ଆଇପିଏଲରେ ସିକ୍ସର କିଙ୍ଗ୍ ଯୁବରାଜଙ୍କ ଧମାକାଦାର ଏଣ୍ଟ୍ରି, ଏହି ଟିମ୍‌ର ବଦଳାଇବେ କି ଭାଗ୍ୟ?

ଏହି ନୂଆ ଦାୟିତ୍ୱ ସହ ଯୁବରାଜଙ୍କୁ ପୁଣିଥରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ କାମ କରିବାର ସୁଯୋଗ ମିଳିବ। ଗାଙ୍ଗୁଲିଙ୍କ ସହ ଯୁବରାଜଙ୍କ ପୁରୁଣା ସମ୍ପର୍କ ରହିଛି।

 ଭାରତୀୟ କ୍ରିକେଟ୍‌ର ଅନ୍ୟତମ ବିସ୍ଫୋରକ ଅଲ୍‌ରାଉଣ୍ଡର ଯୁବରାଜ ସିଂହଙ୍କ କ୍ୟାରିୟରରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ଖେଳାଳି ଭାବେ ନିଜ ବ୍ୟାଟିଂର ଯାଦୁ ଦେଖାଇଥିବା ଯୁବରାଜ ଏବେ କୋଚ୍‌ ଭାବେ ନିଜର ଦକ୍ଷତା ପ୍ରମାଣ କରିବାକୁ ପ୍ରସ୍ତୁତ। ଆଇପିଏଲ୍‌ର ଆଗାମୀ ସିଜିନ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଆସିଷ୍ଟାଣ୍ଟ କୋଚ୍‌ ଏବଂ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏହି ନିଯୁକ୍ତି ପରେ କ୍ରିକେଟ୍‌ ମହଲରେ ଚର୍ଚ୍ଚା ବଢ଼ିଥିବା ବେଳେ ଦିଲ୍ଲୀର ଟାଇଟଲ୍‌ ଜିତିବା ଆଶା ମଧ୍ୟ ବଢ଼ିଛି।

ଏହି ନୂଆ ଦାୟିତ୍ୱ ସହ ଯୁବରାଜଙ୍କୁ ପୁଣିଥରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ କାମ କରିବାର ସୁଯୋଗ ମିଳିବ। ଗାଙ୍ଗୁଲିଙ୍କ ସହ ଯୁବରାଜଙ୍କ ପୁରୁଣା ସମ୍ପର୍କ ରହିଛି। ଏଥର କିନ୍ତୁ ଦୁହେଁ ଖେଳାଳି ଭାବେ ନୁହେଁ, ବରଂ ଦଳକୁ ସଫଳତା ଦେବା ପାଇଁ କୋଚିଂ ଷ୍ଟାଫ୍‌ରେ ଏକାଠି କାମ କରିବେ।

ଯୁବରାଜ ସିଂହଙ୍କର ଦିଲ୍ଲୀ ଫ୍ରାଞ୍ଚାଇଜି ସହ ପୁରୁଣା ସମ୍ପର୍କ ରହିଛି। ୨୦୧୫ ମସିହାରେ ତତ୍କାଳୀନ ଦିଲ୍ଲୀ ଡେୟାରଡେଭିଲ୍ସ ତାଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା। ସେହି ସମୟରେ ସେ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ। ଏବେ ସେହି ଫ୍ରାଞ୍ଚାଇଜି ସହ ନୂଆ ଭୂମିକାରେ ଯୋଡ଼ି ହୋଇଛନ୍ତି ଯୁବରାଜ।

ନିଜ ନିଯୁକ୍ତିକୁ ନେଇ ଖୁସି ପ୍ରକାଶ କରି ଯୁବରାଜ କହିଛନ୍ତି ଯେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ସେ ଉତ୍ସାହିତ। ଫ୍ରାଞ୍ଚାଇଜି ସହ ତାଙ୍କର ପୁରୁଣା ସମ୍ପର୍କ ଥିବାରୁ ଏହି ସୁଯୋଗ ତାଙ୍କ ପାଇଁ ବିଶେଷ। ଏଥିସହ ଗାଙ୍ଗୁଲିଙ୍କ ସହ କୋଚ୍‌ ଭାବେ କାମ କରିବାକୁ ମଧ୍ୟ ସେ ଉତ୍ସୁକ ଅଛନ୍ତି।

ଭାରତକୁ ୨୦୦୭ ଟି-୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌ ଜିତାଇବାରେ ଯୁବରାଜଙ୍କ ଭୂମିକା ଅତୁଳନୀୟ ଥିଲା। ଯଦିଓ ଆଇପିଏଲ୍‌ ଫ୍ରାଞ୍ଚାଇଜିରେ ଏହା ତାଙ୍କର ପ୍ରଥମ କୋଚିଂ ଦାୟିତ୍ୱ, ତଥାପି ସେ ଦୀର୍ଘଦିନ ଧରି ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌ଙ୍କ ଭଳି ଯୁବ ଭାରତୀୟ ବ୍ୟାଟରଙ୍କୁ ମାର୍ଗଦର୍ଶନ ଦେଇଆସୁଛନ୍ତି। ବିଶେଷକରି ଅଭିଷେକ ଶର୍ମାଙ୍କ ବ୍ୟାଟିଂରେ ତାଙ୍କ ମାର୍ଗଦର୍ଶନର ପ୍ରଭାବକୁ ନେଇ ଅନେକ ଚର୍ଚ୍ଚା ହୋଇଛି।

ଦିଲ୍ଲୀ କ୍ୟାପିଟାଲ୍ସ ଏଯାଏଁ ଆଇପିଏଲ୍‌ ଟ୍ରଫି ଜିତିପାରିନାହିଁ। ୨୦୨୦ରେ ଦଳ ରନର୍ସଅପ୍‌ ହୋଇଥିଲା। ଏବେ ଗାଙ୍ଗୁଲିଙ୍କ ସହ ଯୁବରାଜଙ୍କ ଯୋଗଦାନ ଦଳର ବ୍ୟାଟିଂ ବିଭାଗକୁ ନୂଆ ଶକ୍ତି ଦେଇପାରେ। ତେବେ ଯୁବରାଜଙ୍କ ଅଭିଜ୍ଞତା ଓ ରଣନୀତି ଦିଲ୍ଲୀକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇପାରିବ କି ନାହିଁ, ତାହା ଆଗାମୀ ସିଜିନ୍‌ରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *