ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚର ବିଚାରପତି ସୁଭାଷ ବିଦ୍ୟାର୍ଥୀ କହିଛନ୍ତି ଯେ, ଗୁଣ୍ଡା ଆଇନ ଏକ ଅତ୍ୟନ୍ତ କଠୋର ଆଇନ ହୋଇଥିବାରୁ ଏହାକୁ କେବଳ ସ୍ପଷ୍ଟ ମାମଲାରେ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅତ୍ୟନ୍ତ ସତର୍କତାର ସହିତ ଲାଗୁ କରାଯିବା ଉଚିତ୍ ।
ଉତ୍ତର ପ୍ରଦେଶରେ ‘ଗୁଣ୍ଡା ଆଇନ’ର ମନମୁଖୀ ବ୍ୟବହାରକୁ ନେଇ ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । କୋର୍ଟ ନିଜ ପର୍ଯ୍ୟବେକ୍ଷଣରେ ଦର୍ଶାଇଛନ୍ତି ଯେ, ସାମ୍ନାକୁ ଆସୁଥିବା ସମ୍ପ୍ରତିକ ମାମଲାଗୁଡ଼ିକରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ରାଜ୍ୟ ସରକାର ଏହି କଠୋର ଆଇନକୁ ସାଧାରଣ ଲୋକଙ୍କୁ ହଇରାଣ କରିବା ପାଇଁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି ।
ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚର ବିଚାରପତି ସୁଭାଷ ବିଦ୍ୟାର୍ଥୀ କହିଛନ୍ତି ଯେ, ଗୁଣ୍ଡା ଆଇନ ଏକ ଅତ୍ୟନ୍ତ କଠୋର ଆଇନ ହୋଇଥିବାରୁ ଏହାକୁ କେବଳ ସ୍ପଷ୍ଟ ମାମଲାରେ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅତ୍ୟନ୍ତ ସତର୍କତାର ସହିତ ଲାଗୁ କରାଯିବା ଉଚିତ୍ । ଜାହିଦ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କୁ ‘ଗୁଣ୍ଡା’ ଘୋଷଣା କରି ୬ ମାସ ପାଇଁ ନିର୍ବାସନ ଆଦେଶ ଦେଇଥିବା ଗୋଣ୍ଡା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ତାହାକୁ ସମର୍ଥନ କରିଥିବା ଡିଭିଜନାଲ କମିଶନରଙ୍କ ନିଷ୍ପତ୍ତିକୁ ରଦ୍ଦ କରି କୋର୍ଟ ଏହି ଆଦେଶ ଦେଇଛନ୍ତି ।
ଏହି ମାମଲାରେ ଜିଲ୍ଲା ମାଜିଷ୍ଟ୍ରେଟ୍ ୨୦୧୦ ଓ ୨୦୨୦ର ଦୁଇଟି ପୁରୁଣା ଅପରାଧିକ ମାମଲା ଏବଂ ଏକ ବିଟ୍ ସୂଚନା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୨୦୧୦ ମାମଲାରେ ଅଲ୍ଲୀ ୨୦୧୭ ମସିହାରେ ହିଁ ଦୋଷମୁକ୍ତ ହୋଇସାରିଥିବାରୁ ତାହାକୁ ଆଧାର କରି କାହାକୁ ଗୁଣ୍ଡା ଘୋଷଣା କରାଯାଇପାରିବ ନାହିଁ। ଏହାଛଡ଼ା ୨୦୨୦ ମାମଲା ଏବଂ ୨୦୨୬ର ନିର୍ବାସନ ଆଦେଶ ମଧ୍ୟରେ ପ୍ରାୟ ୬ ବର୍ଷର ବ୍ୟବଧାନ ଥିବାରୁ କେବଳ ଗୋଟିଏ ପୁରୁଣା ମାମଲା ପାଇଁ ଜଣଙ୍କୁ ଅଭ୍ୟାସଗତ ଅପରାଧୀ କୁହାଯାଇପାରିବ ନାହିଁ। ବିଟ୍ ସୂଚନା ରିପୋର୍ଟକୁ ଆଧାର ଭାବେ ଗ୍ରହଣ କରିବାକୁ ମନା କରିବା ସହ ହାଇକୋର୍ଟ ସେହି ନିର୍ବାସନ ଆଦେଶକୁ ସମ୍ପୂର୍ଣ୍ଣ ରଦ୍ଦ କରିଦେଇଛନ୍ତି।

