୨୭ ଥର ଛୁରାମାଡ଼! ‘ବାବୁ’ ଶବ୍ଦ ଖୋଲିଲା ପ୍ରିନ୍ସିପାଲ୍ ହତ୍ୟାର ରହସ୍ୟ

ସ୍କୁଲ୍‌ର ପ୍ରିନ୍ସିପାଲ୍‌ଙ୍କୁ ୨୭ ଥର ଛୁରି ଭୁସି ହତ୍ୟା ଅଭିଯୋଗରେ ଦୁଇ ନାବାଳକ ପୂର୍ବତନ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ଖୋଲିବାରେ ସହାୟକ ହୋଇଛି ମାତ୍ର ଗୋଟିଏ ଶବ୍ଦ ‘ବାବୁ’ ।

ତେଲେଙ୍ଗାନାରୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର । ସ୍କୁଲ୍‌ର ପ୍ରିନ୍ସିପାଲ୍‌ଙ୍କୁ ୨୭ ଥର ଛୁରି ଭୁସି ହତ୍ୟା ଅଭିଯୋଗରେ ଦୁଇ ନାବାଳକ ପୂର୍ବତନ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ଖୋଲିବାରେ ସହାୟକ ହୋଇଛି ମାତ୍ର ଗୋଟିଏ ଶବ୍ଦ ‘ବାବୁ’ ।
ଘଟଣାଟି ନଲଗୋଣ୍ଡା ଜିଲ୍ଲାର। ଅଗଷ୍ଟ ୧୧ ତାରିଖରେ ସ୍କୁଲ୍‌ ପ୍ରିନ୍ସିପାଲ୍‌ ରୂପା ରେଡ୍ଡୀଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଘଟଣା ପରେ ପୁଲିସ ୫ଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୭୦ଟି ସିସିଟିଭି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରି ହତ୍ୟାକାରୀଙ୍କୁ ଖୋଜାଯାଉଥିଲା ।

ତଦନ୍ତରେ ବଡ଼ ସୁରାକ୍‌ ମିଳିଥିଲା ରୂପା ରେଡ୍ଡୀଙ୍କ ଶେଷ ଫୋନ୍‌ କଥାବାର୍ତ୍ତାରୁ। ହତ୍ୟା ସମୟ ପାଖାପାଖି ସେ ତାଙ୍କ ଜଣେ ସମ୍ପର୍କୀୟଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସେହି ସମୟରେ କାହାକୁ ସେ ‘ବାବୁ’ ବୋଲି ସମ୍ବୋଧନ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଅନୁସାରେ, ରୂପା ରେଡ୍ଡୀ ସ୍କୁଲ୍‌ର ଛାତ୍ରମାନଙ୍କୁ ସାଧାରଣତଃ ‘ବାବୁ’ ବୋଲି ଡାକୁଥିଲେ ।

ଏହି ସୂଚନା ଆଧାରରେ ପୁଲିସ ସେହି ସମୟରେ ସ୍କୁଲ୍‌ରେ ଅନୁପସ୍ଥିତ ଥିବା ଛାତ୍ରଙ୍କ ଉପରେ ନଜର ପକାଇଥିଲା। ମୋଟ ୧୩ ଜଣ ଛାତ୍ରଙ୍କୁ ଚିହ୍ନଟ କରାଯାଇଥିବା ବେଳେ, ସେଥିରୁ ୫ ଜଣ ଦଶମ ଶ୍ରେଣୀର ଥିଲେ। ତଦନ୍ତ ସମୟରେ ଦୁଇ ଛାତ୍ରଙ୍କ ଅସ୍ୱାଭାବିକ ଭାବେ ଟଙ୍କା ଖର୍ଚ୍ଚ କରୁଥିବା ପୁଲିସ ଦେଖିଥିଲା ।

ଏହାପରେ ଜଣେ ନାବାଳକଙ୍କ ଠାରୁ ମିଳିଥିଲା ୧ ଲକ୍ଷ ୫୪ ହଜାର ଟଙ୍କା । ଟଙ୍କା ତାଙ୍କ ବାପା-ମାଆ ଦେଇଥିବା ସେ କହିଥିଲେ। କିନ୍ତୁ ନୋଟ୍‌ଗୁଡ଼ିକରେ ରକ୍ତର ଦାଗ ଦେଖି ପୁଲିସ ଏହାକୁ ଫରେନସିକ୍‌ ଯାଞ୍ଚକୁ ପଠାଇଥିଲା । ରିପୋର୍ଟରେ ରକ୍ତ ରୂପା ରେଡ୍ଡୀଙ୍କର ବୋଲି ଜଣାପଡ଼ିବା ପରେ ଦୁଇ ନାବାଳକଙ୍କ ଉପରେ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା ।

ପୁଲିସର ଦାବି ଅନୁସାରେ, ଜଣେ ନାବାଳକ ପୂର୍ବରୁ ସ୍କୁଲ୍‌ ହଷ୍ଟେଲ୍‌ରେ ରହୁଥିଲେ । ତାଙ୍କ ବ୍ୟାଗ୍‌ରୁ ଟଙ୍କା ଓ ମୋବାଇଲ୍‌ ମିଳିବା ପରେ ରୂପା ରେଡ୍ଡୀ ତାଙ୍କୁ ତାଗିଦ କରିଥିଲେ ଏବଂ ପରେ ହଷ୍ଟେଲ୍‌ରୁ ହଟାଇ ଡେ-ସ୍କଲାର୍‌ କରିଥିଲେ । ଏହାକୁ ନେଇ ତାଙ୍କ ମନରେ ରାଗ ସୃଷ୍ଟି ହୋଇଥିବା ପୁଲିସ ସନ୍ଦେହ କରୁଛି ।
ହତ୍ୟାର ପାଞ୍ଚ ଦିନ ପୂର୍ବରୁ ସେ ରୂପାଙ୍କ ଘରର ରେକି କରିଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍କୁଲ୍‌ ଫି’ରୁ ଆସୁଥିବା ଟଙ୍କା ଘରେ ରହୁଥିବା ସେ ଜାଣିଥିବା ପୁଲିସ କହିଛି ।

ଅଗଷ୍ଟ ୧୧ରେ ରୂପା ଘରକୁ ଫେରିବା ପରେ ଦୁଇ ନାବାଳକ କାନ୍ଥ ଡେଇଁ ଘରେ ପଶିଥିଲେ। ମୁହଁରେ ମାସ୍କ ଲଗାଇ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ସମୟରେ ଜଣଙ୍କ ମାସ୍କ ଖସିଯିବାରୁ ରୂପା ତାଙ୍କୁ ଚିହ୍ନିପାରିଥିବା ପୁଲିସ ସନ୍ଦେହ କରୁଛି। ଏହାପରେ ଛୁରିରେ ୨୭ ଥର ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ।

ଘଟଣା ପରେ ଟଙ୍କା ଓ ଦୁଇଟି ମୋବାଇଲ୍‌ ନେଇ ଦୁଇ ନାବାଳକ ଫେରାର ହୋଇଥିଲେ । ପୁଲିସ ସେମାନଙ୍କ ଠାରୁ ୧ ଲକ୍ଷ ୫୪ ହଜାର ଟଙ୍କା, ଏକ ଆଇଫୋନ୍‌ ଓ ରୂପା ରେଡ୍ଡୀଙ୍କ ମୋବାଇଲ୍‌ ଜବତ କରିଥିବା କହିଛି । ଦୁଇ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି ।

Leave a Reply

Your email address will not be published. Required fields are marked *