୨୦୨୬ ଅକ୍ଟୋବର ୧୬ ତାରିଖ ଶୁକ୍ରବାର ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ୪,୦୩,୯୪୫ କିଲୋମିଟର ଦୂରରେ ରହିବ ବୋଲି ଆକଳନ କରାଯାଇଛି। ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ହାରାହାରି ଦୂରତା ପ୍ରାୟ ୩,୮୪,୪୦୦ କିଲୋମିଟର।
ଆକାଶରେ ଚମକୁଥିବା ଚନ୍ଦ୍ର ପ୍ରତି ମାସରେ କେବେ ପୃଥିବୀର ନିକଟତର ହୁଏ ତ ଆଉ କେବେ ଦୂରକୁ ଚାଲିଯାଏ । ଏହାର କାରଣ ହେଉଛି ଚନ୍ଦ୍ରର କକ୍ଷପଥ ସମ୍ପୂର୍ଣ୍ଣ ଗୋଲାକାର ନୁହେଁ, ବରଂ ଅଣ୍ଡାକାର । ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହେବା ସ୍ଥିତିକୁ ‘ପେରିଜି’ ଏବଂ ସବୁଠୁ ଦୂରରେ ରହିବା ସ୍ଥିତିକୁ ‘ଆପୋଜି’ କୁହାଯାଏ ।
୨୦୨୬ ଅକ୍ଟୋବର ୧୬ ତାରିଖ ଶୁକ୍ରବାର ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ୪,୦୩,୯୪୫ କିଲୋମିଟର ଦୂରରେ ରହିବ ବୋଲି ଆକଳନ କରାଯାଇଛି । ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ହାରାହାରି ଦୂରତା ପ୍ରାୟ ୩,୮୪,୪୦୦ କିଲୋମିଟର । ତେବେ ଚନ୍ଦ୍ର ଏତେ ଦୂରକୁ ଚାଲିଗଲେ ପୃଥିବୀ ଉପରେ କ’ଣ ପ୍ରଭାବ ପଡ଼ିବ? ସାଧାରଣ ଲୋକଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ କି ?
ଜୁଆର-ଭଟ୍ଟା ଉପରେ ପଡ଼ିବ ପ୍ରଭାବ
ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ସମୁଦ୍ର ଜଳକୁ ଆକର୍ଷିତ କରୁଥିବାରୁ ଜୁଆର-ଭଟ୍ଟା ସୃଷ୍ଟି ହୁଏ । ଚନ୍ଦ୍ର ପୃଥିବୀର ନିକଟରେ ଥିଲେ ଏହାର ପ୍ରଭାବ ଅଧିକ ରହେ । ଅନ୍ୟପକ୍ଷରେ, ଚନ୍ଦ୍ର ଦୂରକୁ ଗଲେ ତା’ର ଆକର୍ଷଣ ପ୍ରଭାବ କିଛି ହ୍ରାସ ପାଏ । ତେଣୁ ଚନ୍ଦ୍ର ଦୂରରେ ରହିବା ସମୟରେ ଜୁଆର-ଭଟ୍ଟାର ତୀବ୍ରତାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ତେବେ ଏହି ପରିବର୍ତ୍ତନ ଏତେ କମ୍ ଯେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ।
ଆକାଶରେ ଛୋଟ ଦେଖାଯିବ ଚନ୍ଦ୍ର
ପୃଥିବୀଠାରୁ ଦୂରରେ ରହିଲେ ଚନ୍ଦ୍ର ଆକାଶରେ ସାମାନ୍ୟ ଛୋଟ ଦେଖାଯାଏ। ଯଦି ପୂର୍ଣ୍ଣିମା ସମୟରେ ଏହା ଆପୋଜିରେ ରହେ, ତେବେ ତାହାକୁ ‘ମାଇକ୍ରୋ ମୁନ୍’ କୁହାଯାଏ। କିନ୍ତୁ ପ୍ରତ୍ୟେକ ଆପୋଜି ସମୟରେ ପୂର୍ଣ୍ଣିମା ହୁଏ ନାହିଁ। ଖାଲି ଆଖିରେ ଚନ୍ଦ୍ରର ଆକାରରେ ଏହି ପାର୍ଥକ୍ୟ ଜାଣିବା କଷ୍ଟକର।
ଯଦି ଚନ୍ଦ୍ର ସବୁଦିନ ପାଇଁ ଦୂରକୁ ଚାଲିଯାଏ?
ବୈଜ୍ଞାନିକଙ୍କ ଅନୁସାରେ, ଚନ୍ଦ୍ର ପ୍ରତିବର୍ଷ ପ୍ରାୟ ୩.୮ ସେଣ୍ଟିମିଟର ପୃଥିବୀଠାରୁ ଦୂରକୁ ଯାଉଛି। ଏହା ଏକ ଧୀର ପ୍ରକ୍ରିୟା। ଯଦି ଭବିଷ୍ୟତରେ ଚନ୍ଦ୍ର ବହୁତ ଦୂରକୁ ଚାଲିଯାଏ, ତେବେ ଜୁଆର-ଭଟ୍ଟା ଦୁର୍ବଳ ହୋଇପାରେ। ସମୁଦ୍ରର ଜୀବଜଗତ ଓ କିଛି ପ୍ରାଣୀଙ୍କ ଜୀବନଚକ୍ର ମଧ୍ୟ ପ୍ରଭାବିତ ହୋଇପାରେ। ଏହା ସହ ପୃଥିବୀର ଘୂର୍ଣ୍ଣନ ଅକ୍ଷର ସ୍ଥିରତା ଏବଂ ଦିନର ଦୈର୍ଘ୍ୟ ଉପରେ ମଧ୍ୟ ଦୀର୍ଘକାଳୀନ ପ୍ରଭାବ ପଡ଼ିପାରେ। ଚନ୍ଦ୍ର ଅଧିକ ଦୂରକୁ ଚାଲିଗଲେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବା ମଧ୍ୟ ଭବିଷ୍ୟତରେ ସମ୍ଭବ ନ ହୋଇପାରେ।
ସାଧାରଣ ଲୋକେ ଚିନ୍ତା କରିବା ଆବଶ୍ୟକ କି?
ବର୍ତ୍ତମାନ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ଚନ୍ଦ୍ରର ଦୂରତାରେ ଏଭଳି ପରିବର୍ତ୍ତନ ଏକ ସ୍ୱାଭାବିକ ମହାଜାଗତିକ ପ୍ରକ୍ରିୟା। ତେଣୁ ଅକ୍ଟୋବର ୧୬ରେ ଚନ୍ଦ୍ର ଦୂରକୁ ଚାଲିଯିବା ଯୋଗୁଁ ପୃଥିବୀରେ କୌଣସି ବଡ଼ ବିପଦ ସୃଷ୍ଟି ହେବ ନାହିଁ। ଏହା କେବଳ ପ୍ରକୃତିର ଏକ ନିୟମିତ ପରିବର୍ତ୍ତନ।

