UGCର ନୂଆ ଇକ୍ୱିଟି ନିୟମକୁ ନେଇ ପୁଣି ତେଜିଲା ବିବାଦ । ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବା ପାଇଁ ଆଣାଯାଇଥିବା ୨୦୨୬ର ନୂଆ ନିୟମକୁ ନେଇ ଏବେ ରାଜନୈତିକ ତର୍କ ଜୋର ଧରିଛି ।
UGCର ନୂଆ ଇକ୍ୱିଟି ନିୟମକୁ ନେଇ ପୁଣି ତେଜିଲା ବିବାଦ । ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବା ପାଇଁ ଆଣାଯାଇଥିବା ୨୦୨୬ର ନୂଆ ନିୟମକୁ ନେଇ ଏବେ ରାଜନୈତିକ ତର୍କ ଜୋର ଧରିଛି । ନିୟମର କିଛି ବ୍ୟବସ୍ଥାକୁ ନେଇ ସାଧାରଣ ବର୍ଗ ଓ ଉଚ୍ଚବର୍ଣ୍ଣ ସଂଗଠନଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି । ଏହି ବିବାଦ ମଧ୍ୟରେ ବିଜେପି ନେତା ଅଜୟ ଆଲୋକଙ୍କ ବୟାନ ଚର୍ଚ୍ଚାକୁ ଆହୁରି ଗରମ କରିଛି। ନିୟମକୁ ନେଇ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେଉଁ ଆଶଙ୍କା ଓ ଅସନ୍ତୋଷ ରହିଛି, ତାହାକୁ ନେଇ ବିଜେପି ଭିତରେ ମଧ୍ୟ ଚିନ୍ତା ବଢ଼ିଥିବା ଚର୍ଚ୍ଚା ହେଉଛି । UGCର ୨୦୨୬ ନିୟମରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଇକ୍ୱିଟି କମିଟି, ଅଭିଯୋଗ ବ୍ୟବସ୍ଥା ଓ ଭେଦଭାବ ବିରୋଧୀ ପଦକ୍ଷେପ ରଖାଯାଇଛି । ଏହାର ଉଦ୍ଦେଶ୍ୟ SC, ST, OBC ସମେତ ବିଭିନ୍ନ ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କୁ ଭେଦଭାବରୁ ସୁରକ୍ଷା ଦେବା । କିନ୍ତୁ ବିରୋଧୀ ପକ୍ଷର ଅଭିଯୋଗ, ନୂଆ ନିୟମର କିଛି ଧାରା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ବିରୋଧରେ ଅପବ୍ୟବହାର ହୋଇପାରେ ।
ଏପରିକି ମିଥ୍ୟା ଅଭିଯୋଗର ସମ୍ଭାବନା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ଓ ପ୍ରତିବାଦ ମଧ୍ୟ ହୋଇଛି । ମାମଲା ଏବେ ସୁପ୍ରିମକୋର୍ଟରେ ମଧ୍ୟ ବିଚାରାଧୀନ। ଚଳିତ ବର୍ଷ ଜାନୁଆରୀରେ ସୁପ୍ରିମକୋର୍ଟ UGCର ନୂଆ ନିୟମକୁ ଅନ୍ତରୀଣ ଭାବେ ସ୍ଥଗିତ ରଖିଥିଲେ ଏବଂ ୨୦୧୨ର ନିୟମ ଜାରି ରହିବ ବୋଲି କହିଥିଲେ । ନୂଆ ନିୟମର ଭାଷା ଅସ୍ପଷ୍ଟ ଏବଂ ଏହାର ବ୍ୟାପକ ପ୍ରଭାବ ପଡ଼ିପାରେ ବୋଲି କୋର୍ଟ ଚିନ୍ତା ପ୍ରକାଶ କରିଥିଲେ । ଏପଟେ ଅଗଷ୍ଟ ୨୦ ତାରିଖରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ UGCର ଏହି ନିୟମଗୁଡ଼ିକୁ ପୁନର୍ବିଚାର କରାଯାଉଛି। ଫଳରେ ନିୟମର ଭବିଷ୍ୟତକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି । ତେବେ ଏହି ନିୟମ ଭେଦଭାବ ରୋକିବାରେ କେତେ ସଫଳ ହେବ ଏବଂ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ଅଧିକାରକୁ କିପରି ସୁରକ୍ଷା ଦେବ—ସେ ନେଇ ଏବେ ନଜର ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ।

