ବିଶ୍ୱର ଶିପ୍‌ବିଲ୍ଡିଂ ହବ୍ ହେବ ଭାରତ! ରାଜନାଥଙ୍କ ବଡ଼ ଘୋଷଣା

ଭାରତ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଦେଶ ଖୁବଶୀଘ୍ର ବିଶ୍ୱର ଏକ ପ୍ରମୁଖ ଜାହାଜ ନିର୍ମାଣ କେନ୍ଦ୍ର ଭାବେ ଉଭା ହୋଇପାରେ । ଏଭଳି ଆଶା ପ୍ରକାଶ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । କୋଲକାତାରେ GRSE ଏବଂ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍‌ର ୫ଟି ବଡ଼ ପ୍ରକଳ୍ପର ଭର୍ଚୁଆଲ ଭୂମିପୂଜନ କାର୍ଯ୍ୟକ୍ରମରେ ରାଜନାଥ ସିଂହ ଯୋଗଦେଇଥିଲେ ।

ଭାରତ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଦେଶ ଖୁବଶୀଘ୍ର ବିଶ୍ୱର ଏକ ପ୍ରମୁଖ ଜାହାଜ ନିର୍ମାଣ କେନ୍ଦ୍ର ଭାବେ ଉଭା ହୋଇପାରେ । ଏଭଳି ଆଶା ପ୍ରକାଶ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । କୋଲକାତାରେ GRSE ଏବଂ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍‌ର ୫ଟି ବଡ଼ ପ୍ରକଳ୍ପର ଭର୍ଚୁଆଲ ଭୂମିପୂଜନ କାର୍ଯ୍ୟକ୍ରମରେ ରାଜନାଥ ସିଂହ ଯୋଗଦେଇଥିଲେ । ଏହି ୫ଟି ପ୍ରକଳ୍ପରେ ପ୍ରାୟ ୩,୫୦୦ କୋଟି ଟଙ୍କାର ନିବେଶ ହେବ । ରାଜନାଥ ସିଂହ କହିଛନ୍ତି, ବିଶ୍ୱରେ ଯୁଦ୍ଧଜାହାଜ, ତେଲ ଟ୍ୟାଙ୍କର ଏବଂ ବାଣିଜ୍ୟିକ ଜାହାଜର ଚାହିଦା ବଢ଼ୁଛି । ଅନ୍ୟପଟେ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ଓ ନେଦରଲ୍ୟାଣ୍ଡ ଭଳି ପାରମ୍ପରିକ ଶିପ୍‌ବିଲ୍ଡିଂ ଦେଶରେ ଜାହାଜ ନିର୍ମାଣ କ୍ଷମତା ଧୀରେ ଧୀରେ କମିଛି । ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ ବୋଲି ସେ କହିଛନ୍ତି । ଭାରତ ପାଖରେ ବିଶାଳ ଶ୍ରମଶକ୍ତି, ଇସ୍ପାତ ଶିଳ୍ପ, ଇଞ୍ଜିନିୟରିଂ ଓ ଆଇଟି କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ରହିଛି । ନୂଆ ପ୍ରଯୁକ୍ତି ଆପଣାଇବାର କ୍ଷମତା ମଧ୍ୟ ରହିଛି । ତେଣୁ ଡିଜାଇନ୍‌, ନିର୍ମାଣ ଏବଂ ମେଣ୍ଟେନାନ୍ସ, ରିପେୟାର ଓ ଓଭରହଲ୍‌—ଅର୍ଥାତ୍ MRO କ୍ଷେତ୍ରରେ ଭାରତ ବିଶ୍ୱସ୍ତରୀୟ ହବ୍ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । କୋଲକାତାର ରାୟଚକ୍‌ରେ GRSE ପକ୍ଷରୁ ଏକ ବଡ଼ ଶିପ୍‌ବିଲ୍ଡିଂ ସୁବିଧା ବିକଶିତ କରାଯିବ ।

 ଏଥିପାଇଁ ୨,୫୦୦ କୋଟିରୁ ଅଧିକ ଟଙ୍କା ନିବେଶ ହେବ । ଏଠାରେ ୨୦୦ ମିଟର ଲମ୍ବା ଯୁଦ୍ଧଜାହାଜ ମଧ୍ୟ ନିର୍ମାଣ କରାଯାଇପାରିବ । ସେହିପରି ଯନ୍ତ୍ର ଇଣ୍ଡିଆର ଇଶପୋରରେ ଦୁଇଟି ସୁବିଧା ପାଇଁ ୭୫୦ କୋଟିରୁ ଅଧିକ ଟଙ୍କା ନିବେଶ ହେବ । ଏହା ଦେଶର ସ୍ୱଦେଶୀ ଧାତୁ ଶିଳ୍ପ ଏବଂ ପ୍ରତିରକ୍ଷା ଉତ୍ପାଦନକୁ ଆହୁରି ମଜବୁତ କରିବ । ସରକାର ମଧ୍ୟ ଶିପ୍‌ବିଲ୍ଡିଂ କ୍ଷେତ୍ରକୁ ମଜବୁତ କରିବା ପାଇଁ ପ୍ରାୟ ୬୯,୭୨୫ କୋଟି ଟଙ୍କାର ଏକ ବ୍ୟାପକ ପ୍ୟାକେଜ୍‌ ଅନୁମୋଦନ କରିଛନ୍ତି । ଏଥିରେ ଶିପ୍‌ବିଲ୍ଡିଂ ଆର୍ଥିକ ସହାୟତା, ମାରିଟାଇମ୍ ଡେଭଲପମେଣ୍ଟ ଫଣ୍ଡ ଏବଂ ଦକ୍ଷତା ବିକାଶ ଭଳି ପଦକ୍ଷେପ ରହିଛି । ରାଜନାଥ ସିଂହଙ୍କ କହିବା ଅନୁସାରେ, ଏଭଳି ପ୍ରକଳ୍ପଗୁଡ଼ିକ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ମେକ୍ ଫର୍ ଦ ୱାର୍ଲ୍ଡ’ ଲକ୍ଷ୍ୟକୁ ଆହୁରି ଶକ୍ତିଶାଳୀ କରିବ । ଏହା ଦ୍ୱାରା ଦେଶର ପ୍ରତିରକ୍ଷା ଆତ୍ମନିର୍ଭରତା ସହିତ ରୋଜଗାର ଏବଂ ରପ୍ତାନିର ସୁଯୋଗ ମଧ୍ୟ ବଢ଼ିବ । ଅର୍ଥାତ୍‌, ଯୁଦ୍ଧଜାହାଜଠାରୁ ଆରମ୍ଭ କରି ବାଣିଜ୍ୟିକ ଜାହାଜ ପର୍ଯ୍ୟନ୍ତ—ଭାରତ ଏବେ ବିଶ୍ୱ ଶିପ୍‌ବିଲ୍ଡିଂ ବଜାରରେ ନିଜର ଦବଦବା ବଢ଼ାଇବା ଦିଗରେ ଆଗକୁ ବଢ଼ୁଛି ।

Leave a Reply

Your email address will not be published. Required fields are marked *