ମୁମ୍ବାଇରେ ପୁଣି ଡନ୍‌ରାଜ୍! ଦାଉଦ ପରେ ଲରେନ୍ସ

୧୯୯୦ ଦଶକରେ ମୁମ୍ବାଇ ଥିଲା ଅପରାଧୀଙ୍କ ଆଡ୍ଡାସ୍ଥଳୀ। ଦାଉଦ ଇବ୍ରାହିମ, ଛୋଟା ରାଜନ ଓ ଅବୁ ସଲେମଙ୍କ ଭଳି ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କରେ ଥରୁଥିଲା ସହର। ବଲିଉଡ୍ ତାରକା, ବ୍ୟବସାୟୀ ଓ ବିଲ୍ଡରଙ୍କଠାରୁ ବଟି ଆଦାୟ ଥିଲା ସାଧାରଣ ଘଟଣା।

ମୁମ୍ବାଇରେ ପୁଣି ଫେରିବ କି ୯୦ ଦଶକର ଅଣ୍ଡରୱାର୍ଲ୍ଡ ରାଜ୍? ପୁଣି ଗୁଳିର ଗର୍ଜନରେ ଥରିବ କି ମାୟାନଗରୀ? ଦାଉଦ ଇବ୍ରାହିମ ଓ ଛୋଟା ରାଜନଙ୍କ ପରେ ଏବେ ମୁମ୍ବାଇରେ ନିଜ ସାମ୍ରାଜ୍ୟ ବିସ୍ତାର କରିବାକୁ ଚାହୁଁଛି କି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ? ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଗାଡ଼ି ଉପରେ ଗୁଳିମାଡ଼ ପରେ ଏବେ ଏମିତି ଅନେକ ପ୍ରଶ୍ନ ଉଠିଛି। ଅକ୍ଟୋବର ୧୮ ତାରିଖ ରବିବାର ମୁମ୍ବାଇର ଜୁହୁ ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡରୁ ଟାଇଗର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ଦାୟିତ୍ୱ ସ୍ୱୀକାର କରାଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି। 

୧୯୯୦ ଦଶକରେ ମୁମ୍ବାଇ ଥିଲା ଅପରାଧୀଙ୍କ ଆଡ୍ଡାସ୍ଥଳୀ। ଦାଉଦ ଇବ୍ରାହିମ, ଛୋଟା ରାଜନ ଓ ଅବୁ ସଲେମଙ୍କ ଭଳି ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କରେ ଥରୁଥିଲା ସହର। ବଲିଉଡ୍ ତାରକା, ବ୍ୟବସାୟୀ ଓ ବିଲ୍ଡରଙ୍କଠାରୁ ବଟି ଆଦାୟ ଥିଲା ସାଧାରଣ ଘଟଣା। ଗ୍ୟାଙ୍ଗୱାର୍ ଓ ଏନକାଉଣ୍ଟରରେ ନିୟମିତ ରକ୍ତପାତ ହେଉଥିଲା। ପରେ ମୁମ୍ବାଇ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଏନକାଉଣ୍ଟର ଭଳି ଆଇନ ଯୋଗୁଁ ଅଣ୍ଡରୱାର୍ଲ୍ଡର ପ୍ରଭାବ ଧୀରେଧୀରେ କମିଥିଲା।

୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ଦାଉଦ ଓ ଛୋଟା ରାଜନଙ୍କ ମଧ୍ୟରେ ଶତ୍ରୁତା ବଢ଼ିଥିଲା। ପରବର୍ତ୍ତୀ ସମୟରେ ଛୋଟା ରାଜନ, ଅବୁ ସଲେମଙ୍କ ଭଳି ଅନେକ ଗ୍ୟାଙ୍ଗଷ୍ଟର ଜେଲ୍ ଯାଇଥିଲେ । ଫଳରେ ମୁମ୍ବାଇରେ ପୁରୁଣା ଅପରାଧୀ ସାମ୍ରାଜ୍ୟ ଦୁର୍ବଳ ହୋଇପଡ଼ିଥିଲା। ଏବେ ସେହି ଖାଲି ସ୍ଥାନକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦଖଲ କରିବାକୁ ଚେଷ୍ଟା କରୁଥିବା ଆଶଙ୍କା ପ୍ରକାଶ ପାଇଛି। ବାବା ସିଦ୍ଦିକିଙ୍କ ହତ୍ୟା, ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଓ ଏବେ ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରାଯିବା ମୁମ୍ବାଇର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି। ବିଷ୍ଣୋଇ ଗ୍ୟାଙ୍ଗ କେବଳ ଧମକ ଦେଉଛି, ନା ମୁମ୍ବାଇରେ ନିଜ ଆଧିପତ୍ୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଏନଆଇଏର ଏକ ଡୋଜିଅରରେ ବିଷ୍ଣୋଇ ଗ୍ୟାଙ୍ଗ ପାଖରେ ୭୦୦ରୁ ଅଧିକ ସୁଟର୍ ଥିବା ଦାବି କରାଯାଇଥିଲା। ପଞ୍ଜାବରୁ ଆରମ୍ଭ ହୋଇଥିବା ଏହି ଅପରାଧୀ ନେଟୱର୍କ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ସମେତ ବିଦେଶକୁ ମଧ୍ୟ ବ୍ୟାପିଥିବା ତଦନ୍ତକାରୀ ସଂସ୍ଥା ଆଶଙ୍କା କରୁଛି। ନୂଆ ଯୁବକଙ୍କୁ ଅପରାଧରେ ନିୟୋଜିତ କରିବା ଏବଂ ସୋସିଆଲ ମିଡିଆ ଜରିଆରେ ଧମକ ଦେବା ଗ୍ୟାଙ୍ଗର କାର୍ଯ୍ୟଶୈଳୀ ବୋଲି ଅଭିଯୋଗ ରହିଛି।

ସବୁଠୁ ବଡ଼ ପ୍ରଶ୍ନ, ଲରେନ୍ସ ଦୀର୍ଘବର୍ଷ ଧରି ଜେଲରେ ଥିଲେ ମଧ୍ୟ ତାଙ୍କ ଗ୍ୟାଙ୍ଗର ନେଟୱର୍କ କିଭଳି ସକ୍ରିୟ ରହିଛି? ଏବେ ମୁମ୍ବାଇ ପୋଲିସ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ। ସମୟ ଥାଉଥାଉ ଏହି ଅପରାଧୀ ନେଟୱର୍କକୁ ଭାଙ୍ଗିପାରିବ କି ପୋଲିସ? ନା ଦାଉଦ ଯୁଗର ଆତଙ୍କ ପୁଣି ମାୟାନଗରୀକୁ ଫେରିବ? ଏହାର ଉତ୍ତର ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *