‘ରାସ୍ତା ନାହିଁ ତ ଭୋଟ୍ ନାହିଁ’! ସିନ୍ଧିଆଙ୍କୁ ଲୋକଙ୍କ ଚେତାବନୀ

ମଧ୍ୟପ୍ରଦେଶର ଗୁନାରେ ଦୀର୍ଘଦିନର ରାସ୍ତା ଦାବିକୁ ନେଇ ସ୍ଥାନୀୟ ଲୋକେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାରକେଡ୍ ଅଟକାଇ ‘ରାସ୍ତା ନାହିଁ ତ ଭୋଟ୍ ନାହିଁ’ ନାରା ଦେଇଥିଲେ। ଏହାକୁ ନେଇ ସିନ୍ଧିଆ ଲୋକଙ୍କୁ ଅନୁରୋଧ କରି ସମସ୍ୟା ଜଣାଇବାକୁ କହିଥିଲେ।

 ମଧ୍ୟପ୍ରଦେଶର ଗୁନାରେ ରାସ୍ତାକୁ ନେଇ ହାଇଭୋଲଟେଜ୍ ଦୃଶ୍ୟ । ‘ରାସ୍ତା ନାହିଁ ତ ଭୋଟ୍ ନାହିଁ’ ବୋଲି ନାରା ଦେଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାରକେଡ୍‌କୁ ଅଟକାଇଲେ ସ୍ଥାନୀୟ ଲୋକ । ରାସ୍ତା ନିର୍ମାଣରେ ବିଳମ୍ବକୁ ନେଇ ଲୋକେ ନିଜର ଅସନ୍ତୋଷ ଜଣାଇଥିଲେ । ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।  ଘଟଣାଟି ଗୁନାର ଗୁଲାବଗଞ୍ଜ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ସିନ୍ଧିଆ ସେହି ଅଞ୍ଚଳ ଦେଇ ଯାଉଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ତାଙ୍କ କାରକେଡ୍‌କୁ ଅଟକାଇ ରାସ୍ତା ସମସ୍ୟା ନେଇ ଅଭିଯୋଗ କରିଥିଲେ । ଲୋକଙ୍କ ଅଭିଯୋଗ ଥିଲା, ଦୀର୍ଘଦିନ ଧରି ରାସ୍ତା ନିର୍ମାଣ ଓ ମରାମତି ଦାବି ହେଉଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । 

ଏହି ସମୟରେ ଜଣେ ବ୍ୟକ୍ତି କହିଥିଲେ, ଏଥର ରାସ୍ତା ନିର୍ମାଣ ହୋଇଯିବା ଦରକାର । ନଚେତ୍ ନିର୍ବାଚନ ସମୟରେ ଭୋଟ୍ ଦେବେ ନାହିଁ। ଅର୍ଥାତ୍ ଲୋକଙ୍କ ପକ୍ଷରୁ ‘ରୋଡ୍ ନାହିଁ ତ ଭୋଟ୍ ନାହିଁ’ ବାର୍ତ୍ତା ଦିଆଯାଇଥିଲା।   ଲୋକଙ୍କ ଏହି କଥା ଶୁଣି ସିନ୍ଧିଆ କଡ଼ା ପ୍ରତିକ୍ରିୟା ଦେଇଥିଲେ। ଭାଇରାଲ୍ ଭିଡିଓରେ ସେ ଏଭଳି ଭାଷା ବ୍ୟବହାର ନକରି ତାଙ୍କ ନିକଟକୁ ଆସି ସମସ୍ୟା ଜଣାଇବାକୁ କହୁଥିବା ଶୁଣିବାକୁ ମିଳୁଛି। ରାସ୍ତା ନିର୍ମାଣ କରାଇବା ତାଙ୍କ ଦାୟିତ୍ୱ ବୋଲି ମଧ୍ୟ ସେ କହିଥିଲେ । 

ତେବେ ଏହି ବାକ୍‌ବିତଣ୍ଡା ପରେ ରାସ୍ତାକୁ ନେଇ ଆସିଲା ବଡ଼ ଘୋଷଣା। ପରବର୍ତ୍ତୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଗୁଲାବଗଞ୍ଜ-କ୍ୟାଣ୍ଟ ଚୌମୁହାଣୀ ରାସ୍ତା ପାଇଁ ୩ କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ସିନ୍ଧିଆ ଘୋଷଣା କରିଥିଲେ। ଏହି ଅର୍ଥର ବ୍ୟବସ୍ଥା ବିଶେଷ ନିଧିରୁ କରାଯିବ ବୋଲି ରିପୋର୍ଟରେ କୁହାଯାଇଛି।  ଏହାସହ ଜିଲ୍ଲାପାଳଙ୍କୁ ରାସ୍ତାର ଏଷ୍ଟିମେଟ୍ ଓ ଟେଣ୍ଡର ପ୍ରକ୍ରିୟା ଶୀଘ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଶେଷ ହେବା ପରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *