ବାରାଣସୀ ବିମାନବନ୍ଦରରେ ଆତଙ୍କ ; ଯାତ୍ରୀଙ୍କ ପିସ୍ତଲ ଯାଞ୍ଚ୍ ବେଳେ ଫୁଟିଲା ଗୁଳି

ଜଣେ ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୁଳି ଫୁଟିବା ଯୋଗୁଁ ବିମାନବନ୍ଦରର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଯୁବକ ସାମିଲ ଅଛନ୍ତି, ଯେଉଁମାନେ ସେଠାରେ ସୁରକ୍ଷା ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଥିଲେ ।

ଉତ୍ତର ପ୍ରଦେଶର ବାରାଣସୀ ବିମାନବନ୍ଦରରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୁଳି ଫୁଟିବା ଯୋଗୁଁ ବିମାନବନ୍ଦରର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଯୁବକ ସାମିଲ ଅଛନ୍ତି, ଯେଉଁମାନେ ସେଠାରେ ସୁରକ୍ଷା ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଆଜମଗଡ଼ର ଜଣେ ଯାତ୍ରୀ ନିଜ ପତ୍ନୀଙ୍କ ସହ ମୁମ୍ବାଇ ଯିବା ପାଇଁ (ଫ୍ଲାଇଟ୍ ନମ୍ବର IX-1810) ବିମାନବନ୍ଦରରେ ପହଞ୍ଚିଥିଲେ। ସେ ନିଜ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ପିସ୍ତଲ ଏବଂ ମ୍ୟାଗଜିନ୍ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ସୂଚନା ଦେଇଥିଲେ। ତେବେ ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ହତିଆର ଯାଞ୍ଚ କରାଯାଉଥିବା ବେଳେ ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୋଟିଏ ରାଉଣ୍ଡ ଗୁଳି ଫୁଟିଯାଇଥିଲା।

ଗୁଳିଟି ପ୍ରଥମେ ଚଟାଣରେ ବାଜିବା ପରେ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ‘AAICLAS’ ସୁରକ୍ଷା ସ୍କ୍ରିନରଙ୍କ ଦେହରେ ବାଜିଥିଲା। ଗୁଳିଟି ମହିଳା କର୍ମୀଙ୍କ ଜଙ୍ଘରେ ବାଜିଥିବା ବେଳେ ଅନ୍ୟ ଜଣେ ଯୁବ କର୍ମୀଙ୍କ ହାତରେ ବାଜିଛି। ଦୁହିଁଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ନ୍ୟୁ ଲକ୍ଷ୍ମୀ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ବାରାଣସୀ ପୁଲିସ ଏହି ଘଟଣାରେ ଏକ ବୟାନ ଜାରି କରି କହିଛି ଯେ, ହତିଆର ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ପୁଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ବିମାନବନ୍ଦର ପରି ସୁରକ୍ଷିତ ସ୍ଥାନରେ ଏଭଳି ଗୁଳିକାଣ୍ଡ ଘଟିବା ଯୋଗୁଁ କିଛି ସମୟ ପାଇଁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *