ବାବା ଆଖଣ୍ଡଳମଣିଙ୍କ ପୀଠରେ ମା’ ଜୟଦୁର୍ଗାଙ୍କ ଶାରଦୀୟ ପୂଜା

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଧାମରେ ପୀଠଦେବୀ ମା’ ଜୟଦୁର୍ଗାଙ୍କ ଷୋଡ଼ଶ ଦିବସୀୟ ଶାରଦୀୟ ପୂଜା ଆରମ୍ଭ ହୋଇଛି । ପବିତ୍ର ମୂଳାଷ୍ଟମୀ ଓ ଦେବୀ ଉତ୍ଥାନ ଦିବସରୁ ଆରମ୍ଭ ହୋଇଥିବା ଏହି ପୂଜା ଦଶହରା ପର୍ଯ୍ୟନ୍ତ ଚାଲିବ ।

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଧାମରେ ପୀଠଦେବୀ ମା’ ଜୟଦୁର୍ଗାଙ୍କ ଷୋଡ଼ଶ ଦିବସୀୟ ଶାରଦୀୟ ପୂଜା ଆରମ୍ଭ ହୋଇଛି । ପବିତ୍ର ମୂଳାଷ୍ଟମୀ ଓ ଦେବୀ ଉତ୍ଥାନ ଦିବସରୁ ଆରମ୍ଭ ହୋଇଥିବା ଏହି ପୂଜା ଦଶହରା ପର୍ଯ୍ୟନ୍ତ ଚାଲିବ ।

ଏହି ଅବସରରେ ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମା’ଙ୍କ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି କରାଯାଉଛି । ପରେ ହଳଦୀ ଓ ପଞ୍ଚାମୃତରେ ମହାସ୍ନାନ କରାଯାଇ ବାଲ୍ୟଭୋଗ ଲାଗି ହେଉଛି । ଏହାପରେ ପୀଠାଧିପତି ବାବା ଆଖଣ୍ଡଳମଣିଙ୍କ ନିକଟରେ ଅଭିଷେକ କର୍ମ ସମ୍ପନ୍ନ ହେଉଛି । ଏହାପରେ କଳସ ଶୋଭାଯାତ୍ରା କରାଯାଇ ଶିବଗଙ୍ଗା ପୁଷ୍କରିଣୀରୁ ଘଟ ଉତ୍ତୋଳନ କରାଯାଇ ପୂଜାମଣ୍ଡପରେ ସ୍ଥାପନ କରାଯାଉଛି । ରୀତିନୀତି ଅନୁଯାୟୀ ପୂଜା ସହ ପୂଜାମଣ୍ଡପରେ ପ୍ରତିଦିନ ସପ୍ତଶତୀ ଚଣ୍ଡୀପାଠ ଅନୁଷ୍ଠିତ ହେଉଛି ।

ପ୍ରତ୍ୟେକ ଦିନ ଅପରାହ୍ନରେ ମା’ ଜୟଦୁର୍ଗା ବିଭିନ୍ନ ଦିବ୍ୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଗୌରୀ, ଭୁବନେଶ୍ୱରୀ, ଅନ୍ନପୂର୍ଣ୍ଣା, ମହାଲକ୍ଷ୍ମୀ, ମହାକାଳୀ, ମହାସରସ୍ୱତୀ, ଜଗଦ୍ଧାତ୍ରୀ, ଜୟଦୁର୍ଗା ଓ ସିଂହବାହିନୀ ଆଦି ବେଶରେ ମା’ଙ୍କ ଦର୍ଶନ ମିଳିବ । ପ୍ରତିଦିନ ସନ୍ଧ୍ୟାରେ ଷୋଡ଼ଶ ଉପଚାର ପୂଜା ସହ ଆହୁତି କର୍ମ ସମ୍ପନ୍ନ ହେବ । ରାତିରେ ମା’ଙ୍କ ନିକଟରେ ଅନ୍ନପ୍ରସାଦ ଲାଗି କରାଯିବ । ଏଭଳି ଭାବେ ମା’ ଜୟଦୁର୍ଗାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ମହାସମାରୋହରେ ଭକ୍ତ, ସେବାୟତ ଓ ମନ୍ଦିର ପ୍ରଶାସନର ସହଯୋଗରେ ସୁଚାରୁ ରୂପେ ସମ୍ପାଦିତ ହେଉଛି ।

Leave a Reply

Your email address will not be published. Required fields are marked *