ବାପ୍ପାଙ୍କ ଦର୍ଶନ କଲେ ମୋଦୀ, ପୀୟୂଷ ଗୋୟଲଙ୍କ ଘରେ ଗଣେଶ ପୂଜାରେ ହେଲେ ସାମିଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଗଣପତି ବାପ୍ପାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଏହା ସହ ସେମାନେ ଦେଶବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ।

ଗଣେଶ ଚତୁର୍ଥୀ ଅବସରରେ ସାରା ଦେଶରେ ଭକ୍ତି ଓ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଗଣପତି ବାପ୍ପାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଏହା ସହ ସେମାନେ ଦେଶବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ବାସଭବନରେ ପହଞ୍ଚି ଗଣପତି ବାପ୍ପାଙ୍କ ଦର୍ଶନ କରିଥିଲେ । ସେଠାରେ ସେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ। ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଏନେଇ ସୂଚନା ଦେଇଥିଲେ।  ଭଗବାନ ଗଣେଶ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ କଲ୍ୟାଣ ଆଣନ୍ତୁ ବୋଲି ସେ କାମନା କରିଥିଲେ ।

ଗଣେଶ ଚତୁର୍ଥୀ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମଧ୍ୟ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ସେ ମହାରାଷ୍ଟ୍ର ସଦନ ଯାଇ ଗଣପତି ବାପ୍ପାଙ୍କ ଦର୍ଶନ କରିଥିଲେ । ପରେ ପୀୟୂଷ ଗୋୟଲଙ୍କ ବାସଭବନରେ ପହଞ୍ଚି ପୂଜା କରିଥିଲେ । ଗଣେଶ ଚତୁର୍ଥୀର ଆସ୍ଥା ଓ ଉତ୍ସାହ ଅନନ୍ୟ ବୋଲି କହିବା ସହ ଏହି ପର୍ବ ଲୋକଙ୍କୁ ଏକାଠି କରେ ବୋଲି ସେ କହିଥିଲେ ।

ଅନ୍ୟପକ୍ଷରେ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗଣପତିଙ୍କ ଦର୍ଶନ କରିଥିଲେ । ପତ୍ନୀଙ୍କ ସହ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ବାସଭବନରେ ପହଞ୍ଚି ପୂଜା କରିଥିଲେ । ଏହାପରେ ସେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାସଭବନରେ ମଧ୍ୟ ଗଣପତିଙ୍କ ଦର୍ଶନ କରିଥିଲେ । ଅମିତ ଶାହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ମଧ୍ୟ ଦର୍ଶନ କରିଥିଲେ। ସେଠାରେ ପୂଜା କରି ‘ଗଣପତି ବାପ୍ପା ମୋରୟା’ ଜୟଧ୍ୱନି ଦେଇଥିଲେ । ସେ କହିଥିଲେ, ଲକ୍ଷ ଲକ୍ଷ ଭକ୍ତ ସାରାବର୍ଷ ଲାଲବାଗଚା ରାଜାଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥାନ୍ତି। ଏହି ଅବସରରେ ସେ ଦେଶବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ବାପ୍ପାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *