ଭଦ୍ରକ ଚାନ୍ଦବାଲିର ମୁଁଆ ଗାଁରେ ବୈତରଣୀ ନଦୀର ବନ୍ୟା ପାଣିରେ ଗୋଲେଖ ଦାସ ଭାସିଯାଇ ନିଖୋଜ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୩ ଜଣ ମଧ୍ୟ ଭାସିଯାଇ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକେ ଡଙ୍ଗା ଯୋଗେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରି ସନ୍ଧାନ ମିଳିନାହିଁ।
ବନ୍ୟା ପାଣିରେ ଜଣେ ଭାସିଯିବା ପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୩ ଜଣ ନିଖୋଜ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୈତରଣୀ ନଦୀ ନିକଟସ୍ଥ ମୁଁଆ ଗାଁରେ ବନ୍ୟା ପାଣି ରାସ୍ତା ଉପରେ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ତାହା ପାର ହେଉଥିବା ସମୟରେ ଭାସିଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗୋଲେଖ ଦାସ ବନ୍ୟା ପାଣିରେ ରାସ୍ତା ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ଆଉ କିଛି ଲୋକ ପାଣି ଭିତରକୁ ଯାଇଥିଲେ।
ହେଲେ ଉଦ୍ଧାର କରିବାକୁ ଯାଇଥିବା ୩ ଜଣ ମଧ୍ୟ ବନ୍ୟା ପାଣିରେ ଭାସିଯାଇ ନିଖୋଜ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନିଖୋଜ ୪ ଜଣଙ୍କୁ ଖୋଜିବା ପାଇଁ ସ୍ଥାନୀୟ ଲୋକେ ଡଙ୍ଗା ସହାୟତାରେ ନଦୀ ଓ ବନ୍ୟା ପାଣିରେ ଖୋଜାଖୋଜି ଜାରି ରଖିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା କାହାରି ସନ୍ଧାନ ମିଳିନଥିବା ଜଣାପଡ଼ିଛି । ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଚାନ୍ଦବାଲି ଅଞ୍ଚଳର ଅନେକ ସ୍ଥାନରେ ପାଣିର ସ୍ରୋତ ବଢ଼ିଥିବା ବେଳେ ବନ୍ୟା ପାଣିରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏଭଳି ସ୍ଥିତିରେ ପାଣି ଭିତରକୁ ପଶି ରାସ୍ତା ପାର ହେବା ବିପଦଜନକ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ସେହି ସ୍ଥାନରେ ପୂର୍ବରୁ ମଧ୍ୟ ବନ୍ୟା ସମୟରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ପୂର୍ବ ବନ୍ୟାରେ ଜଣେ ବ୍ୟକ୍ତି ପାଣିରେ ଭାସିଯାଇଥିବା ବେଳେ ପ୍ରାୟ ୪ ଘଣ୍ଟା ପରେ ତାଙ୍କୁ ଡଙ୍ଗା ସହାୟତାରେ ଉଦ୍ଧାର କରାଯାଇଥିଲା। ଏବେ ପୁଣି ସେହି ଅଞ୍ଚଳରେ ୪ ଜଣ ନିଖୋଜ ହେବା ଘଟଣା ଚିନ୍ତା ବଢ଼ାଇଛି । ନିଖୋଜ ବ୍ୟକ୍ତିମାନଙ୍କ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଥିବା ବେଳେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଅଭିଯାନ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି ।

