ଜାତି ଆଧାରରେ ନୁହେଁ, ଆର୍ଥିକ ସ୍ଥିତି ଆଧାରରେ ମିଳୁ ସଂରକ୍ଷଣ । ଦିଲ୍ଲୀର ଯନ୍ତର ମନ୍ତରରେ ଏଭଳି ଦାବି ନେଇ ବଡ଼ ଧରଣର ବିକ୍ଷୋଭ କରିଛନ୍ତି ସାଧାରଣ ବର୍ଗର ଅନେକ ଲୋକ ।
ଜାତି ଆଧାରରେ ନୁହେଁ, ଆର୍ଥିକ ସ୍ଥିତି ଆଧାରରେ ମିଳୁ ସଂରକ୍ଷଣ । ଦିଲ୍ଲୀର ଯନ୍ତର ମନ୍ତରରେ ଏଭଳି ଦାବି ନେଇ ବଡ଼ ଧରଣର ବିକ୍ଷୋଭ କରିଛନ୍ତି ସାଧାରଣ ବର୍ଗର ଅନେକ ଲୋକ । ଶୁକ୍ରବାର ଅନୁଷ୍ଠିତ ଏହି ଆନ୍ଦୋଳନରେ ଅଧିକାଂଶ ଯୁବକ ସାମିଲ ହୋଇଥିଲେ । ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ହେଉଛି, ସରକାରୀ ସହାୟତା ଓ ସଂରକ୍ଷଣ ଦେବା ବେଳେ ଜାତି ନୁହେଁ, ବ୍ୟକ୍ତିର ଆର୍ଥିକ ସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଉ । ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, କୋଚିଂ, ସ୍କଲାରସିପ୍ ଓ ଫି’ ସହାୟତା ଭଳି ସୁବିଧା ଆର୍ଥିକ ଦୁର୍ବଳତା ଆଧାରରେ ଦିଆଯିବାକୁ ସେମାନେ ଦାବି କରିଛନ୍ତି ।
ଆନ୍ଦୋଳନ ସମୟରେ ‘ଜାତି ପାଇଁ ନୁହେଁ, ଗରିବଙ୍କ ପାଇଁ ସଂରକ୍ଷଣ’ ଭଳି ସ୍ଲୋଗାନ ଦେଇଥିଲେ ପ୍ରତିବାଦକାରୀ । ଏଥିସହିତ ସଂରକ୍ଷଣ ବ୍ୟବସ୍ଥାରେ କ୍ରିମି ଲେୟର୍ ଲାଗୁ କରିବା ସହ ଏସ୍ସି, ଏସ୍ଟି ଓ ଓବିସି ସମ୍ପର୍କିତ ନୀତିରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଦାବି ହୋଇଛି । ତେବେ ଏହି ବିକ୍ଷୋଭ କେବଳ ସଂରକ୍ଷଣରେ ସୀମିତ ରହିନଥିଲା । ଏସ୍ସି/ଏସ୍ଟି ଆକ୍ଟର ପ୍ରତ୍ୟାହାର ଦାବି ମଧ୍ୟ ଉଠିଛି । ଏହି ଆଇନର ଦୁରୁପଯୋଗ ହେଉଥିବା ଅଭିଯୋଗ କରି କିଛି ଆନ୍ଦୋଳନକାରୀ ଏହାକୁ ରଦ୍ଦ କରିବାକୁ ଦାବି କରିଛନ୍ତି ।
ସଂରକ୍ଷଣ ବ୍ୟବସ୍ଥା ଦୀର୍ଘ ବର୍ଷ ଧରି ଚାଲିଆସୁଥିବାରୁ ବର୍ତ୍ତମାନର ସାମାଜିକ ଓ ଆର୍ଥିକ ପରିସ୍ଥିତିକୁ ଦେଖି ଏହାର ପୁନର୍ବିଚାର କରାଯାଉ ବୋଲି ମଧ୍ୟ ଆନ୍ଦୋଳନକାରୀମାନେ ମତ ରଖିଛନ୍ତି । ‘ରିଜର୍ଭେସନ୍ ରିଫର୍ମ ଆନ୍ଦୋଳନ’ ନାମରେ ଆୟୋଜିତ ଏହି ପ୍ରତିବାଦର ନେତୃତ୍ୱ ନେଇଥିଲେ ନିଟ୍ ଆଶାୟୀ ହର୍ଷ ଦୁବେ । ରାଜସ୍ଥାନର ଜେନେରାଲ୍ ସେନା, ଚାଣକ୍ୟ ସେନା ଓ କର୍ଣ୍ଣି ସେନା ସମେତ ଅନ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
ତେବେ ଯନ୍ତର ମନ୍ତରରେ ପ୍ରଦର୍ଶନ ପାଇଁ ପୁଲିସର ଅନୁମତି ନଥିବା ଦିଲ୍ଲୀ ପୁଲିସ କହିଛି । ରାମଲୀଳା ମୈଦାନରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଜଣଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପାଇଁ ଏନ୍ଓସି ଦିଆଯାଇଥିଲା । ଦିନ ଶେଷରେ ଦିଲ୍ଲୀ ପୁଲିସ ଯନ୍ତର ମନ୍ତରରୁ ଅନେକ ପ୍ରତିବାଦକାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

