ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି। ଗତ ୨୪ ଘଣ୍ଟାରେ ୮୦୪ ମିମି ବର୍ଷା ରେକର୍ଡ ହୋଇଛି। ପୋଟେରୁ, ପାଙ୍ଗାମ ଓ କନ୍ୟାଶ୍ରମ ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଗତ ୨ ଦିନ ଧରି ମୂଷଳଧାରାରେ ବର୍ଷା ପରେ ଆକାଶମାର୍ଗରୁ ଆସିଥିବା ମାଲକାନଗିରି ଜିଲ୍ଲାର ଚିତ୍ର ଚିନ୍ତା ବଢ଼ାଇଛି । ଚାରିଆଡେ ଖାଲି ପାଣି ଆଉ ପାଣି। ଭାଙ୍ଗିଯାଇଛି ଅନେକ କଚ୍ଚା ଘର। ପୋଟେରୁ ପୋଲ ବନ୍ୟାଜଳରେ ଲୀନ ହୋଇଯାଇଥିବା ବେଳେ କାଙ୍ଗୋରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମରୁ ଆସିଛି ଛାତିଥରା ଦୃଶ୍ୟ । ପୋଟେରୁ ପୋଲ ଉପରେ ୩ ଫୁଟ, ପାଙ୍ଗାମ ପୋଲ ଉପରେ ୨ ଫୁଟ ଓ କନ୍ୟାଶ୍ରମ ପୋଲରେ ୩ ଫୁଟ ବନ୍ୟାପାଣି ପ୍ରବାହିତ ହେଉଛି ।
ଚିତ୍ରକୋଣ୍ଡା ସମେତ କିଛି ସ୍ଥାନରେ ବାଦଲଫଟା ବର୍ଷା ହୋଇଛି। ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ପରୀକ୍ଷା ଦେଇପାରିନାହାନ୍ତି କଲେଜ ପିଲା। ଆଜି ଯୁକ୍ତ ୩ ଦ୍ବିତୀୟ ବର୍ଷର ସେକେଣ୍ଡ ସେମିଷ୍ଟର ପରୀକ୍ଷା ଥିବା ବେଳେ ୬୦ରୁ ଅଧିକ କଲେଜ ପିଲା ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିନାହାନ୍ତି।
ଆସନ୍ତାକାଲିଠୁ ବଦଳିବ ପାଣିପାଗ। ୧୩ ତାରିଖରେ ୧୩ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ କୋଲାବ ସିଷ୍ଟମରେ ଉପରମୁଣ୍ଡରେ ବର୍ଷା ପାଇଁ ମାଲକାନଗିରି ଜିଲ୍ଲାରେ ଫ୍ଲାସ ଫ୍ଲଡ୍ ଦେଖିବାକୁ ମିଳିଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲାକୁ ବୁଡ଼ାଇ ଦେଇଛି ବିଦାୟୀ ମୌସୁମୀ। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ରେକର୍ଡ ପରିମାଣର ୮୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

