IIT ବମ୍ବେରେ ଦୁଃଖଦ ଘଟଣା । ପରୀକ୍ଷା ସମୟରେ ମୋବାଇଲ୍ ଫୋନ୍ରେ ChatGPT ବ୍ୟବହାର କରୁଥିବା ଜଣେ ଦ୍ୱିତୀୟ ବର୍ଷର ଛାତ୍ର ପରେ ହଷ୍ଟେଲ୍ ରୁମ୍ରେ ମୃତ ଅବସ୍ଥାରେ ଠାବ ହୋଇଛନ୍ତି ।
IIT ବମ୍ବେରେ ଦୁଃଖଦ ଘଟଣା । ପରୀକ୍ଷା ସମୟରେ ମୋବାଇଲ୍ ଫୋନ୍ରେ ChatGPT ବ୍ୟବହାର କରୁଥିବା ଜଣେ ଦ୍ୱିତୀୟ ବର୍ଷର ଛାତ୍ର ପରେ ହଷ୍ଟେଲ୍ ରୁମ୍ରେ ମୃତ ଅବସ୍ଥାରେ ଠାବ ହୋଇଛନ୍ତି । ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା IIT ବମ୍ବେ ପକ୍ଷରୁ କୁହାଯାଇଛି । ଘଟଣା ପରେ କ୍ୟାମ୍ପସ୍ରେ ଛାତ୍ରମାନେ ପ୍ରତିବାଦ କରିଥିବା ମଧ୍ୟ ଜଣାପଡ଼ିଛି ।
ମୃତ ଛାତ୍ର ଜଣକ IIT ବମ୍ବେର Department of Energy Science and Engineeringର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । IIT ବମ୍ବେର ସୂଚନା ଅନୁସାରେ, ଘଟଣାର ଦିନ ପରୀକ୍ଷା ଚାଲିଥିବା ସମୟରେ ଛାତ୍ରଜଣକ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ବେଳେ ଧରାପଡ଼ିଥିଲେ । ସେ ପରୀକ୍ଷା ପ୍ରଶ୍ନପତ୍ରକୁ ChatGPTରେ ଅପଲୋଡ୍ କରି ଉତ୍ତର ପାଇବାକୁ ଚେଷ୍ଟା କରୁଥିବା ସଂସ୍ଥା କହିଛି ।
ତେବେ ଏହି ଘଟଣା ପରେ ଛାତ୍ରଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇନଥିଲା ବୋଲି IIT ବମ୍ବେ ସ୍ପଷ୍ଟ କରିଛି। ଘଟଣା ସମ୍ପର୍କରେ ତାଙ୍କ ଇନ୍ଷ୍ଟ୍ରକ୍ଟର ଏବଂ ବିଭାଗୀୟ ମୁଖ୍ୟ ଛାତ୍ରଙ୍କ ସହ କଥା ହୋଇଥିଲେ। ତାଙ୍କୁ କାଉନସେଲିଂ କରାଯିବା ସହ ଏହି ଘଟଣା ତାଙ୍କ ଏକାଡେମିକ୍ କ୍ୟାରିୟର୍କୁ ପ୍ରଭାବିତ କରିବ ନାହିଁ ବୋଲି ଆଶ୍ୱାସନ ଦିଆଯାଇଥିଲା।
ଏହାପରେ ଛାତ୍ରଜଣକ ନିଜ ହଷ୍ଟେଲ୍ ରୁମ୍କୁ ଫେରିଥିଲେ। କିନ୍ତୁ ପରେ ସନ୍ଧ୍ୟା ସମୟରେ ତାଙ୍କୁ ରୁମ୍ ଭିତରେ ମୃତ ଅବସ୍ଥାରେ ଠାବ କରାଯାଇଥିଲା । ଛାତ୍ରଙ୍କ ମୃତ୍ୟୁକୁ ନେଇ IIT ବମ୍ବେ ଗଭୀର ଦୁଃଖ ପ୍ରକାଶ କରିଛି । ତାଙ୍କ ବନ୍ଧୁ, ସହପାଠୀ, ଶିକ୍ଷକ ଏବଂ ଘଟଣାରେ ପ୍ରଭାବିତ ଅନ୍ୟମାନଙ୍କୁ ସଂସ୍ଥା ପକ୍ଷରୁ ସହାୟତା ଦିଆଯାଉଥିବା କୁହାଯାଇଛି ।
ଛାତ୍ରଙ୍କ ମୃତ୍ୟୁର ପ୍ରକୃତ ପରିସ୍ଥିତି ଓ କାରଣ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି। ତେଣୁ ChatGPT ବ୍ୟବହାର କରି ଧରାପଡ଼ିବା ଏବଂ ତାଙ୍କ ମୃତ୍ୟୁ ମଧ୍ୟରେ ସିଧାସଳଖ କାରଣ-ସମ୍ପର୍କ ସ୍ଥାପିତ ହୋଇଛି ବୋଲି କୁହାଯାଇନାହିଁ । ଏହି ଘଟଣା ମଧ୍ୟରେ IIT ଦିଲ୍ଲୀରେ ମଧ୍ୟ ଏକ ଅନ୍ୟ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା । ଅଗଷ୍ଟ ୨୨ରେ ୩୧ ବର୍ଷୀୟ ଜଣେ MSc Physics ଛାତ୍ର କ୍ୟାମ୍ପସ୍ର ଲେକ୍ଚର୍ ହଲ୍ କମ୍ପ୍ଲେକ୍ସର ଷଷ୍ଠ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା କହିଥିଲା ।

