ବଢୁଥିବା ଅଣ୍ଡା ଦରକୁ ନେଇ ଆସିଛି ବଡ଼ ଖବର! ମିଳିଲା ମନ୍ତ୍ରୀଙ୍କ ଆଶ୍ୱାସନ

ରାଜ୍ୟରେ ଏବେ ଅଣ୍ଡା ଦର ବଢ଼ିଥିବା ବେଳେ, ଆଗାମୀ ଦିନରେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମନ୍ତ୍ରୀ । ତାଙ୍କ କହିବା ଅନୁସାରେ, ଓଡ଼ିଶାରେ ଅଣ୍ଡାର ଚାହିଦା ଅଧିକ ରହିଛି ।

ରାଜ୍ୟରେ ଏବେ ଅଣ୍ଡା ଦର ବଢ଼ିଥିବା ବେଳେ, ଆଗାମୀ ଦିନରେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମନ୍ତ୍ରୀ । ତାଙ୍କ କହିବା ଅନୁସାରେ, ଓଡ଼ିଶାରେ ଅଣ୍ଡାର ଚାହିଦା ଅଧିକ ରହିଛି । ଏହାସହ ରାଜ୍ୟରୁ ବାହାରକୁ ମଧ୍ୟ ଅଣ୍ଡା ଯାଉଥିବାରୁ ଦର ଉପରେ ଏହାର ପ୍ରଭାବ ପଡ଼ିଛି । ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ପ୍ରାୟ ୧ କୋଟି ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । କିନ୍ତୁ ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ଉତ୍ପାଦନକୁ ବଢ଼ାଇ ଦୈନିକ ୨ କୋଟି ଅଣ୍ଡା ପର୍ଯ୍ୟନ୍ତ ପହଞ୍ଚାଇବା । କୁକୁଡ଼ା ଚାଷୀଙ୍କୁ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଥିବାରୁ ଆଗାମୀ ଦିନରେ ଉତ୍ପାଦନ ବଢ଼ିବ ବୋଲି ଆଶା ରହିଛି ।

ତେବେ ଅଣ୍ଡା ଦର ବଢ଼ିବା ପଛରେ ଆଉ ଏକ ବଡ଼ କାରଣ ହେଉଛି ବନ୍ୟା। ବନ୍ୟା ଯୋଗୁଁ ଅନେକ କୁକୁଡ଼ା ଫାର୍ମ ପ୍ରଭାବିତ ହୋଇଛି, କିଛି ଫାର୍ମ ନଷ୍ଟ ମଧ୍ୟ ହୋଇଛି। ଫଳରେ ଉତ୍ପାଦନ ପ୍ରଭାବିତ ହେବା ସହ ଦର ଉପରେ ଏହାର ପ୍ରଭାବ ପଡ଼ିଛି । ତେବେ ଚିନ୍ତା କରିବାର କିଛି ନାହିଁ । ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବ ଏବଂ ଅଣ୍ଡା ଦର ମଧ୍ୟ କମିବ ବୋଲି ମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି । ଅନ୍ୟପଟେ, ଚିକେନ୍ ଦରକୁ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ। ଚିକେନ୍ ଦର ନିୟନ୍ତ୍ରଣ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧୀନରେ ନାହିଁ । ବରଂ ଉତ୍ପାଦନ ଏବଂ ବଜାର ସ୍ଥିତି ଅନୁସାରେ ଚିକେନ୍‌ର ଦର ନିର୍ଦ୍ଧାରିତ ହୋଇଥାଏ ବୋଲି ସେ କହିଛନ୍ତି ।

ବନ୍ୟା ପ୍ରଭାବରେ ଫାର୍ମଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାରୁ ଚିକେନ୍ ଦର ମଧ୍ୟ ବଢ଼ିଥିବା କୁହାଯାଉଛି । ତେବେ ସ୍ଥିତି ସ୍ୱାଭାବିକ ହେବା ସହ ଦର ମଧ୍ୟ ଧୀରେ ଧୀରେ କମିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଗ୍ରାମାଞ୍ଚଳରେ କୁକୁଡ଼ା ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବଡ଼ ବଡ଼ କମ୍ପାନୀ ବିଭିନ୍ନ ସମୟରେ ଚାଷୀଙ୍କୁ ଚିଆଁଠାରୁ ଆରମ୍ଭ କରି ଦାନା ପର୍ଯ୍ୟନ୍ତ ଯୋଗାଇ ଦେଉଛନ୍ତି । ତେବେ ଏହି କ୍ଷେତ୍ରରେ ମନମୁଖୀ କାରବାର ନଜରକୁ ଆସିଥିବାରୁ ଏହାର ସମାଧାନ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *