ନେପାଳରେ ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନର ଭୟଙ୍କର ରୂପ । ମୁସ୍ତାଙ୍ଗରେ ମାତ୍ର ୬ ସେକେଣ୍ଡରେ ପାହାଡ଼ର ଏକ ବଡ଼ ଅଂଶ କାଳୀ ଗଣ୍ଡକୀ ନଦୀରେ ଧସିପଡ଼ିଛି । ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବନ୍ୟା ଓ ଭୂସ୍ଖଳନରେ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ମୃତ୍ୟୁ ଓ ନିଖୋଜଙ୍କ ସଂଖ୍ୟା ବଢ଼ିଛି ।
ମାତ୍ର ୬ ସେକେଣ୍ଡ… ଏହି ୬ ସେକେଣ୍ଡ ଭିତରେ ବଦଳିଗଲା ପୂରା ଦୃଶ୍ୟ। ପାହାଡ଼ ଧସିଲା… ମାଟି ଓ ପଥର ତଳକୁ ଖସିଲା… ଆଉ ଦେଖୁ ଦେଖୁ ସବୁକିଛି ଯାଇ ମିଶିଗଲା ନଦୀରେ । ନେପାଳର ମୁସ୍ତାଙ୍ଗ ଜିଲ୍ଲାର ଲେଟେ ଅଞ୍ଚଳରୁ ଆସିଛି ଏହି ଭୟଙ୍କର ଦୃଶ୍ୟ। ପ୍ରବଳ ବର୍ଷା ପରେ ହଠାତ୍ ପାହାଡ଼ର ଏକ ବଡ଼ ଅଂଶ ଧସି କାଳୀ ଗଣ୍ଡକୀ ନଦୀ ଭିତରକୁ ଖସିପଡ଼ିଥିଲା । ଘଟଣା ସମୟରେ ଆଖପାଖରେ ଥିବା ଲୋକଙ୍କ ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି । ପ୍ରଥମେ ପାହାଡ଼ରୁ ଖସିଥିବା ମାଟି ଓ ପଥରରେ ନଦୀର ଜଳପଥ ଅବରୋଧ ହୋଇଥିଲା। ପରେ ପାଣି ନିଜ ପାଇଁ ରାସ୍ତା ତିଆରି କରି ପୁଣି ପ୍ରବାହିତ ହୋଇଥିଲା ।
ଦ୍ୱିତୀୟ ଦୃଶ୍ୟ:
ଆଉ ଏକ ଭିଡିଓରେ ଦେଖାଯାଉଛି ଆହୁରି ଭୟଙ୍କର ଚିତ୍ର । ପାହାଡ଼ ଢାଲରୁ ମାଟି ଖସି ତଳକୁ ଯାଉଛି। ଏହା ସହିତ ଗଛ ଓ ପଥର-କାଠରେ ତିଆରି ଏକ ଘର ମଧ୍ୟ ଭାସିଯାଉଛି । କ୍ୟାମେରା ପଛକୁ ଘୁରିବା ସମୟରେ ଲୋକଙ୍କ ଚିତ୍କାର ଶୁଣାଯାଉଛି । କେହି ଚିତ୍କାର କରି କହୁଛନ୍ତି— “ଘର ଗଇ ସକ୍ୟୋ”, ଅର୍ଥାତ୍ “ଘରଟା ଆଉ ରହିଲା ନାହିଁ”। ଜଣେ ମହିଳାଙ୍କୁ ମଧ୍ୟ ନିରାଶାରେ ଚିତ୍କାର କରୁଥିବା ଦେଖାଯାଉଛି ।
ବଡ଼ କ୍ଷୟକ୍ଷତି:
ନେପାଳରେ ଲଗାଣ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି । ବିଭିନ୍ନ ଜିଲ୍ଲାରେ ଏହି ବିପର୍ଯ୍ୟୟରେ ଅତିକମରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ନିଖୋଜ ଅଛନ୍ତି । ଗଣ୍ଡକୀ ପ୍ରଦେଶରେ କାଳୀ ଗଣ୍ଡକୀ ନଦୀର ଜଳସ୍ତର ଶନିବାରଠାରୁ ବଢ଼ିବା ଆରମ୍ଭ କରିଥିଲା। ଲଗାତାର ୩ ଦିନର ପ୍ରବଳ ବର୍ଷା ପରେ ରବିବାର ସକାଳେ ନଦୀର ଜଳସ୍ତର ବିପଦଜନକ ଭାବେ ବଢ଼ିଥିଲା । ମୁସ୍ତାଙ୍ଗ, ମ୍ୟାଗ୍ଦି, ପର୍ବତ ଓ ସ୍ୟାଙ୍ଗଜା ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି । ପର୍ବତ ଜିଲ୍ଲାର ଏକ ଗାଁରେ ତ ନଦୀ ପୂରା ବସତିକୁ ଭସାଇ ନେଇଥିବା ଖବର ଆସିଛି।
ଭୂସ୍ଖଳନ ଯୋଗୁଁ ଚିତୱନ ଯାଉଥିବା ରାଜପଥ ମଧ୍ୟ ଅବରୋଧ ହୋଇଛି। ଫଳରେ ଉଦ୍ଧାର ଓ ସର୍ଚ୍ଚ ଅପରେସନରେ ସମସ୍ୟା ସୃଷ୍ଟି ହୋଇଛି । ସୁରକ୍ଷାକର୍ମୀମାନେ ହଜାର ହଜାର ଲୋକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ।
ହିମଲୁଙ୍ଗ ହିମାଲରେ ଆଭାଲାଞ୍ଚ:
ଏହାରି ଭିତରେ ମାନାଙ୍ଗ ଜିଲ୍ଲାର ହିମଲୁଙ୍ଗ ହିମାଲ ବେସ୍ କ୍ୟାମ୍ପରେ ମଧ୍ୟ ଘଟିଛି ଅଘଟଣ । ରବିବାର ଆଭାଲାଞ୍ଚ ହେବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ନିଖୋଜ ଅଛନ୍ତି ବୋଲି ପୋଲିସ କହିଛି । ୭,୧୨୬ ମିଟର ଉଚ୍ଚ ଏହି ପର୍ବତର ନାର ଫୁ ଅଞ୍ଚଳରେ ଆଭାଲାଞ୍ଚ ହୋଇଥିଲା । ଏହାର ପ୍ରଭାବରେ ୯ ଜଣ ପର୍ବତାରୋହୀ ଓ ୧୩ ଜଣ ସହାୟକ କର୍ମଚାରୀ ଆଶ୍ରୟ ନେଇଥିବା ଏକ ଟେଣ୍ଟ ବରଫ ତଳେ ପୋତି ହୋଇଯାଇଥିଲା ।
ଆଙ୍କର ଆଉଟ୍ରୋ:
ନେପାଳରେ ପ୍ରକୃତିର ଏହି ତାଣ୍ଡବ ନୂଆ ନୁହେଁ। ପ୍ରାୟ ମାସକ ପୂର୍ବରୁ ଅଗଷ୍ଟ ୨୬ରେ ଭୋଟେକୋଶୀ ବନ୍ୟା ମଧ୍ୟ ଭୟଙ୍କର କ୍ଷୟକ୍ଷତି କରିଥିଲା । କର୍ତ୍ତୃପକ୍ଷଙ୍କ ଅନୁସାରେ, ସେହି ବନ୍ୟାରେ ଏପର୍ଯ୍ୟନ୍ତ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୬,୦୦୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଇଛି ।
ପ୍ରକୃତିର କରାଳ ରୂପ…
କେଇ ସେକେଣ୍ଡରେ ମାଟିରେ ମିଶିଯାଉଛି ବର୍ଷ ବର୍ଷର ଘର, ବସତି ଓ ଆଶା ।
ନେପାଳରୁ ଆସୁଥିବା ଏହି ଦୃଶ୍ୟ ଏବେ ସମଗ୍ର ଅଞ୍ଚଳରେ ଚିନ୍ତା ବଢ଼ାଇଛି ।

