ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହମତି ହାସଲ କରି ଭାରତ ନିଜର କୂଟନୈତିକ ଦକ୍ଷତା ପ୍ରଦର୍ଶନ କରିଛି। ‘ନୂଆଦିଲ୍ଲୀ ଘୋଷଣାନାମା’କୁ ସଦସ୍ୟ ଦେଶଗୁଡ଼ିକ ଗ୍ରହଣ କରିଥିବା ବେଳେ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ବିଶ୍ୱ ରାଜନୀତିର ଉତ୍ତେଜନାପୂର୍ଣ୍ଣ ପରିବେଶ ଓ ଗଭୀର ମତଭେଦ ମଧ୍ୟରେ ଭାରତ ହାସଲ କରିଛି ଏକ ଐତିହାସିକ କୂଟନୈତିକ ସଫଳତା । ନୂଆଦିଲ୍ଲୀରେ ଆୟୋଜିତ ୧୮ତମ ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଏକମତ କରାଇ ଭାରତ ବିଶ୍ୱ ଦରବାରରେ ନିଜ ନେତୃତ୍ୱର ଦୃଢ଼ ପ୍ରମାଣ ଦେଇଛି । ଏହି ସମ୍ମିଳନୀର ସବୁଠାରୁ ବଡ଼ ଉପଲବ୍ଧି ଥିଲା ‘ନୂଆଦିଲ୍ଲୀ ଘୋଷଣାନାମା’, ଯାହାକୁ ସମସ୍ତ ୧୧ଟି ସଦସ୍ୟ ରାଷ୍ଟ୍ର ସର୍ବସମ୍ମତିକ୍ରମେ ଗ୍ରହଣ କରିଛନ୍ତି । ବିଶ୍ୱ ଅସ୍ଥିରତା ଭିତରେ ଏଭଳି ସହମତି ସୃଷ୍ଟି କରିବା ଭାରତର ଦୂରଦୃଷ୍ଟିସମ୍ପନ୍ନ କୂଟନୀତିର ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି ।
ଏହି ସମ୍ମିଳନୀ ଆୟୋଜନ ବେଳେ ଭାରତ ଆଗରେ ଅନେକ ଜଟିଳ ଆହ୍ୱାନ ରହିଥିଲା । ପାଶ୍ଚାତ୍ୟ ଦେଶଗୁଡ଼ିକ ସହିତ ରୁଷ-ଚୀନ୍ର ତିକ୍ତତା ଯୋଗୁଁ ଏହି ମଞ୍ଚ ଆମେରିକା ବିରୋଧୀ ଗୋଷ୍ଠୀରେ ପରିଣତ ହୋଇଯିବାର ଆଶଙ୍କା ଥିଲା । କିନ୍ତୁ ଭାରତ ଏହାକୁ ଅତ୍ୟନ୍ତ ସତର୍କତାର ସହ ପରିଚାଳନା କରି ଏକ ପାଶ୍ଚାତ୍ୟ-ନିରପେକ୍ଷ, ସନ୍ତୁଳିତ ତଥା ବିକାଶମୁଖୀ ମଞ୍ଚ ଭାବେ ବଜାୟ ରଖିବାରେ ସଫଳ ହୋଇଛି । ଏହାସହ ‘ଗ୍ଲୋବାଲ ସାଉଥ’ ବା ବିକାଶଶୀଳ ଦେଶଗୁଡ଼ିକର ସ୍ୱରକୁ ବିଶ୍ୱସ୍ତରରେ ଦୃଢ଼ତାର ସହ ଉପସ୍ଥାପନ କରିଛି । ସବୁଠାରୁ ବଡ଼ କଥା ହେଉଛି, ଚୀନ୍ର ଉପସ୍ଥିତି ସତ୍ତ୍ୱେ ଆତଙ୍କବାଦ ବିରୋଧରେ ‘ଜିରୋ ଟଲରାନ୍ସ’ ବା ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସମସ୍ତ ସଦସ୍ୟଙ୍କୁ ରାଜି କରାଇ ଭାରତ ନିଜର ପ୍ରଭାବ ସାବ୍ୟସ୍ତ କରିଛି ।
ଅନ୍ୟପକ୍ଷରେ, ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତିକୁ ନେଇ ଇରାନ ଏବଂ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ମଧ୍ୟରେ ଲାଗିରହିଥିବା ତିକ୍ତତା ମଧ୍ୟରେ ଭାରତର କୂଟନୈତିକ ଦକ୍ଷତା ପ୍ରଶଂସା ସାଉଁଟିଛି । ପୂର୍ବ ବୈଠକରେ ଉଭୟ ଦେଶ ମଧ୍ୟରେ ମତଭେଦ ଦେଖାଦେଇଥିବା ବେଳେ ଭାରତର ମଧ୍ୟସ୍ଥତା ଓ ପ୍ରୟାସ ବଳରେ ଉଭୟ ରାଷ୍ଟ୍ର ଏକାଠି ବସି ବ୍ରିକ୍ସରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି । ଯୁଦ୍ଧ ଓ ଆର୍ଥିକ ଅନିଶ୍ଚିତତା ଭିତରେ ପରସ୍ପର ବିରୋଧୀ ମନୋଭାବ ଥିବା ଦେଶଗୁଡ଼ିକୁ ଗୋଟିଏ ଟେବୁଲରେ ବସାଇବା ଭାରତ ପାଇଁ ଏକ ଅସାଧାରଣ ଉପଲବ୍ଧି ।
ଆଗାମୀ ୨୦୨୭ ବର୍ଷ ପାଇଁ ଚୀନ୍ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଥିବା ବେଳେ, ତା’ ପୂର୍ବରୁ ନୂଆଦିଲ୍ଲୀ ସମ୍ମିଳନୀ ଜରିଆରେ ଭାରତ ସଂଗଠନର ମୂଳଦୁଆକୁ ଏକ ସକାରାତ୍ମକ ଦିଗ ଦେଇଛି । ବିଶ୍ୱ ରାଜନୀତିରେ ନିଜର ସନ୍ତୁଳିତ ଆଭିମୁଖ୍ୟ ବଜାୟ ରଖି ଏତେ ବଡ଼ ବହୁପାକ୍ଷିକ ସଂଗଠନକୁ ଏକ ସୂତ୍ରରେ ବାନ୍ଧି ରଖିବା ପ୍ରମାଣିତ କରିଛି ଯେ, ବର୍ତ୍ତମାନର ବିଶ୍ୱ ବ୍ୟବସ୍ଥାରେ ଭାରତ କେବଳ ଏକ ଅଂଶୀଦାର ନୁହେଁ, ବରଂ ଜଣେ ପ୍ରଭାବଶାଳୀ ନେତୃତ୍ୱକାରୀ ।

