ସୂଚନା ଅନୁସାରେ, ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା।
ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ହାଜର ହେବା ପାଇଁ ତାଙ୍କୁ ଅଧିକ ସମୟ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏବେ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସେ ଏସଡିଜେଏମ୍ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି।
ସୂଚନା ଅନୁସାରେ, ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟ ତାଙ୍କୁ ଅକ୍ଟୋବର ୧ ତାରିଖ କିମ୍ବା ତା’ ପୂର୍ବରୁ ଅଦାଲତରେ ହାଜର ହେବାକୁ କହିଥିଲେ।
ତେବେ ଧାର୍ଯ୍ୟ ସମୟ ମଧ୍ୟରେ ହାଜର ହେବା ସମ୍ଭବ ନଥିବା ଦର୍ଶାଇ ସମୟସୀମା ବୃଦ୍ଧି ପାଇଁ ବିଦ୍ୟାଭାରତୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ଏହି ଆବେଦନର ଆଜି ଶୁଣାଣି ହୋଇଛି। ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ହାଜର ହେବାର ସମୟସୀମା ବଢ଼ାଇଛନ୍ତି।
ନୂଆ ନିର୍ଦ୍ଦେଶ ଅନୁଯାୟୀ, ବିଦ୍ୟାଭାରତୀଙ୍କୁ ଅକ୍ଟୋବର ୩୦ ସୁଦ୍ଧା ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ହାଜର ହେବାକୁ ପଡ଼ିବ। ଏହି ମାମଲାରେ ଏହି ନିର୍ଦ୍ଦେଶକୁ ବିଦ୍ୟାଭାରତୀଙ୍କ ପାଇଁ ଏକ ସାମୟିକ ଆଶ୍ୱସ୍ତି ଭାବେ ଦେଖାଯାଉଛି। ତେବେ ହାଇକୋର୍ଟଙ୍କ ନୂଆ ସମୟସୀମା ଅନୁସାରେ ତାଙ୍କୁ ଅକ୍ଟୋବର ୩୦ ସୁଦ୍ଧା ନିମ୍ନ ଅଦାଲତରେ ହାଜର ହେବାକୁ ହେବ।

