ପାଟନାରେ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ‘ମୋଦୀ କା ବାପ୍ ଭି ଯାଏଗା’ ମନ୍ତବ୍ୟକୁ ନେଇ ବିବାଦ। ବିଜେପି ସାଂସଦ ସମ୍ବିତ ପାତ୍ର ଏହାକୁ ନିନ୍ଦା କରିବା ସହ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏକ ମନ୍ତବ୍ୟକୁ କେନ୍ଦ୍ର କରି ଜାତୀୟ ରାଜନୀତିରେ ହଟଚମଟ । ବିହାରର ରାଜଧାନୀ ପାଟନାରେ ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଉଥିବା ବେଳେ ଖଡ଼ଗେ କହିଥିବା ଏକ ବିବାଦୀୟ କଥାକୁ ନେଇ ବିଜେପି ତୀବ୍ର ପ୍ରତିବାଦ କରିଛି । ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଜୋର୍ ଧରିଛି ।
ରିପୋର୍ଟ ଅନୁସାରେ, ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ଶ୍ରୀକୃଷ୍ଣ ସିଂହଙ୍କ ୧୩୯ତମ ଜୟନ୍ତୀ ଅବସରରେ ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖଡ଼ଗେ ଉଦ୍ବୋଧନ ଦେଉଥିଲେ । ଏହି ସମୟରେ ସେ ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇବା ଓ କଂଗ୍ରେସକୁ କ୍ଷମତାକୁ ଆଣିବା ପ୍ରସଙ୍ଗରେ କହୁଥିବା ବେଳେ ଦର୍ଶକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୋଦୀ କୁଆଡ଼େ ଯିବେ ନାହିଁ ବୋଲି କହିଥିଲେ ।
ଏହାର ଜବାବ ଦେବାକୁ ଯାଇ ଖଡ଼ଗେ କହିଥିଲେ, “ମୋଦୀ କା ବାପ୍ ଭି ଯାଏଗା” ଏହି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ରାଜନୈତିକ ବିବାଦ ତେଜିଛି । ଖଡ଼ଗେଙ୍କ ଏଭଳି ଭାଷାକୁ ନେଇ ବିଜେପି ନେତାମାନେ କଂଗ୍ରେସକୁ ଘେରିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି ।
ଖଡ଼ଗେଙ୍କ ମନ୍ତବ୍ୟକୁ ନିନ୍ଦା କରି ବିଜେପି ସାଂସଦ ସମ୍ବିତ ପାତ୍ର କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ୍ କରିଛନ୍ତି । ଏହା କେବଳ ଖଡ଼ଗେଙ୍କ ଭାଷା ନୁହେଁ, ବରଂ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଭାଷା ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସର ରାଜନୈତିକ ହତାଶା ଏଭଳି ମନ୍ତବ୍ୟରୁ ପ୍ରତିଫଳିତ ହେଉଥିବା ମଧ୍ୟ ସମ୍ବିତ ପାତ୍ର କହିଛନ୍ତି।
ଏହି ବିବାଦକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ମୋଦୀଙ୍କ ପିତାଙ୍କୁ ନେଇ ଏଭଳି ଭାଷା ପ୍ରୟୋଗ କରିବା ଅନୁଚିତ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏବେ ଏହି ପ୍ରସଙ୍ଗକୁ ନେଇ ଉଭୟ ଦଳ ମଧ୍ୟରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର୍ ଧରିଥିବା ବେଳେ ଖଡ଼ଗେଙ୍କ ମନ୍ତବ୍ୟ ଆଗକୁ ଆହୁରି ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି ।

