କୋରିଆକୁ ମାତ୍ ଦେଇ ଇତିହାସ ରଚିଲା ଭାରତ! ରିକର୍ଭରେ ପ୍ରଥମ ଗୋଲ୍ଡ

ଏସିଆନ୍ ଗେମ୍ସରେ ଦୀର୍ଘ ୪୪ ବର୍ଷର କୋରିଆ ଦବଦବାକୁ ଶେଷ କରିଛି ଭାରତ । ମହିଳା ରିକର୍ଭ ଟିମ୍ ଇଭେଣ୍ଟରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତୀୟ ଦଳ ।

 ଏସିଆନ୍ ଗେମ୍ସରେ ଦୀର୍ଘ ୪୪ ବର୍ଷର କୋରିଆ ଦବଦବାକୁ ଶେଷ କରିଛି ଭାରତ । ମହିଳା ରିକର୍ଭ ଟିମ୍ ଇଭେଣ୍ଟରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତୀୟ ଦଳ । ଆଙ୍କିତା ଭକତ, କୀର୍ତ୍ତି ଶର୍ମା ଏବଂ କୁମକୁମ ମହୋଦଙ୍କ ତ୍ରିମୂର୍ତ୍ତି କରିଛି ଏହି ଐତିହାସିକ କାରନାମା । ଫାଇନାଲରେ ବିଶ୍ୱ ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ୫-୩ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି ଭାରତ ।

🇮🇳 ସେମିରୁ ଫାଇନାଲ୍—ଜବରଦସ୍ତ ପ୍ରଦର୍ଶନ

ଫାଇନାଲ ପୂର୍ବରୁ ସେମିଫାଇନାଲରେ ମଧ୍ୟ ଭାରତୀୟ ମହିଳା ଟିମ୍‌ର ପ୍ରଦର୍ଶନ ଥିଲା ଦମଦାର । ଚୀନକୁ ୫-୧ରେ ହରାଇ ଫାଇନାଲ ଟିକେଟ୍ କାଟିଥିଲେ ଆଙ୍କିତା, କୀର୍ତ୍ତି ଓ କୁମକୁମ। ଫାଇନାଲରେ ସାମ୍ନାରେ ଥିଲା ଶକ୍ତିଶାଳୀ କୋରିଆ । କୋରିଆ ଦଳରେ ବିଶ୍ୱର ତୃତୀୟ ନମ୍ବର ତୀରନ୍ଦାଜ କାଙ୍ଗ ଚାଏୟଙ୍ଗ ମଧ୍ୟ ଥିଲେ । କିନ୍ତୁ ଭାରତୀୟ ତ୍ରିମୂର୍ତ୍ତି ଚାପରେ ଭାଙ୍ଗିନଥିଲେ ।

ପ୍ରଥମ ଦୁଇଟି ସେଟ୍‌ରେ କୋରିଆ ଯଥାକ୍ରମେ ୫୪ ଓ ୫୬ ସ୍କୋର କରିଥିଲା । ଭାରତ ମଧ୍ୟ ସମାନ ସ୍କୋର କରି ମ୍ୟାଚ୍‌କୁ ୨-୨ରେ ରଖିଥିଲା । ତୃତୀୟ ସେଟ୍‌ରେ କୋରିଆର ତୀରନ୍ଦାଜମାନେ ଚାପରେ ପଡ଼ିଗଲେ । ୬ଟି ତୀରରେ ୪ଟି ୮ ସ୍କୋର ହେବାରୁ କୋରିଆର ସ୍କୋର କମିଗଲା । ଏହାର ସୁଯୋଗ ନେଇ ଭାରତ ୫୫ ସ୍କୋର କରି ଆଗକୁ ବଢ଼ିଲା ।

ଶେଷ ସେଟ୍‌ରେ ରୋମାଞ୍ଚ

ଚତୁର୍ଥ ସେଟ୍‌ରେ କୋରିଆ ୫୪ ସ୍କୋର କଲା । ସ୍ୱର୍ଣ୍ଣ ପାଇଁ ଭାରତକୁ ମଧ୍ୟ ୫୪ ସ୍କୋର ଆବଶ୍ୟକ ଥିଲା । କୀର୍ତ୍ତି ଶର୍ମାଙ୍କ ଗୋଟିଏ ତୀର ପ୍ରଥମେ ୮ ଭାବେ ଗଣାଯାଇଥିଲା । କିନ୍ତୁ ରିଭ୍ୟୁ ପରେ ଏହା ୯ ସ୍କୋର ବୋଲି ଘୋଷଣା ହେଲା । ଫଳରେ ଭାରତ ମଧ୍ୟ ୫୪ରେ ପହଞ୍ଚିଲା ଏବଂ ସେଟ୍ ଟାଇ ହେବା ସହ ଭାରତର ସ୍ୱର୍ଣ୍ଣ ପଦକ ନିଶ୍ଚିତ ହୋଇଗଲା ।

ତିନି ତୀରନ୍ଦାଜଙ୍କ ଭିନ୍ନ ଭିନ୍ନ କାହାଣୀ

ଏହି ସଫଳତା ପଛରେ ରହିଛି ତିନି ଜଣଙ୍କ ଭିନ୍ନ କାହାଣୀ । କୁମକୁମ ମହୋଦ ମାତ୍ର ୩ ବର୍ଷ ତଳେ ରିକର୍ଭ ତୀରନ୍ଦାଜୀରେ ଟ୍ରେନିଂ ଆରମ୍ଭ କରିଥିଲେ । ତା’ପୂର୍ବରୁ ସେ ପାରମ୍ପରିକ ବାଉଁଶ ଧନୁ ବ୍ୟବହାର କରୁଥିଲେ । କୀର୍ତ୍ତି ଶର୍ମାଙ୍କୁ ମଧ୍ୟ ଦିନେ କୁହାଯାଇଥିଲା ଯେ ସେ ରିକର୍ଭ ବୋ ବ୍ୟବହାର କରିବା ପାଇଁ ବହୁତ ପତଳା । ଆଉ ଆଙ୍କିତା ଭକତ ହେଉଛନ୍ତି ଦଳର ଅଭିଜ୍ଞ ତୀରନ୍ଦାଜ । ତାଙ୍କ ନାଁରେ ରହିଛି ୨୩ଟି ଅନ୍ତର୍ଜାତୀୟ ପଦକ । ହାଙ୍ଗଝୋ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ରିକର୍ଭ ଟିମ୍ ବ୍ରୋଞ୍ଜ ଜିତିଥିଲା, କିନ୍ତୁ ଫାଇନାଲରେ ପହଞ୍ଚିପାରିନଥିଲା । ଏଥର ସେହି ଅଭାବକୁ ପୂରଣ କରି ଇତିହାସ ରଚିଛନ୍ତି ଭାରତୀୟ ମହିଳା ତୀରନ୍ଦାଜମାନେ ।

Leave a Reply

Your email address will not be published. Required fields are marked *