ଇରାନର ଦାବି ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିବା ସମୟରେ ଏହି ପାଇଲଟମାନଙ୍କୁ କତର ସେନା ଅଟକ ରଖିଥିଲା । ତେବେ ଇରାନର ଏହି ଅଭିଯୋଗକୁ କତର ସରକାର ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ।
ଇରାନ ଏବଂ କତର ମଧ୍ୟରେ ଏବେ କୂଟନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଇରାନର ତିନି ଜଣ ଯୁଦ୍ଧ ବିମାନ ପାଇଲଟଙ୍କୁ କତର ଗତ ଛଅ ମାସ ଧରି ବନ୍ଦୀ କରି ରଖିଥିବା ନେଇ ତେହେରାନ ଗୁରୁତର ଅଭିଯୋଗ ଆଣିଛି । ଇରାନର ଦାବି ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିବା ସମୟରେ ଏହି ପାଇଲଟମାନଙ୍କୁ କତର ସେନା ଅଟକ ରଖିଥିଲା । ତେବେ ଇରାନର ଏହି ଅଭିଯୋଗକୁ କତର ସରକାର ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ।
ଇରାନର ସର୍ଚ୍ଚ କମିଟି କମାଣ୍ଡର ମହମ୍ମଦ ବାଘେରଜାଦେହ କହିଛନ୍ତି ଯେ, ଏସୟୁ-୨୪ ଲଢୁଆ ବିମାନକୁ କତର ସେନା ଗୁଳି କରି ଖସାଇ ଦେବା ପରେ ପାଇଲଟ୍ ଜାଭାଦ ସାଲେହି, ଅବଦୁଲ-ମାଜିଦ ଦାଶତିଆନ ଏବଂ ଇମ୍ରାନ ବେହ୍ରୁମିଆନଙ୍କୁ ବନ୍ଦୀ କରାଯାଇଛି। ସେମାନଙ୍କୁ କୌଣସି ପ୍ରକାରର ସାକ୍ଷାତକାର କିମ୍ବା ପରିବାର ସହ ଯୋଗାଯୋଗ କରିବାକୁ ଅନୁମତି ଦିଆଯାଉ ନାହିଁ । ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଇରାନ ଅନ୍ତର୍ଜାତୀୟ ରେଡକ୍ରସ କମିଟିକୁ ଅନୁରୋଧ କରିବା ସହ ଜେନେଭା ଚୁକ୍ତି ଅନୁଯାୟୀ ସେମାନଙ୍କ ମୁକ୍ତି ଦାବି କରିଛି । ସୂଚନାଯୋଗ୍ୟ ଯେ, ଗତ ମାସରେ ମାଜିଦ କାଜେମି ନାମକ ଅନ୍ୟ ଜଣେ ପାଇଲଟଙ୍କ ମୃତଦେହ ଇରାନ ଉଦ୍ଧାର କରିଥିଲା, ଯାହାଙ୍କ ମୃତ୍ୟୁ ଡିଏନଏ ପରୀକ୍ଷାରୁ ନିଶ୍ଚିତ ହୋଇଥିଲା ।
ଅନ୍ୟପକ୍ଷରେ, କତରର ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇଛି । ମନ୍ତ୍ରଣାଳୟର ମୁଖପାତ୍ର ମାଜେଦ ମହମ୍ମଦ ଅଲ-ଅନସାରି କହିଛନ୍ତି ଯେ, ମାର୍ଚ୍ଚ ମାସରେ ଇରାନୀ ପାଇଲଟମାନେ କତରର ବାୟୁସୀମା ଉଲ୍ଲଂଘନ କରିଥିଲେ। ସେମାନଙ୍କ ସହ ଯୋଗାଯୋଗ ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ କୌଣସି ଜବାବ ଦେଇନଥିଲେ। କତରର ଉଦ୍ଧାରକାରୀ ଦଳ ପରେ ଜଣେ ପାଇଲଟଙ୍କ ଶରୀରର ଅବଶେଷ ଉଦ୍ଧାର କରିଥିଲେ ଏବଂ ଏହାକୁ ହସ୍ତାନ୍ତର କରିବା ପାଇଁ ଇରାନ ସହ ଯୋଗାଯୋଗ କରିଥିଲେ । ତେବେ ପାଇଲଟମାନେ ଜୀବିତ ଏବଂ କତର ହେପାଜତରେ ଅଛନ୍ତି ବୋଲି ଇରାନ ଯେଉଁ ଦାବି କରୁଛି, ତାହାର କୌଣସି ଆଧାର ନାହିଁ ବୋଲି ଦୋହା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଇରାନର ଏହି ଅଭିଯାନ ସମ୍ପର୍କରେ ସମୀକ୍ଷା କରିବାକୁ କତର କହିଥିଲେ ମଧ୍ୟ ତେହେରାନ ଏପର୍ଯ୍ୟନ୍ତ କୌଣସି ଉତ୍ତର ଦେଇନାହିଁ ।

