ଖୁଜଦାର୍ ଜିଲ୍ଲାରେ ଦୁଇଟି ପୃଥକ୍ ଘଟଣାରେ ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୫ ଜଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବଲୁଚିସ୍ତାନ ନ୍ୟାସନାଲ ପାର୍ଟି ଏହି ହତ୍ୟାକାଣ୍ଡ ପାଇଁ ପାକିସ୍ତାନ ସୁରକ୍ଷାବାହିନୀକୁ ସିଧାସଳଖ ଦାୟୀ କରିଥିବା ‘ବଲୁଚିସ୍ତାନ ପୋଷ୍ଟ’ ରିପୋର୍ଟରୁ ପ୍ରକାଶ ପାଇଛି ।
ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ଅଞ୍ଚଳରେ ପୁଣି ସାଧାରଣ ନାଗରିକଙ୍କ ଉପରେ ଅତ୍ୟାଚାରର ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ଖୁଜଦାର୍ ଜିଲ୍ଲାରେ ଦୁଇଟି ପୃଥକ୍ ଘଟଣାରେ ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୫ ଜଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବଲୁଚିସ୍ତାନ ନ୍ୟାସନାଲ ପାର୍ଟି ଏହି ହତ୍ୟାକାଣ୍ଡ ପାଇଁ ପାକିସ୍ତାନ ସୁରକ୍ଷାବାହିନୀକୁ ସିଧାସଳଖ ଦାୟୀ କରିଥିବା ‘ବଲୁଚିସ୍ତାନ ପୋଷ୍ଟ’ ରିପୋର୍ଟରୁ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ରାତି ପ୍ରାୟ ୧୦ଟା ସମୟରେ ୱାଧ ତହସିଲର ଏକ ଆବାସିକ ଘରେ ଫ୍ରଣ୍ଟିୟର୍ କର୍ପସ୍ (FC) କର୍ମଚାରୀମାନେ ଚଢାଉ କରି ୪ ଜଣ ଲୋକଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ କ୍ବେଟା-କରାଚୀ ହାଇୱେ ଅବରୋଧ କରି ପ୍ରତିବାଦ କରିଥିଲେ । ପ୍ରତିବାଦ ସମୟରେ ଫ୍ରଣ୍ଟିୟର୍ କର୍ପସ୍ ପକ୍ଷରୁ ପୁଣି ଥରେ ନାଗରିକଙ୍କ ଉପରେ ଗୁଳିଚାଳନା କରାଯାଇଥିବା ଅଭିଯୋଗ ହୋଇଛି ।
ବଲୁଚ୍ ୟାକଜେହତି କମିଟି ନେତ୍ରୀ ଡକ୍ଟର ସବିହା ବଲୁଚ୍ କହିଛନ୍ତି ଯେ, ଏହି ଗୁଳିଚାଳନାରେ ଅନେକ ସାଧାରଣ ନାଗରିକ ଆହତ ହୋଇଛନ୍ତି, ଯେଉଁଥିରେ ଜଣେ ୭ ବର୍ଷର ଶିଶୁ ମଧ୍ୟ ସାମିଲ ଅଛି । ଏହା ପୂର୍ବରୁ ଜେହରିର ବଲବାଲ୍ ଅଞ୍ଚଳରେ ହୋଇଥିବା ଏକ ବୋମା ବିସ୍ଫୋରଣରେ ଜଣେ ୧୩ ବର୍ଷୀୟ ବାଳକଙ୍କ ମୃତ୍ୟୁ ଘଟିଥିଲା । ବିଏନ୍ପି ପକ୍ଷରୁ ଏହି ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରାଯାଇ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରାଯାଇଛି ।

