ନେପାଳରେ ପୁଣି ପ୍ରଳୟ ଭୟ , ୭୨ ଘଣ୍ଟା ଭିତରେ ଫାଟିପାରେ ବ୍ୟାରିୟର ଲେକ୍!

ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ଏବେ ପୁଣି ଏକ ବଡ଼ ବିପଦର ଆଶଙ୍କା । ନେପାଳ-ଚୀନ୍ ସୀମା ନିକଟରେ ସୃଷ୍ଟି ହୋଇଛି ବିଶାଳ ବ୍ୟାରିୟର ଲେକ୍ । ଚୋଚେନ୍ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମସ୍ଥଳରେ ତିଆରି ହୋଇଥିବା ଏହି ପ୍ରାକୃତିକ ହ୍ରଦକୁ ନେଇ ଏବେ ଚିନ୍ତା ବଢ଼ିଛି ।

ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ଏବେ ପୁଣି ଏକ ବଡ଼ ବିପଦର ଆଶଙ୍କା । ନେପାଳ-ଚୀନ୍ ସୀମା ନିକଟରେ ସୃଷ୍ଟି ହୋଇଛି ବିଶାଳ ବ୍ୟାରିୟର ଲେକ୍ । ଚୋଚେନ୍ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମସ୍ଥଳରେ ତିଆରି ହୋଇଥିବା ଏହି ପ୍ରାକୃତିକ ହ୍ରଦକୁ ନେଇ ଏବେ ଚିନ୍ତା ବଢ଼ିଛି । ଗତ ୨୬ ଅଗଷ୍ଟରେ ତିବ୍ବତ ଅଞ୍ଚଳରେ ଗ୍ଲାସିଅର ଧସିବା ପରେ ବିପୁଳ ପରିମାଣର ବରଫ, ପଥର ଓ ମାଟି ନଦୀ ପଥକୁ ଅବରୋଧ କରିଥିଲା । ପରେ ଏହି ଅବରୋଧ ଭାଙ୍ଗିଯିବାରୁ ଭୟଙ୍କର ଫ୍ଲାଶ୍ ଫ୍ଲଡ୍ ଆସି ନେପାଳର ଭୋଟେକୋଶୀ ନଦୀ ଅଞ୍ଚଳରେ ବ୍ୟାପକ ବିନାଶ ଘଟାଇଥିଲା । ଏବେ ସେହି ଅଞ୍ଚଳରେ ପୁଣି ଏକ ନୂଆ ବିପଦ ଦେଖାଦେଇଛି । ଚୋଚେନ୍ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମ ନିକଟରେ ମାଟି, ପଥର ଓ ଅନ୍ୟାନ୍ୟ ଆବର୍ଜନା ଜମି ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇଛି । ଏହା ପଛରେ ବିପୁଳ ପରିମାଣର ପାଣି ଜମା ହେଉଥିବାରୁ ଏହାକୁ ‘ବ୍ୟାରିୟର ଲେକ୍’ କୁହାଯାଉଛି । ଚୀନ୍‌ର ଜଳ ସମ୍ପଦ ମନ୍ତ୍ରାଳୟ ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଛି । ରିପୋର୍ଟ ଅନୁସାରେ, ହ୍ରଦରେ ପ୍ରାୟ ୨୦ ଲକ୍ଷ ଘନମିଟର ପାଣି ଜମା ହୋଇସାରିଛି । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଆହୁରି ପାଣି ଜମା ହେବାର ଆଶଙ୍କା ରହିଛି । ଯଦି ପ୍ରାକୃତିକ ବନ୍ଧ ଦୁର୍ବଳ ହୋଇ ହ୍ରଦ ଭାଙ୍ଗିଯାଏ, ତେବେ ହଠାତ୍ ବିପୁଳ ପରିମାଣର ଜଳ ତଳମୁହାଁ ହୋଇ ଆଉ ଏକ ବିନାଶକାରୀ ବନ୍ୟା ସୃଷ୍ଟି କରିପାରେ ।

ଏହି ବିପଦ କେବଳ ନେପାଳରେ ସୀମିତ ରହିବ କି ନାହିଁ, ତାକୁ ନେଇ ମଧ୍ୟ ଚିନ୍ତା ରହିଛି । ଚୋଚେନ୍ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀ ତଳମୁହାଁ ହୋଇ ନେପାଳର ନଦୀ ବ୍ୟବସ୍ଥା ସହ ଯୋଡ଼ିତ ଥିବାରୁ ବ୍ୟାରିୟର ଲେକ୍ ଭାଙ୍ଗିଲେ ତଳ ଅଞ୍ଚଳରେ ହଠାତ୍ ବନ୍ୟା ଆସିବାର ଆଶଙ୍କା ରହିଛି । ସେପଟେ ପୂର୍ବରୁ ଆସିଥିବା ଫ୍ଲାଶ୍ ଫ୍ଲଡ୍‌ରେ ନେପାଳ ଓ ତିବ୍ବତରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଏବେବି ନିଖୋଜ ଅଛନ୍ତି । ରାସ୍ତା, ବ୍ରିଜ୍‌, ଘର ଏବଂ ହାଇଡ୍ରୋପାୱାର ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏଭଳି ସ୍ଥିତିରେ ଆଉ ଏକ ବନ୍ୟାର ଆଶଙ୍କା ଉଦ୍ଧାର କାର୍ଯ୍ୟକୁ ମଧ୍ୟ ଆହୁରି କଷ୍ଟକର କରିପାରେ । ଏବେ ସମସ୍ତଙ୍କ ନଜର ସେହି ବ୍ୟାରିୟର ଲେକ୍ ଉପରେ । ପ୍ରାକୃତିକ ବନ୍ଧ କେତେ ମଜବୁତ ରହିଛି, ଜଳସ୍ତର କେତେ ବଢ଼ୁଛି ଏବଂ ଆଗାମୀ ୭୨ ଘଣ୍ଟାରେ ପରିସ୍ଥିତି କେଉଁ ମୋଡ଼ ନେଉଛି—ତାହା ଉପରେ ଚୀନ୍ ଓ ନେପାଳ କର୍ତ୍ତୃପକ୍ଷଙ୍କ ନଜର ରହିଛି । ନେପାଳରେ ପ୍ରଥମ ପ୍ରଳୟର ଘାଉ ଶୁଖିନଥିବା ବେଳେ ଏବେ ନୂଆ ବିପଦର ଭୟ । ବ୍ୟାରିୟର ଲେକ୍ ଭାଙ୍ଗିଲେ ପୁଣି କେତେ ବଡ଼ ବିପର୍ଯ୍ୟୟ ଘଟିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *