୬ ବର୍ଷ ପରେ ଘରକୁ ଫେରିବେ ହ୍ୟାରି-ମେଘାନ! ପିଲାଙ୍କ ସ୍କୁଲ୍‌ରେ ନାମ ଲେଖା ସରିଲା

 ଆମେରିକାରେ ଦୀର୍ଘ ସମୟ ରହିବା ପରେ ୟୁକେ ଫେରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚଳିତ ମାସ ଶେଷ ସୁଦ୍ଧା ହ୍ୟାରି ଓ ମେଘାନ୍‌ ଆମେରିକା ଛାଡ଼ି ବ୍ରିଟେନ୍‌ରେ ରହିବା ଆରମ୍ଭ କରିପାରନ୍ତି ।

ଛଅ ବର୍ଷ ପରେ ବ୍ରିଟେନ୍‌ ଫେରିବେ ପ୍ରିନ୍ସ ହ୍ୟାରି ଓ ମେଘାନ ମାର୍କେଲ୍‌ ।  ଆମେରିକାରେ ଦୀର୍ଘ ସମୟ ରହିବା ପରେ ୟୁକେ ଫେରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚଳିତ ମାସ ଶେଷ ସୁଦ୍ଧା ହ୍ୟାରି ଓ ମେଘାନ୍‌ ଆମେରିକା ଛାଡ଼ି ବ୍ରିଟେନ୍‌ରେ ରହିବା ଆରମ୍ଭ କରିପାରନ୍ତି । ସବୁଠାରୁ ବଡ଼ କଥା ହେଉଛି, ଏହି ଦମ୍ପତିଙ୍କ ଦୁଇ ସନ୍ତାନ ପ୍ରିନ୍ସ ଆର୍ଚି ଓ ପ୍ରିନ୍ସେସ୍‌ ଲିଲିବେଟ୍‌ଙ୍କୁ ବ୍ରିଟେନ୍‌ର ଏକ ସ୍କୁଲରେ ନାମ ଲେଖାଯାଇଥିବା ରିପୋର୍ଟ ମଧ୍ୟ ଆସିଛି ।

ଆର୍ଚିଙ୍କ ବୟସ ୭ ବର୍ଷ ଏବଂ ଲିଲିବେଟ୍‌ଙ୍କ ବୟସ ୫ ବର୍ଷ । ଲଣ୍ଡନ ବାହାରେ ଏକ ଘରୋଇ ବାସଭବନରେ ପରିବାର ରହିବେ ବୋଲି ଜଣାପଡ଼ିଛି। ଏହା କୌଣସି ସରକାରୀ ରାଜକୀୟ ସମ୍ପତ୍ତି ନୁହେଁ  । ମନେ ପକାଇଦେବା, ୨୦୨୦ରେ ହ୍ୟାରି ଓ ମେଘାନ୍‌ କାର୍ଯ୍ୟରତ ରାଜପରିବାରର ସଦସ୍ୟ ଭାବେ ଦାୟିତ୍ୱ ଛାଡ଼ିଥିଲେ । ଏହା ପରେ ସେମାନେ ଉତ୍ତର ଆମେରିକା ଚାଲିଯାଇ କାଲିଫର୍ନିଆର ମୋଣ୍ଟେସିଟୋରେ ବସବାସ କରୁଥିଲେ  ।

ରାଜପରିବାରରୁ ଦୂରେଇବା ପରେ ହ୍ୟାରି ଓ ମେଘାନଙ୍କ ଅନେକ ସାକ୍ଷାତକାର ଓ ସାର୍ବଜନୀନ ମନ୍ତବ୍ୟ ରାଜପରିବାର ଭିତରେ ବିବାଦ ସୃଷ୍ଟି କରିଥିଲା । ହ୍ୟାରିଙ୍କ ଆତ୍ମଜୀବନୀ ‘ସ୍ପେୟାର’ ଓ ଓପ୍ରା ୱିନଫ୍ରେଙ୍କ ସହ ସାକ୍ଷାତକାର ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା ।

ଏବେ ଦୁହେଁଙ୍କ ୟୁକେ ଫେରିବା ଖବର ରାଜପରିବାର ସହ ସମ୍ପର୍କ ସୁଧାରିବାର ଏକ ସଙ୍କେତ ବୋଲି ମଧ୍ୟ ଆଲୋଚନା ହେଉଛି । ରିପୋର୍ଟ ଅନୁସାରେ, ରାଜା ଚାର୍ଲ୍ସ ତୃତୀୟ ମଧ୍ୟ ପରିବାର ସଦସ୍ୟଙ୍କୁ ଅଧିକ ଦେଖା କରିବାର ସୁଯୋଗ ମିଳିବାକୁ ସ୍ୱାଗତ କରୁଛନ୍ତି । ତେବେ ବ୍ରିଟେନ୍‌ ଫେରିଲେ ବି ହ୍ୟାରି ଓ ମେଘାନଙ୍କ ରାଜକୀୟ ଭୂମିକାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ସେମାନେ ରାଜପରିବାର ପକ୍ଷରୁ କୌଣସି ସାର୍ବଜନୀନ ଦାୟିତ୍ୱ ନେବେ ନାହିଁ । ତେବେ ଛଅ ବର୍ଷ ପରେ ହ୍ୟାରି-ମେଘାନଙ୍କ ୟୁକେ ଫେରିବା ଖବର ରାଜପରିବାରର ପୁରୁଣା ସମ୍ପର୍କରେ କିଛି ନୂଆ ମୋଡ଼ ଆଣିବ କି, ତାହା ଉପରେ ଏବେ ସମସ୍ତଙ୍କ ନଜର  ।

Leave a Reply

Your email address will not be published. Required fields are marked *