ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ‘ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା’ରେ ସ୍ଥାପନ ହେବ ମେଗାୱାଟ୍ କ୍ଷମତା ବିଶିଷ୍ଟ ସୌର ଫଟୋଭୋଲ୍ଟାଇକ୍ ପାୱାର ପ୍ଲାଣ୍ଟ ।
ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ‘ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା’ରେ ସ୍ଥାପନ ହେବ ମେଗାୱାଟ୍ କ୍ଷମତା ବିଶିଷ୍ଟ ସୌର ଫଟୋଭୋଲ୍ଟାଇକ୍ ପାୱାର ପ୍ଲାଣ୍ଟ । ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ଗ୍ରାମାଞ୍ଚଳ ଏବଂ କୃଷି କ୍ଷେତ୍ରରେ ବିଦ୍ୟୁତ୍ ଯାଣବାଣ ଏବଂ ସୌର ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ଜାରି କରାଯାଇଛି। ପିଏମ୍-କୁସୁମ୍ ଯୋଜନାର କମ୍ପୋନେଣ୍ଟ-ଏ ଅଧୀନରେ ରାଜ୍ୟରେ ଏହି ସୌର ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି। ଏହି କ୍ରମରେ ‘ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା’ ମାଧ୍ୟମରେ ରାଜ୍ୟର ବିଭିନ୍ନ ରଣନୈତିକ ସ୍ଥାନମାନଙ୍କରେ ମୋଟ ୨୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଦଶଟି ସୌର ଫଟୋଭୋଲ୍ଟାଇକ୍ ବା SPV ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ।
ପ୍ରତ୍ୟେକ ପ୍ଲାଣ୍ଟର କ୍ଷମତା ୨ ମେଗାୱାଟ୍ ରହିବ। ଏହି ପ୍ରକଳ୍ପଗୁଡ଼ିକ ଗ୍ରୀଡ୍-ସଂଯୁକ୍ତ ଏବଂ ଏଥିରେ SCADA ମନିଟରିଂ ସିଷ୍ଟମ ସୁବିଧା ରହିବ। ଯାହାଦ୍ୱାରା ସ୍ଥାନୀୟ ବିତରଣ ନେଟୱାର୍କକୁ ସିଧାସଳଖ ବିଦ୍ୟୁତ୍ ଯୋଗାଇ ହେବ। ଏହି ସମଗ୍ର ପ୍ରକଳ୍ପ ପାଇଁ ୮୧ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ଏଥିମଧ୍ୟରୁ ୩୦ ପ୍ରତିଶତ ଅର୍ଥାତ୍ ୨୪ କୋଟି ୩୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ଇକ୍ୱିଟି ସମର୍ଥନ ଭାବେ ଯୋଗାଇ ଦିଆଯିବ।
ବାକି ୭୦ ପ୍ରତିଶତ ଅର୍ଥାତ୍ ୫୬ କୋଟି ୭୦ ଲକ୍ଷ ଟଙ୍କା ଓରେଡା ଦ୍ୱାରା ଖୋଲା ବଜାରରୁ ଋଣ କିମ୍ବା ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ସଂଗ୍ରହ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ଗ୍ରାମାଞ୍ଚଳରେ ଦିନବେଳା ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସମ୍ଭବ ହେବା ସହିତ ଟ୍ରାନ୍ସମିସନ୍ କ୍ଷତି କମିବ ଏବଂ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ବଡ଼ ସଫଳତା ମିଳିବ।

