କାଶ୍ମୀର ପ୍ରସଙ୍ଗରେ ଓମରଙ୍କ କଡ଼ା ବାର୍ତ୍ତା: ସମାଧାନ କରିବ ଦିଲ୍ଲୀ, ୱାଶିଂଟନ୍ ନୁହେଁ

ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ରାଜନୈତିକ ବୟାନ । କାଶ୍ମୀର ସମସ୍ୟାର ସମାଧାନ ଭାରତ ସରକାର ହିଁ କରିବେ, ଏଥିରେ କୌଣସି ବିଦେଶୀ ହସ୍ତକ୍ଷେପର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ।

ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ରାଜନୈତିକ ବୟାନ । କାଶ୍ମୀର ସମସ୍ୟାର ସମାଧାନ ଭାରତ ସରକାର ହିଁ କରିବେ, ଏଥିରେ କୌଣସି ବିଦେଶୀ ହସ୍ତକ୍ଷେପର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା । ଆମେରିକୀୟ ରାଜଦୂତ ସର୍ଜିଓ ଗୋରଙ୍କ ସହ ବୈଠକ ପୂର୍ବରୁ ଶ୍ରୀନଗରରେ ଗଣମାଧ୍ୟମକୁ ସମ୍ବୋଧନ କରି ଓମାର ଏହି ବୟାନ ଦେଇଛନ୍ତି ।

ତାଙ୍କ କହିବା ଅନୁସାରେ, ଆମେରିକୀୟ ପ୍ରତିନିଧିଙ୍କ ସହ ବୈଠକରେ ଜମ୍ମୁ-କାଶ୍ମୀରର ସ୍ଥାନୀୟ ପ୍ରସଙ୍ଗ ଓ ବର୍ତ୍ତମାନର ପରିସ୍ଥିତି ନେଇ ଆଲୋଚନା ହେବ । କିନ୍ତୁ ଏହାକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବିଦେଶୀ ହସ୍ତକ୍ଷେପ ଭାବେ ଦେଖିବା ଠିକ୍‌ ନୁହେଁ । ଓମାର ଅବ୍ଦୁଲ୍ଲା ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ବିଦେଶୀ ପ୍ରତିନିଧିଙ୍କ ନିକଟରେ ଭାରତ ବିରୋଧରେ ଅଭିଯୋଗ କରିବେ ନାହିଁ । କାଶ୍ମୀରର ସମସ୍ୟାର ସମାଧାନ ଭାରତର କେନ୍ଦ୍ର ସରକାର ଏବଂ ଦେଶର ସମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ହିଁ ହେବ ବୋଲି ସେ ସଙ୍କେତ ଦେଇଛନ୍ତି । 

ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ପରେ ଜମ୍ମୁ-କାଶ୍ମୀରର ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଆମେରିକାର ଜଣେ ରାଜଦୂତଙ୍କୁ ଭେଟୁଥିବାରୁ ଏହି ବୈଠକକୁ ନେଇ ଚର୍ଚ୍ଚା ବଢ଼ିଛି । ସର୍ଜିଓ ଗୋର ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକାର ବିଶେଷ ଦୂତ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି । ଅନ୍ୟପଟେ ଜମ୍ମୁ-କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଛନ୍ତି । ଏଭଳି ସମୟରେ ଓମାରଙ୍କ ଏହି ସ୍ପଷ୍ଟ ବୟାନ ବିଦେଶୀ ମଧ୍ୟସ୍ଥତାକୁ ନେଇ ଉଠୁଥିବା ଆଶଙ୍କାକୁ ଦୂର କରିବାର ବାର୍ତ୍ତା ଦେଇଛି ।

Leave a Reply

Your email address will not be published. Required fields are marked *