ସମ୍ଭାବ୍ୟ ବିପଦ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରିବା ସହ ବିପର୍ଯ୍ୟୟ ମୁକାବିଲାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ନୂଆ ଡିଜିଟାଲ୍ ପ୍ଲାଟଫର୍ମ ଉନ୍ମୋଚନ କରାଯାଇଛି । ଏହି ପ୍ଲାଟଫର୍ମର ନାମ ହେଉଛି ଡିସିଜନ୍ ସପୋର୍ଟ ସିଷ୍ଟମ୍ (DSS) ।
ବାତ୍ୟା ଓ ସାମୁଦ୍ରିକ ପାଣିପାଗ ସମ୍ପର୍କିତ ସୂଚନା ଏଣିକି ଆହୁରି ସହଜରେ ମିଳିବ । ସମ୍ଭାବ୍ୟ ବିପଦ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରିବା ସହ ବିପର୍ଯ୍ୟୟ ମୁକାବିଲାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ନୂଆ ଡିଜିଟାଲ୍ ପ୍ଲାଟଫର୍ମ ଉନ୍ମୋଚନ କରାଯାଇଛି । ଏହି ପ୍ଲାଟଫର୍ମର ନାମ ହେଉଛି ଡିସିଜନ୍ ସପୋର୍ଟ ସିଷ୍ଟମ୍ (DSS) ।
ଏହି ନୂଆ ବ୍ୟବସ୍ଥା ଜରିଆରେ ବାତ୍ୟାର ଗତିପଥ, ତୀବ୍ରତା, ପବନର ବେଗ, ବର୍ଷାର ପୂର୍ବାନୁମାନ ଓ ସମୁଦ୍ରରେ ଜୁଆର ସମ୍ପର୍କିତ ତଥ୍ୟ ମିଳିପାରିବ । ଏଥିସହ ନଦୀ ଅବବାହିକାରେ ସମ୍ଭାବ୍ୟ ବର୍ଷା ସମ୍ପର୍କିତ ସୂଚନା ମଧ୍ୟ ଉପଲବ୍ଧ ହେବ । ଫଳରେ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ସରକାରୀ ବିଭାଗ ଓ ସାଧାରଣ ଲୋକେ ଆଗୁଆ ସତର୍କ ହୋଇପାରିବେ ।
IMDର ଏହି ନୂଆ ପ୍ଲାଟଫର୍ମ ଏକ ଇଣ୍ଟରଆକ୍ଟିଭ୍ WebGIS ବ୍ୟବସ୍ଥା ଉପରେ ଆଧାରିତ । ଏହା ମାଧ୍ୟମରେ ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ସମ୍ପର୍କରେ ମାନଚିତ୍ର ଜରିଆରେ ତଥ୍ୟ ଦେଖିହେବ । ଏହା ସହ ପବନର ବେଗ, ବର୍ଷା ସତର୍କ ସୂଚନା, ସମୁଦ୍ରରେ ଜୁଆର ଏବଂ ନଦୀ ଅବବାହିକାରେ ବର୍ଷାର ପୂର୍ବାନୁମାନ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ । ବିଶେଷକରି ବାତ୍ୟା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ କରିବା, ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବାରେ ଏହି ବ୍ୟବସ୍ଥା ସହାୟକ ହୋଇପାରିବ ।
ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆୟୋଜିତ ଏକ ବୈଠକରେ ଏହି ପ୍ଲାଟଫର୍ମର ପ୍ରଦର୍ଶନ କରାଯାଇଥିଲା । ବୈଠକରେ ୩୦ରୁ ଅଧିକ ସଂସ୍ଥାର ପ୍ରାୟ ୨୩୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଏଥିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ , NDRF, ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ ଏବଂ ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟର ପ୍ରତିନିଧିମାନେ ସାମିଲ ହୋଇଥିଲେ ।

