ତାମିଲନାଡୁ ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେର ବରିଷ୍ଠ ନେତା ଏମ୍. କରୁଣାନିଧିଙ୍କ ନାଁକୁ ନେଇ ଦେଖାଦେଇଛି ହଙ୍ଗାମା । ବିଧାନସଭାରେ ଆଲୋଚନା ବେଳେ ବନ ବିଭାଗ ମନ୍ତ୍ରୀ ଆର୍.ଭି. ରଞ୍ଜିତ କୁମାର କରୁଣାନିଧିଙ୍କ ନାଁ ନେଇଥିଲେ ।
ତାମିଲନାଡୁ ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେର ବରିଷ୍ଠ ନେତା ଏମ୍. କରୁଣାନିଧିଙ୍କ ନାଁକୁ ନେଇ ଦେଖାଦେଇଛି ହଙ୍ଗାମା । ବିଧାନସଭାରେ ଆଲୋଚନା ବେଳେ ବନ ବିଭାଗ ମନ୍ତ୍ରୀ ଆର୍.ଭି. ରଞ୍ଜିତ କୁମାର କରୁଣାନିଧିଙ୍କ ନାଁ ନେଇଥିଲେ । ତେବେ ତାଙ୍କ ନାଁ ସହ ପାରମ୍ପରିକ ସମ୍ମାନସୂଚକ ସମ୍ବୋଧନ ବ୍ୟବହାର ନକରିବାକୁ ନେଇ ବିରୋଧ କରିଥିଲେ ଡିଏମକେ ବିଧାୟକମାନେ । ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ଓ ରାଜସ୍ୱ ବିଭାଗର ଅନୁଦାନ ଦାବି ଉପରେ ବିଧାନସଭାରେ ଆଲୋଚନା ଚାଲିଥିଲା। ଏହି ସମୟରେ ମନ୍ତ୍ରୀ ରଞ୍ଜିତ କୁମାର ପୁରୁଣା ନିର୍ବାଚନରେ ଟଙ୍କା ବାଣ୍ଟିବା ଅଭିଯୋଗ ଏବଂ ‘ଥିରୁମଙ୍ଗଲମ୍ ଫର୍ମୁଲା’ ସମ୍ପର୍କରେ ଆଲୋଚନା କରୁଥିଲେ । ଏହି ପ୍ରସଙ୍ଗରେ ସେ କରୁଣାନିଧିଙ୍କ ନାଁ ଉଲ୍ଲେଖ କରିଥିଲେ ।
କିନ୍ତୁ କରୁଣାନିଧିଙ୍କୁ କେବଳ ତାଙ୍କ ନାଁରେ ସମ୍ବୋଧନ କରାଯିବାକୁ ନେଇ ଡିଏମକେ ବିଧାୟକମାନେ ଆପତ୍ତି ଉଠାଇଥିଲେ। ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମ୍ମାନିତ ନେତାମାନଙ୍କୁ ସମ୍ମାନଜନକ ଭାବେ ଉଲ୍ଲେଖ କରିବାର ଏକ ପରମ୍ପରା ରହିଛି। କରୁଣାନିଧିଙ୍କୁ ସାଧାରଣତଃ ‘କଲୈଞ୍ଜର’ କିମ୍ବା ‘ପୂର୍ବତନ ମୁଖ୍ୟମନ୍ତ୍ରୀ’ ଭଳି ସମ୍ମାନସୂଚକ ଶବ୍ଦରେ ଉଲ୍ଲେଖ କରାଯାଏ । ବିବାଦ ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଗୃହରେ ହସ୍ତକ୍ଷେପ କରିଥିଲେ। ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗି ସେ କହିଥିଲେ ଯେ, ଏଭଳି ଭାବେ କରୁଣାନିଧିଙ୍କ ନାଁ ଉଲ୍ଲେଖ କରିବା ଠିକ୍ ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପରେ ବିଧାନସଭାରେ ବଢ଼ୁଥିବା ଉତ୍ତେଜନା ଶାନ୍ତ ହୋଇଥିଲା ଏବଂ ଆଲୋଚନା ପୁଣି ଆରମ୍ଭ ହୋଇଥିଲା ।

