ଆଇପିଏଲ୍‌ ୨୦୨୭ ପୂର୍ବରୁ ଋଷଭ ପନ୍ତଙ୍କୁ ବଡ଼ ଝଟକା;ଦିଲ୍ଲୀରେ ମିଳିବନି ଏହି ଦାୟିତ୍ୱ

ଆଇପିଏଲ୍‌ ୨୦୨୭ରେ ପନ୍ତଙ୍କୁ ଶୀର୍ଷକ୍ରମରେ ବ୍ୟାଟିଂ କରୁଥିବା ଦେଖିବାକୁ ଆଶା ରଖିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିପାରେ । ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ ପନ୍ତଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ଦଳର ଯୋଜନା ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ଋଷଭ ପନ୍ତଙ୍କ ଭୂମିକାକୁ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି । ଆଇପିଏଲ୍‌ ୨୦୨୭ରେ ପନ୍ତଙ୍କୁ ଶୀର୍ଷକ୍ରମରେ ବ୍ୟାଟିଂ କରୁଥିବା ଦେଖିବାକୁ ଆଶା ରଖିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିପାରେ । ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ ପନ୍ତଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ଦଳର ଯୋଜନା ରହିଛି ।

ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ଏକ ଭିଡିଓରେ ପନ୍ତଙ୍କ ବ୍ୟାଟିଂ ଭୂମିକା ବିଷୟରେ ଯୋଜନା ସମ୍ପର୍କରେ କହିଛନ୍ତି । ତାଙ୍କ ଅନୁସାରେ, ଦଳକୁ ମଧ୍ୟକ୍ରମରେ ଜଣେ ଦକ୍ଷ ବ୍ୟାଟରଙ୍କ ଆବଶ୍ୟକତା ଥିଲା ଏବଂ ପନ୍ତ ଏହି ଭୂମିକା ପାଇଁ ସଠିକ୍‌ ଖେଳାଳି । ତେଣୁ ପନ୍ତଙ୍କୁ ୪ କିମ୍ବା ୫ ନମ୍ବରରେ ବ୍ୟାଟିଂ କରାଯାଇପାରେ ।

ଦିଲ୍ଲୀ ଦଳରେ କେଏଲ୍‌ ରାହୁଲଙ୍କ ଭଳି ଜଣେ ଓପନର ଥିବାରୁ ପନ୍ତଙ୍କୁ ଶୀର୍ଷକ୍ରମରେ ଖେଳାଇବା ପରିବର୍ତ୍ତେ ମଧ୍ୟକ୍ରମରେ ତାଙ୍କୁ ବ୍ୟବହାର କରିବାର ସମ୍ଭାବନା ଅଧିକ । ଏହି ଦୁଇଟି ସ୍ଥାନରେ ପନ୍ତ ପୂର୍ବରୁ ମଧ୍ୟ ଦଳ ପାଇଁ ଖେଳିଛନ୍ତି । ଦିଲ୍ଲୀ ଛାଡ଼ିବା ପରେ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଧିନାୟକ ହୋଇଥିଲେ । ସେଠାରେ ଶୀର୍ଷକ୍ରମରେ ବ୍ୟାଟିଂ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ଏହି ଭୂମିକା ମିଳିନଥିଲା। ଦୁଇଟି ସିଜନରେ ୨୬ଟି ପାଳି ଖେଳି ସେ ୫୮୧ ରନ୍‌ କରିଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ହେଉଛନ୍ତି ପନ୍ତ । ଦଳ ପାଇଁ ୧୧୧ଟି ମ୍ୟାଚ୍‌ରେ ସେ ୩୨୮୪ ରନ୍‌ କରିଛନ୍ତି। ଏବେ ଦଳକୁ ଫେରିବା ପରେ ମଧ୍ୟକ୍ରମରେ ନିଜର ପୁରୁଣା ଦମ୍‌ ଦେଖାଇବା ଉପରେ ପନ୍ତଙ୍କ ନଜର ରହିବ । କୁଲଦୀପ ଯାଦବଙ୍କ ସହ ଅଦଳବଦଳ ପରେ ପନ୍ତ ପୁଣି ଦିଲ୍ଲୀ ଦଳକୁ ଫେରିଛନ୍ତି । ୧୫ କୋଟି ଟଙ୍କାର ସଂଶୋଧିତ ପାରିଶ୍ରମିକରେ ତାଙ୍କୁ ଦଳକୁ ଫେରାଇ ଅଣାଯାଇଛି । ଏବେ ଆଇପିଏଲ୍‌ ୨୦୨୭ରେ ମଧ୍ୟକ୍ରମରେ ବଡ଼ ପ୍ରଦର୍ଶନ କରି ନିଜକୁ ପୁଣି ପ୍ରମାଣିତ କରିବା ପନ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

Leave a Reply

Your email address will not be published. Required fields are marked *