UPI କାରବାରରେ MDR ଢାଞ୍ଚାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ବଢ଼ିଛି। ସଂସଦୀୟ ଅର୍ଥ ସ୍ଥାୟୀ କମିଟିରେ ଥିବା ୫ କଂଗ୍ରେସ ସାଂସଦ ସୁପାରିସ୍କୁ ସମର୍ଥନ କରିଥିବା ବିଜେପି ଦାବି କରିଛି, ଯେତେବେଳେ ରାହୁଲ ଗାନ୍ଧୀ ପ୍ରସ୍ତାବିତ MDRକୁ ବିରୋଧ କରିଛନ୍ତି ।
ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) କାରବାର ଉପରେ ପ୍ରସ୍ତାବିତ ନୂଆ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR)କୁ ନେଇ କଂଗ୍ରେସ ଓ କେନ୍ଦ୍ର ସରକାର ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରସ୍ତାବିତ MDR ଢାଞ୍ଚାକୁ ବିରୋଧ କରି ଏହାକୁ ‘ମୋଦୀ ଟିକସ’ ବୋଲି ଅଭିହିତ କରିଛନ୍ତି । ଅନ୍ୟପଟେ, ସଂସଦୀୟ ଅର୍ଥ ସଂକ୍ରାନ୍ତୀୟ ସ୍ଥାୟୀ କମିଟିର ସୁପାରିସ୍କୁ ଆଧାର କରି ବିଜେପି କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛି ।
ବିଜେପିର ଦାବି ଅନୁସାରେ, ଅର୍ଥ ସଂକ୍ରାନ୍ତୀୟ ସଂସଦୀୟ ସ୍ଥାୟୀ କମିଟିରେ ଥିବା ୫ ଜଣ କଂଗ୍ରେସ ସାଂସଦ UPI ପାଇଁ MDR କିମ୍ବା ରାଜସ୍ୱ ଢାଞ୍ଚା ସମ୍ପର୍କିତ ସୁପାରିସ୍କୁ ସମର୍ଥନ କରିଥିଲେ। ଏହି ସାଂସଦମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍, ମନୀଷ ତିୱାରୀ, ଗୌରବ ଗୋଗୋଇ, କିଶୋରୀ ଲାଲ ଏବଂ କେ. ଗୋପୀନାଥଙ୍କ ନାଁ ରହିଛି ।
ବିଜେପି ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧୨ରେ କମିଟି ରିପୋର୍ଟ ଗ୍ରହଣ କରିବା ସମୟରେ ଏହି ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରକାଶିତ ବିବରଣୀରେ ସେମାନଙ୍କ ପକ୍ଷରୁ କୌଣସି ଅସହମତି ଲିପିବଦ୍ଧ ହୋଇନଥିବା ମଧ୍ୟ ବିଜେପି ଦାବି କରିଛି। ଏହି ଆଧାରରେ ଦଳ ପ୍ରଶ୍ନ କରିଛି ଯେ, ସଂସଦୀୟ କମିଟିରେ ଏଭଳି ସୁପାରିସ୍ ଥିବାବେଳେ କଂଗ୍ରେସ ଏବେ ଏହାକୁ କାହିଁକି ବିରୋଧ କରୁଛି । କମିଟିର ଅଧ୍ୟକ୍ଷତା ବିଜେପି ସାଂସଦ ଭର୍ତ୍ତୃହରି ମହତାବ କରୁଥିଲେ। କମିଟି UPI ପାଇଁ ଏକ ସ୍ତରୀୟ MDR କିମ୍ବା ରାଜସ୍ୱ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିବା ଜଣାପଡ଼ିଛି । ଏହି ଢାଞ୍ଚାକୁ ଅଧିକ ବିଳମ୍ବ ନକରି ଲାଗୁ କରିବା ଦିଗରେ ପଦକ୍ଷେପ ନେବାକୁ କମିଟି ସୁପାରିସ୍ କରିଥିବା ବିଜେପି ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ, ରାହୁଲ ଗାନ୍ଧୀ UPI ଉପରେ ନୂଆ MDR ଲାଗୁ କରାଯିବାକୁ ବିରୋଧ କରି ଏହାର ପ୍ରତ୍ୟାହାର ଦାବି କରିଛନ୍ତି। ତେଣୁ ସଂସଦୀୟ କମିଟିର ସୁପାରିସ୍ ଓ କଂଗ୍ରେସର ବର୍ତ୍ତମାନର ରାଜନୈତିକ ଆଭିମୁଖ୍ୟକୁ ନେଇ ବିଜେପି ପକ୍ଷରୁ ପ୍ରଶ୍ନ ଉଠାଯାଇଛି । UPI ଦେୟ ବ୍ୟବସ୍ଥାରେ MDR ହେଉଛି ବ୍ୟବସାୟୀଙ୍କ ଡିଜିଟାଲ୍ କାରବାର ଉପରେ ଲାଗୁ ହେଉଥିବା ଏକ ଚାର୍ଜ। ଏହାର ଢାଞ୍ଚା ନିର୍ଦ୍ଧାରଣକୁ ନେଇ ଏବେ ଆର୍ଥିକ ଓ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

