ତେଲେଙ୍ଗାନାର ଚେଭେଲ୍ଲା ଲୋକସଭା ଆସନର ସାଂସଦ ରେଡ୍ଡୀ ଏହା ପୂର୍ବରୁ ଇଥାନଲ୍ ଓ ପେଟ୍ରୋଲ୍କୁ ଏକ ପାତ୍ରରେ ରଖି ଜଳାଇ ଏହାର ତଫାତ୍ ଦେଖାଇଥିଲେ । ଇଥାନଲ୍ ଅପେକ୍ଷାକୃତ କ୍ଲିନ୍ ଫ୍ୟୁଏଲ୍ ଏବଂ ଏହାଦ୍ୱାରା ପ୍ରଦୂଷଣ କମିପାରେ ବୋଲି ସେ ଦାବି କରିଥିଲେ ।
E20 ପେଟ୍ରୋଲ୍କୁ ନେଇ ଚର୍ଚ୍ଚା ଭିତରେ ନୂଆ ବୟାନ । ଏହି ପେଟ୍ରୋଲ୍ ଗାଡ଼ିର ଇଞ୍ଜିନ୍ ନଷ୍ଟ କରେ କି ନାହିଁ, ଏହାକୁ ନେଇ ଏବେ ବି ଲୋକଙ୍କ ମନରେ ପ୍ରଶ୍ନ ରହିଛି । ଏହାରି ଭିତରେ E20କୁ ନେଇ ପୁଣି ଏକ ଭିଡିଓ ଜାରି କରିଛନ୍ତି ବିଜେପି ସାଂସଦ କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀ । ତେଲେଙ୍ଗାନାର ଚେଭେଲ୍ଲା ଲୋକସଭା ଆସନର ସାଂସଦ ରେଡ୍ଡୀ ଏହା ପୂର୍ବରୁ ଇଥାନଲ୍ ଓ ପେଟ୍ରୋଲ୍କୁ ଏକ ପାତ୍ରରେ ରଖି ଜଳାଇ ଏହାର ତଫାତ୍ ଦେଖାଇଥିଲେ । ଇଥାନଲ୍ ତୁଳନାରେ କ୍ଲିନ୍ ଫ୍ୟୁଏଲ୍ ଏବଂ ଏହାଦ୍ୱାରା ପ୍ରଦୂଷଣ କମିପାରେ ବୋଲି ସେ ଦାବି କରିଥିଲେ ।
ଏବେ ଦ୍ୱିତୀୟ ଭିଡିଓରେ ସେ ଗାଡ଼ି ମେକାନିକ୍ଙ୍କ ସହ କଥାବାର୍ତ୍ତା ଏବଂ କିଛି ରିସର୍ଚ୍ଚ ପେପର୍ର ଉଦାହରଣ ଦେଇ E20 ପେଟ୍ରୋଲ୍କୁ ନେଇ ନିଜ ମତ ରଖିଛନ୍ତି । ସାଂସଦଙ୍କ ଦାବି ଅନୁସାରେ, ସେ ଦେଶର ବିଭିନ୍ନ ସ୍ଥାନର ପ୍ରାୟ ୩୦ରୁ ୪୦ ଜଣ ମୋଟର ମେକାନିକ୍ଙ୍କ ସହ କଥା ହୋଇଛନ୍ତି । ଏହି ମେକାନିକ୍ମାନେ E20 ଫ୍ୟୁଏଲ୍ ଯୋଗୁଁ ଗାଡ଼ିର ଇଞ୍ଜିନ୍ର କୌଣସି ବଡ଼ କ୍ଷତି ହେଉନଥିବା କହିଥିବା ସେ ଦାବି କରିଛନ୍ତି ।
ଏହା ସହ ଏକ ଆନିମେସନ୍ ମାଧ୍ୟମରେ ଇଞ୍ଜିନ୍ ଭିତରେ ଫ୍ୟୁଏଲ୍ କିପରି ଜଳେ, ସେହି ପ୍ରକ୍ରିୟା ମଧ୍ୟ ଦେଖାଇଛନ୍ତି । E20ର ସମର୍ଥନରେ ସେ US National Renewable Energy Laboratory, Oak Ridge National Laboratory, MIT ଏବଂ SAE International ଭଳି ସଂସ୍ଥାର ରିସର୍ଚ୍ଚ ପେପର୍କୁ ମଧ୍ୟ ଉଲ୍ଲେଖ କରିଛନ୍ତି ।
ତେବେ ପୁରୁଣା ଗାଡ଼ିର କ’ଣ ହେବ?
ଏଠାରେ ରହିଛି ମୁଖ୍ୟ ପ୍ରଶ୍ନ। ସାଂସଦ ରେଡ୍ଡୀଙ୍କ ଦାବି ଯେ ନୂଆ କିମ୍ବା ପୁରୁଣା ଗାଡ଼ି E20 ଯୋଗୁଁ ଇଞ୍ଜିନ୍ ଡ୍ୟାମେଜ୍ ହେବାର ଆଶଙ୍କା ନାହିଁ । କିନ୍ତୁ ସରକାର ସଂସଦରେ ଦେଇଥିବା ସୂଚନା ଅନୁସାରେ, ପୁରୁଣା ଗାଡ଼ିର କିଛି ରବର୍ କମ୍ପୋନେଣ୍ଟ୍ ଉପରେ E20ର ପ୍ରଭାବ ପଡ଼ିପାରେ । ଏହା ସହ E20 ବ୍ୟବହାର ଯୋଗୁଁ ଗାଡ଼ିର ମାଇଲେଜ୍ରେ ପ୍ରାୟ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ସରକାର କହିଛି ।
ତେବେ ଫେରିବ କି E10 ପେଟ୍ରୋଲ୍?
E20କୁ ନେଇ ବିତର୍କ ମଧ୍ୟରେ ଏବେ E10 ପେଟ୍ରୋଲ୍କୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି । E10ରେ ୯୦ ପ୍ରତିଶତ ପେଟ୍ରୋଲ୍ ଏବଂ ୧୦ ପ୍ରତିଶତ ଇଥାନଲ୍ ରହିଥାଏ । ସରକାର ଓ ଅଏଲ୍ ଇଣ୍ଡଷ୍ଟ୍ରି ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ବିଶେଷକରି ପୁରୁଣା ଗାଡ଼ିଗୁଡ଼ିକୁ ଧ୍ୟାନରେ ରଖି E10 ଏକ ବିକଳ୍ପ ହୋଇପାରିବ କି ନାହିଁ, ସେନେଇ ବିଚାରବିମର୍ଶ ଚାଲିଛି । ତେବେ ଏପର୍ଯ୍ୟନ୍ତ E10କୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଆଲୋଚନା ଜାରି ରହିଛି । ଅର୍ଥାତ୍, E20କୁ ନେଇ ଗୋଟିଏ ପଟେ ସାଂସଦଙ୍କ ଦାବି ଇଞ୍ଜିନ୍ ପାଇଁ ବଡ଼ କ୍ଷତି ନାହିଁ; ଅନ୍ୟପଟେ ପୁରୁଣା ଗାଡ଼ିର କିଛି କମ୍ପୋନେଣ୍ଟ୍ ଓ ମାଇଲେଜ୍କୁ ନେଇ ସରକାରଙ୍କ ସତର୍କତା । ଆଉ ଏହାରି ଭିତରେ E10 ପେଟ୍ରୋଲ୍ର ବିକଳ୍ପକୁ ନେଇ ଚାଲିଛି ମାନସମନ୍ଥନ ।

