ମହିଳାଙ୍କ ପାଇଁ LICର ବଡ଼ ସୁଯୋଗ: ୧୦ମ ପାସ୍ କଲେ ମିଳିବ ମାସକୁ ୭ ହଜାର ଟଙ୍କା

ଏହି ଯୋଜନାର ନାଁ ହେଉଛି ଏଲଆଇସି ବୀମା ସଖୀ ଯୋଜନା । ଏହା ମାଧ୍ୟମରେ ମହିଳାମାନେ ବୀମା ଏଜେଣ୍ଟ ଭାବେ କାମ କରିବା ସହ ରୋଜଗାର କରିବାର ସୁଯୋଗ ପାଇପାରିବେ ।

ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା ଚଳାଉଛନ୍ତି ସରକାର । ଏହି କ୍ରମରେ ଭାରତୀୟ ଜୀବନ ବୀମା ନିଗମ ମଧ୍ୟ ମହିଳାଙ୍କ ପାଇଁ ଆଣିଛି ଏକ ସ୍ୱତନ୍ତ୍ର ଯୋଜନା । ଏହି ଯୋଜନାର ନାଁ ହେଉଛି ଏଲଆଇସି ବୀମା ସଖୀ ଯୋଜନା । ଏହା ମାଧ୍ୟମରେ ମହିଳାମାନେ ବୀମା ଏଜେଣ୍ଟ ଭାବେ କାମ କରିବା ସହ ରୋଜଗାର କରିବାର ସୁଯୋଗ ପାଇପାରିବେ । ସବୁଠାରୁ ବଡ଼ କଥା ହେଉଛି, ଏଥିରେ ପ୍ରଥମ ବର୍ଷରେ ମାସିକ ୭ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ ।

୧୦ମ ପାସ୍ ମହିଳା କରିପାରିବେ ଆବେଦନ
ଏଲଆଇସିର ଏହି ଯୋଜନାରେ ୧୮ରୁ ୭୦ ବର୍ଷ ବୟସର ମହିଳାମାନେ ସାମିଲ ହୋଇପାରିବେ । ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଦଶମ ପାସ୍ । ଅର୍ଥାତ୍ ଅଧିକ ପାଠପଢ଼ା କରିନଥିବା ମହିଳାମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ । ବିଶେଷକରି ଗ୍ରାମାଞ୍ଚଳର ମହିଳାଙ୍କୁ ଏଥିରେ ପ୍ରାଥମିକତା ଦିଆଯାଉଛି ।

ତିନି ବର୍ଷ ପର୍ଯ୍ୟନ୍ତ ମିଳିବ ଷ୍ଟାଇପେଣ୍ଡ
ବୀମା ସଖୀ ଯୋଜନାରେ ମହିଳାଙ୍କୁ ପ୍ରଥମ ତିନି ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଷ୍ଟାଇପେଣ୍ଡ ଦିଆଯାଏ । ପ୍ରଥମ ବର୍ଷରେ ପ୍ରତି ମାସକୁ ୭ ହଜାର ଟଙ୍କା, ଦ୍ୱିତୀୟ ବର୍ଷରେ ୬ ହଜାର ଟଙ୍କା ଏବଂ ତୃତୀୟ ବର୍ଷରେ ମାସିକ ୫ ହଜାର ଟଙ୍କା ମିଳିଥାଏ । ଏହା ସହିତ ମହିଳାମାନଙ୍କୁ ଏଲଆଇସି ପକ୍ଷରୁ ବୀମା ସମ୍ପର୍କିତ ତାଲିମ ମଧ୍ୟ ଦିଆଯାଏ । କେବଳ ଷ୍ଟାଇପେଣ୍ଡ ନୁହେଁ, ବୀମା ପଲିସି ବିକ୍ରି ଉପରେ କମିଶନ ରୋଜଗାର କରିବାର ମଧ୍ୟ ସୁଯୋଗ ରହିଛି । ଧାର୍ଯ୍ୟ ଟାର୍ଗେଟ୍ ପୂରଣ କିମ୍ବା ଅତିକ୍ରମ କରୁଥିବା ମହିଳାଙ୍କୁ ଅତିରିକ୍ତ କମିଶନ ମିଳିପାରିବ । ତିନି ବର୍ଷର ତାଲିମ ପରେ ସେମାନେ ଏଲଆଇସି ଏଜେଣ୍ଟ ଭାବେ କାମ ଜାରି ରଖିପାରିବେ ।

ରହିଛି କିଛି ସର୍ତ୍ତ
ଏହି ଯୋଜନାରେ ଆବେଦନ କରିବା ପାଇଁ କିଛି ନିୟମ ରହିଛି । ବର୍ତ୍ତମାନର ଏଲଆଇସି ଏଜେଣ୍ଟ ଏବଂ କର୍ମଚାରୀଙ୍କ ନିକଟ ସମ୍ପର୍କୀୟମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି । ଏହାସହ ପ୍ରଥମ ବର୍ଷରେ ଖୋଲାଯାଇଥିବା ପଲିସି ମଧ୍ୟରୁ ଅତିକମରେ ୬୫ ପ୍ରତିଶତ ପଲିସି ଚାଲୁ ରହିବା ଆବଶ୍ୟକ ।

କେମିତି କରିବେ ଆବେଦନ?
ଏହି ଯୋଜନାରେ ସାମିଲ ହେବାକୁ ଇଚ୍ଛୁକ ମହିଳାମାନେ ଏଲଆଇସିର ଅଫିସିଆଲ ୱେବସାଇଟ୍‌କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ବୟସ ପ୍ରମାଣପତ୍ର, ଠିକଣା ପ୍ରମାଣପତ୍ର ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଆବଶ୍ୟକ। ତେବେ ମନେ ରଖନ୍ତୁ, ଏହା ଏକ ଷ୍ଟାଇପେଣ୍ଡ ଓ କମିଶନ ଆଧାରିତ କାର୍ଯ୍ୟକ୍ରମ, ନିଶ୍ଚିତ ମାସିକ ଦରମା ନୁହେଁ ।

Leave a Reply

Your email address will not be published. Required fields are marked *