ବିହାରର ନାଳନ୍ଦା ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୦ରୁ ଅଧିକ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି
ବିହାରର ନାଳନ୍ଦା ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୦ରୁ ଅଧିକ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ନୁର୍ସରାଇ ଥାନା ଅଞ୍ଚଳର ପାରାସିର ମଧ୍ୟମା ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଅସୁସ୍ଥ ଛାତ୍ରମାନଙ୍କୁ ବିହାରଶରିଫ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଭିଲ୍ ସର୍ଜନ ଡାକ୍ତର ଜୟ ପ୍ରକାଶ ସିଂହ ହସ୍ପିଟାଲ ପରିଦର୍ଶନ କରି ଛାତ୍ରମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ । ସମସ୍ତ ପିଲା ବିପଦମୁକ୍ତ ଥିବା ଡାକ୍ତର ସିଂହ କହିଛନ୍ତି।
ପ୍ରଧାନଶିକ୍ଷକ ଶୈଳେନ୍ଦ୍ର କୁମାର ସିଂହ କହିଛନ୍ତି ଯେ, ନିର୍ଦ୍ଧାରିତ ମେନୁ ଅନୁଯାୟୀ ଏକ ଏନଜିଓ ଦ୍ୱାରା ସୋୟାବିନ୍ ଭାତ ସହିତ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଥିଲା। କିଛି ଛାତ୍ର ଖାଦ୍ୟ ଖାଇସାରିଥିବାବେଳେ ଅନ୍ୟମାନେ ଖାଇବାରେ ଲୁଣ ପଡ଼ିନାହିଁ ବୋଲି ଅଭିଯୋଗ କରିଥିଲେ।
ରୋଷେଇ ଘରେ ଲୁଣ ଓ ଡିଟରଜେଣ୍ଟ ପାଉଡର ପାଖାପାଖି ରଖାଯାଇଥିଲାବେଳେ ରୋଷେୟା ଡିଟରଜେଣ୍ଟକୁ ଭୁଲବଶତଃ ଲୁଣ ଭାବି ଖାଦ୍ୟରେ ମିଶାଇ ଦେଇଥିଲେ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଖାଦ୍ୟ ଖାଇବାର କିଛି ସମୟ ପରେ ଅନେକ ଛାତ୍ର ମୁଣ୍ଡ ବୁଲାଇବା ଓ ବାନ୍ତି ହେବା ଅଭିଯୋଗ କରିଥିଲେ। ପ୍ରଥମେ ସେମାନଙ୍କୁ ସ୍କୁଲରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା।
ଛାତ୍ରମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ସେମାନଙ୍କୁ ସଦର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବିହାର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ହସ୍ପିଟାଲ ପରିଦର୍ଶନ କରି ପୀଡିତ ଛାତ୍ରମାନଙ୍କୁ ଭେଟିଥିଲେ। ସେ ଡାକ୍ତରଙ୍କ ସହ ସେମାନଙ୍କ ଅବସ୍ଥା ବିଷୟରେ ମଧ୍ୟ କଥା ହୋଇଥିଲେ। କୁମାର କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଷଣରେ କିପରି ତ୍ରୁଟି ଘଟିଲା ତାହା ଜାଣିବା ପାଇଁ ବିସ୍ତୃତ ତଦନ୍ତ କରାଯିବ।

