ରାଜଭାଷା ସମ୍ମିଳନୀରେ ଶାହଙ୍କ ବଡ଼ ବାର୍ତ୍ତା, ଭାରତୀୟ ଭାଷାର ବିକାଶ ପାଇଁ ଏକାଠି ହେବାକୁ ଆହ୍ୱାନ

ସେ କହିଛନ୍ତି ଯେ, ସାଂସ୍କୃତିକ ଜାତୀୟତାବାଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ସଂସ୍କୃତି ଓ ଇତିହାସ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ସୋମବାର ସାଂସ୍କୃତିକ ଜାତୀୟତାବାଦ ଏବଂ ଭାରତୀୟ ଭାଷାର ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ସାଂସ୍କୃତିକ ଜାତୀୟତାବାଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ସଂସ୍କୃତି ଓ ଇତିହାସ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଦେଶର ବିବିଧ ଭାଷାର ସ୍ୱର ଆଲଗା ହୋଇପାରେ, ମାତ୍ର ଜାତୀୟ ଭାବନା ଏବଂ ଭାରତୀୟତା ସର୍ବଦା ଏକ ରହିବା ଉଚିତ । ଜଣେ ଶିଶୁ ନିଜ ଦେଶକୁ ତା’ର ମାତୃଭାଷା ମାଧ୍ୟମରେ ହିଁ ଭଲ ଭାବରେ ବୁଝିପାରେ । ତେଣୁ ଭାରତୀୟ ଭାଷାଗୁଡ଼ିକର ବିକାଶ ଓ ପ୍ରୋତ୍ସାହନ ପାଇଁ ସମସ୍ତ ରାଜନୈତିକ ମତଭେଦକୁ ଭୁଲି ଏକାଠି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଷଷ୍ଠ ସର୍ବଭାରତୀୟ ରାଜଭାଷା ସମ୍ମିଳନୀକୁ ସମ୍ବୋଧିତ କରି ଶାହ କହିଥିଲେ ଯେ, ମହାରାଷ୍ଟ୍ରରେ ଦେଶର ସବୁଠାରୁ ବୃହତ୍ ବହୁଭାଷୀ ସଂସ୍କୃତି ଦେଖିବାକୁ ମିଳେ । ଏଠାରେ ମରାଠୀ, କୋଙ୍କଣୀ, ଗୁଜରାଟୀ, ସିନ୍ଧି, ହିନ୍ଦୀ, କନ୍ନଡ ଓ ୱାର୍ଲି ଭଳି ଅନେକ ଭାଷା କଥିତ ଓ ବିକଶିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇ ସମ୍ମାନିତ କରିଛନ୍ତି ।

ରାଷ୍ଟ୍ରୀୟ ଶିକ୍ଷା ନୀତି (NEP) ଅଧୀନରେ ମାତୃଭାଷାରେ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଏକ ଭାରତୀୟ ଭାଷା ଶିଖିବା ବ୍ୟବସ୍ଥା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ମାତୃଭାଷା ବ୍ୟତୀତ ଅନ୍ୟ ଏକ ଆଞ୍ଚଳିକ ଭାଷା ଶିଖିବା ନୀତିକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ନିଜ ଅଜ୍ଞାତରେ ଏକ ବଡ଼ ଭୁଲ୍ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ହିନ୍ଦୀକୁ ଅନ୍ୟ ଭାଷା ସହ ପ୍ରତିଦ୍ୱନ୍ଦ୍ୱୀ ନଭାବି, ଭାରତୀୟ ଭାଷାଗୁଡ଼ିକୁ ଯୋଡ଼ିବାର ମାଧ୍ୟମ ଭାବେ ଗ୍ରହଣ କରିବାକୁ ଶାହ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ ମଧ୍ୟ କହିଥିଲେ ଯେ ‘ବନ୍ଦେ ମାତରମ୍‌’କୁ ଏହାର ପୂର୍ଣ୍ଣ ଗୌରବ ଓ ସମ୍ମାନ ଫେରାଇବା ପାଇଁ ଦେଶକୁ ଦୀର୍ଘ ୮୦ ବର୍ଷ ସମୟ ଲାଗିଥିଲା ।

Leave a Reply

Your email address will not be published. Required fields are marked *