ପାକିସ୍ତାନର ସ୍ୱାଧୀନତା ଦିବସ ପୂର୍ବରୁ ପୁଣି ତେଜ ହୋଇଛି ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା । ଇସଲାମାବାଦରେ ‘ୟାଦଗାର-ଏ-ଫତେହ’ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତକୁ ଟାର୍ଗେଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ।
ପାକିସ୍ତାନର ସ୍ୱାଧୀନତା ଦିବସ ପୂର୍ବରୁ ପୁଣି ତେଜ ହୋଇଛି ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା । ଇସଲାମାବାଦରେ ‘ୟାଦଗାର-ଏ-ଫତେହ’ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତକୁ ଟାର୍ଗେଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ । ଇଣ୍ଡସ୍ ଜଳ ଚୁକ୍ତିକୁ ନେଇ ଶେହବାଜ କହିଛନ୍ତି, ପାକିସ୍ତାନର ପାଣିର ପ୍ରତ୍ୟେକ ବୁନ୍ଦ ତାଙ୍କ ଦେଶ ପାଇଁ ‘ରେଡ୍ ଲାଇନ୍’। ଭାରତ ଯଦି ପାକିସ୍ତାନର ଜଳ ଅଧିକାରକୁ ପ୍ରଭାବିତ କରେ, ତେବେ ଏହାର ସିଧାସଳଖ ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଶେହବାଜ ଆହୁରି କହିଛନ୍ତି, ପାକିସ୍ତାନ ଯୁଦ୍ଧ ଚାହୁଁନାହିଁ, ଶାନ୍ତି ଚାହୁଁଛି । କିନ୍ତୁ ଶାନ୍ତିର ଇଚ୍ଛାକୁ ଦୁର୍ବଳତା ବୋଲି ବିଚାର କରାଯିବା ଉଚିତ ନୁହେଁ। ଭବିଷ୍ୟତରେ ପାକିସ୍ତାନର ସାର୍ବଭୌମତ୍ୱ କିମ୍ବା ସୁରକ୍ଷା ପ୍ରତି କୌଣସି ବିପଦ ଆସିଲେ, ମେ ୨୦୨୫ର ସଂଘର୍ଷଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଇସଲାମାବାଦରେ ‘ୟାଦଗାର-ଏ-ଫତେହ’ ବା ବିଜୟ ସ୍ମାରକର ଉଦ୍ଘାଟନ କରାଯାଇଛି। ପାକିସ୍ତାନ ଏହି ସ୍ମାରକକୁ ୨୦୨୫ର ଭାରତ-ପାକିସ୍ତାନ ସାମରିକ ସଂଘର୍ଷରେ ନିଜର ବିଜୟର ପ୍ରତୀକ ଭାବେ ଉପସ୍ଥାପନ କରୁଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ଓ ସେନା ମୁଖ୍ୟ ଅସୀମ ମୁନୀରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଇଣ୍ଡସ୍ ଜଳ ଚୁକ୍ତିକୁ ନେଇ ପାକିସ୍ତାନ ପକ୍ଷରୁ ଏଭଳି କଡ଼ା ବୟାନ ଆସିବା ପରେ ଦୁଇ ଦେଶ ମଧ୍ୟରେ ପୂର୍ବରୁ ରହିଥିବା ଉତ୍ତେଜନା ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି ।

