ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା । ଅଗଷ୍ଟ ୨୭ ସୁଦ୍ଧା ପିଏମ୍ଏୱାଇ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ।
ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା । ଅଗଷ୍ଟ ୨୭ ସୁଦ୍ଧା ପିଏମ୍ଏୱାଇ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ । ସେପ୍ଟେମ୍ବରରେ ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ଆବାସ ଆବଣ୍ଟନ । ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ, ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଗ୍ରାମ୍ୟ ଉନ୍ନୟନ ଶ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶାରେ ଆବାସ ଓ ଗ୍ରାମୀଣ ବିକାଶ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ନେଇ ଆଲୋଚନା ହୋଇଛି। । ଏହି ଆଲୋଚନାରେ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ସାଂସଦୀୟ ପ୍ରତିନିଧି ଦଳ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ସଚିବ ଗିରୀଶ ଏସ୍.ଏନ୍. ଉପସ୍ଥିତ ଥିଲେ ।
ବୈଠକରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ହିତାଧିକାରୀ ଚିହ୍ନଟ ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ସଦ୍ୟ ସମ୍ପନ୍ନ ସର୍ଭେରେ ପ୍ରାୟ ୩୮ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି ଏବଂ ବର୍ତ୍ତମାନ କ୍ଷେତ୍ରସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏହି ଯାଞ୍ଚରେ ହିତାଧିକାରୀଙ୍କ ଯୋଗ୍ୟତା ସହ ସେମାନଙ୍କ ଘରର ସ୍ଥିତି ଯାଞ୍ଚ କରାଯାଉଛି । ଅଗଷ୍ଟ ୨୭ ସୁଦ୍ଧା ଯାଞ୍ଚ ଓ ସ୍କ୍ରୁଟିନି ପ୍ରକ୍ରିୟା ଶେଷ ହେବ । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ହିତାଧିକାରୀ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ । ତାଲିକା ପାଇବା ପରେ ସେପ୍ଟେମ୍ବରରେ ଓଡ଼ିଶା ପାଇଁ ପିଏମ୍ଏୱାଇର ପ୍ରଥମ ପର୍ଯ୍ୟାୟର ଆବାସ ଆବଣ୍ଟନ କରାଯିବ । ଏହା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

