ରୁଷ ଉପକୂଳ ନିକଟରେ ଏକ ଲାଇବେରିଆନ୍ ପତାକା ଥିବା ତେଲ ଟ୍ୟାଙ୍କର ‘ଆଫ୍ରାମାକ୍ସ ରିଓ’ ଉପରେ ମାନବବିହୀନ ଯାନ ଦ୍ୱାରା ଆକ୍ରମଣ ପରେ ଜାହାଜରେ ଭୟଙ୍କର ନିଆଁ ଲାଗିଯାଇଥିଲା ।
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କୃଷ୍ଣସାଗରରେ ପୁଣିଥରେ ବାଣିଜ୍ୟିକ ଜାହାଜର ସୁରକ୍ଷାକୁ ନେଇ ବଡ଼ ଚିନ୍ତା ସୃଷ୍ଟି ହୋଇଛି । ରୁଷ ଉପକୂଳ ନିକଟରେ ଏକ ଲାଇବେରିଆନ୍ ପତାକା ଥିବା ତେଲ ଟ୍ୟାଙ୍କର ‘ଆଫ୍ରାମାକ୍ସ ରିଓ’ ଉପରେ ମାନବବିହୀନ ଯାନ ଦ୍ୱାରା ଆକ୍ରମଣ ପରେ ଜାହାଜରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରରେ ଥିବା ସମସ୍ତ ୨୩ ଜଣ କ୍ରୁ ସଦସ୍ୟ ଭାରତୀୟ ଥିଲେ। ତେବେ ଭଲ ଖବର ହେଉଛି, ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କୌଣସି କ୍ରୁ ସଦସ୍ୟ ଆହତ ହୋଇନଥିବା ରୁଷ ପରିବହନ ମନ୍ତ୍ରଣାଳୟ କହିଛି ।
ରୁଷ ପରିବହନ ମନ୍ତ୍ରଣାଳୟ ଅନୁଯାୟୀ, ରୁଷର ସୋଚି ଉପକୂଳ ନିକଟ କୃଷ୍ଣସାଗରରେ ‘ଆଫ୍ରାମାକ୍ସ ରିଓ’ ଟ୍ୟାଙ୍କର ଉପରେ ଏକ ମାନବବିହୀନ ଯାନ ଦ୍ୱାରା ଆକ୍ରମଣ ହୋଇଥିଲା । ଆକ୍ରମଣ ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଘଟଣାର ଖବର ପାଇ ତୁରନ୍ତ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଜାହାଜରେ ଥିବା ସମସ୍ତ ୨୩ ଜଣଙ୍କୁ ଉଦ୍ଧାର କରିଥିଲେ ।
ଜାହାଜରେ ଲାଗିଥିବା ନିଆଁରୁ ଆକାଶକୁ ବିରାଟ କଳା ଧୂଆଁ ଉଠୁଥିବା ଦେଖାଯାଇଥିଲା । ଅଗ୍ନିକାଣ୍ଡର ତୀବ୍ରତା କମିବା ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଥିଲା । ସୁରକ୍ଷା ଦୃଷ୍ଟିରୁ ସୋଚି ନିକଟ ସମୁଦ୍ରତଟକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳ ଓ ବାୟୁର ଗୁଣବତ୍ତା ଯାଞ୍ଚ କରାଯାଉଥିଲା । ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ କୃଷ୍ଣସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ଯୁଦ୍ଧର ପ୍ରଭାବ ଏବେ କେବଳ ଯୁଦ୍ଧକ୍ଷେତ୍ରରେ ସୀମିତ ନରହି ସମୁଦ୍ରପଥରେ ଚାଲୁଥିବା ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି ।
ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ କୃଷ୍ଣସାଗରରେ ଭାରତୀୟ କ୍ରୁ ଥିବା ଅନ୍ୟ ଏକ ବାଣିଜ୍ୟିକ ଜାହାଜ ଆକ୍ରମଣର ଶିକାର ହୋଇଥିଲା । MV Royad Mammadov ନାମକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ପରେ ଏହାର କ୍ୟାପ୍ଟେନଙ୍କ ମୃତ୍ୟୁ ହୋଇଥିଲା । ଜାହାଜରେ ଥିବା ୩ ଜଣ ଭାରତୀୟ ନାଗରିକ ସୁରକ୍ଷିତ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିଲେ ।
କୃଷ୍ଣସାଗରରେ ବାଣିଜ୍ୟିକ ଜାହାଜ ଉପରେ ଲଗାତାର ଆକ୍ରମଣକୁ ନେଇ ଭାରତ ମଧ୍ୟ ଚିନ୍ତା ପ୍ରକାଶ କରିଛି। ଅନ୍ତର୍ଜାତୀୟ ଜଳପଥରେ ବାଣିଜ୍ୟିକ ଜାହାଜ ଏବଂ ନାବିକଙ୍କୁ ଟାର୍ଗେଟ କରାଯିବା ବିଶ୍ୱ ବାଣିଜ୍ୟ ଓ ସମୁଦ୍ର ସୁରକ୍ଷା ପାଇଁ ଗୁରୁତର ଚିନ୍ତାର ବିଷୟ ବୋଲି ନୂଆଦିଲ୍ଲୀ କହିଛି । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କୃଷ୍ଣସାଗର ଏବେ ଏକ ବଡ଼ ଯୁଦ୍ଧକ୍ଷେତ୍ର ସହିତ ସମୁଦ୍ର ବାଣିଜ୍ୟ ପାଇଁ ମଧ୍ୟ ବିପଦପୂର୍ଣ୍ଣ ଅଞ୍ଚଳରେ ପରିଣତ ହୋଇଛି । ଏହି ଘଟଣା ଭାରତୀୟ ନାବିକମାନଙ୍କ ସୁରକ୍ଷା ନେଇ ପୁଣିଥରେ ଚିନ୍ତା ବଢ଼ାଇଛି ।

