟ୍ୟାଙ୍କରର ୫ ଜଣ କ୍ରୁ ସଦସ୍ୟଙ୍କୁ ସମୁଦ୍ର ଡକାୟତମାନେ ହତ୍ୟା କରିଥିବା ପୁଣ୍ଟଲ୍ୟାଣ୍ଡ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ପରେ ସୁରକ୍ଷା ବାହିନୀ ଜାହାଜଟିକୁ ଉଦ୍ଧାର କରିବା ସହ ୧୬ ଜଣ ସନ୍ଦିଗ୍ଧ ଡକାୟତଙ୍କୁ ଗିରଫ କରିଥିଲେ।

ନୌସେନାର ନିୟମିତ ପାଟ୍ରୋଲିଂ ଯୋଗୁଁ ଗତ ଦଶନ୍ଧିରେ ସୋମାଲି ଡକାୟତି ଘଟଣା ହ୍ରାସ ପାଇଥିଲା। କିନ୍ତୁ ଇରାନ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଡକାୟତଙ୍କ ପୁନରାଗମନ ଅନ୍ତର୍ଜାତୀୟ ସମୁଦ୍ର ବାଣିଜ୍ୟ ପାଇଁ ନୂଆ ବିପଦ ସୃଷ୍ଟି କରିଛି। ହର୍ମୁଜ୍ ପ୍ରଣାଳୀ ଓ ବାବ୍ ଅଲ୍-ମନ୍ଦେବ୍ ଅଞ୍ଚଳରେ ବାଧା ସୃଷ୍ଟି ହେବାରୁ ଜାହାଜଗୁଡ଼ିକୁ ଆଫ୍ରିକା ଦେଇ ଦୀର୍ଘ ରାସ୍ତାରେ ଯିବାକୁ ପଡ଼ୁଛି। ଫଳରେ ଯାତ୍ରା ସମୟ ପ୍ରାୟ ଏକ ମାସ ବଢ଼ିଯାଉଥିବା ବେଳେ ଟ୍ୟାଙ୍କରର ଦୈନିକ ଭଡ଼ା ୧୦ ଲକ୍ଷ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି। ଏହା ବିଶ୍ୱ ବାଣିଜ୍ୟ ଓ ତୈଳ ପରିବହନ ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *