ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପ୍ରଶିକ୍ଷକ; ଇତିହାସରେ ପ୍ରଥମ

ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟତାପ୍ରାପ୍ତ ଉଡ଼ାଣ ପ୍ରଶିକ୍ଷକ ୱେଲ୍ସସ୍ଥିତ ୟୁକେ ରୟାଲ୍ ଏୟାରଫୋର୍ସ ଭ୍ୟାଲିରେ ନିୟୋଜିତ ହୋଇଛନ୍ତି, ଯେଉଁମାନେ ବ୍ରିଟେନର ରୟାଲ୍ ଏୟାରଫୋର୍ସ ପାଇଲଟମାନଙ୍କୁ ତାଲିମ ପ୍ରଦାନ କରିବେ ।

ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପିତ ହୋଇଛି । ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟତାପ୍ରାପ୍ତ ଉଡ଼ାଣ ପ୍ରଶିକ୍ଷକ ୱେଲ୍ସସ୍ଥିତ ୟୁକେ ରୟାଲ୍ ଏୟାରଫୋର୍ସ ଭ୍ୟାଲିରେ ନିୟୋଜିତ ହୋଇଛନ୍ତି, ଯେଉଁମାନେ ବ୍ରିଟେନର ରୟାଲ୍ ଏୟାରଫୋର୍ସ ପାଇଲଟମାନଙ୍କୁ ତାଲିମ ପ୍ରଦାନ କରିବେ ।

ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ (X)ରେ ଏହି ସୂଚନା ଦିଆଯିବା ସହ ଏହାକୁ ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ, ସାମରିକ ଦକ୍ଷତା ଏବଂ ଆନ୍ତଃ-ପରିଚାଳନାଗତ ସହଯୋଗ ବୃଦ୍ଧି କ୍ଷେତ୍ରରେ ଏକ “ଐତିହାସିକ ପ୍ରଥମ ପଦକ୍ଷେପ” ବୋଲି ବର୍ଣ୍ଣନା କରାଯାଇଛି । ସୂଚନାଯୋଗ୍ୟ ଯେ, ଆରଏଏଫ୍ ଭ୍ୟାଲି ହେଉଛି ବ୍ରିଟେନ୍ ବାୟୁସେନାର ଏକ ପ୍ରମୁଖ ତାଲିମ କେନ୍ଦ୍ର ।

ଗତବର୍ଷ ଅକ୍ଟୋବରରେ ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମରଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ସହଯୋଗ ନେଇ ସମ୍ମତି ପ୍ରକାଶ ପାଇଥିଲା । ଏହି ଆଲୋଚନାରେ ଦୁଇ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ଯୁଗ୍ମ ସାମରିକ ଅଭ୍ୟାସ, ତାଲିମ ଏବଂ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାବ୍ୟତୀତ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ୟୁକେ ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନାଥନ ପାୱେଲଙ୍କ ସହ ଦ୍ୱିପାକ୍ଷିକ ସୁରକ୍ଷା ନେଇ ଆଲୋଚନା କରିସାରିଛନ୍ତି । ଏହି ପଦକ୍ଷେପ ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ଓ ସାମରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ।

Leave a Reply

Your email address will not be published. Required fields are marked *