ବୈତରଣୀରେ ବଢ଼ିଲା ପାଣି , ଗାଁ ଗାଁରେ ପଶିଲା ବନ୍ୟାଜଳ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବନ୍ୟା ପରିସ୍ଥିତି ପୁଣି ଭୟଙ୍କର ରୂପ ନେଇଛି । ଗୋଟିଏ ବନ୍ୟାରୁ ମୁକୁଳିବା ପୂର୍ବରୁ ଆଉ ଏକ ବନ୍ୟା ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି । ମାତ୍ର ୧୦ ଦିନ ମଧ୍ୟରେ ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ବନ୍ୟାଜଳ ଏବେ ଦଶରଥପୁର ବ୍ଲକର ବିଭିନ୍ନ ଗାଁରେ ପଶିଯାଇଛି ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବନ୍ୟା ପରିସ୍ଥିତି ପୁଣି ଭୟଙ୍କର ରୂପ ନେଇଛି । ଗୋଟିଏ ବନ୍ୟାରୁ ମୁକୁଳିବା ପୂର୍ବରୁ ଆଉ ଏକ ବନ୍ୟା ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି । ମାତ୍ର ୧୦ ଦିନ ମଧ୍ୟରେ ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ବନ୍ୟାଜଳ ଏବେ ଦଶରଥପୁର ବ୍ଲକର ବିଭିନ୍ନ ଗାଁରେ ପଶିଯାଇଛି । ଅନେକ ଅଞ୍ଚଳରେ ଘରଦ୍ୱାର ଜଳମଗ୍ନ ହୋଇଥିବା ବେଳେ କେଉଁଠି ଘର ଭାଙ୍ଗିପଡ଼ିଛି । ଗତ ବନ୍ୟାରୁ ଯେଉଁ ଧାନଚାଷ ବଞ୍ଚିଯାଇଥିଲା, ଏହି ତୃତୀୟ ବନ୍ୟା ତାହାକୁ ମଧ୍ୟ ଉଜାଡ଼ି ଦେଇଛି । ଚାଷୀଙ୍କ ଆଖି ଆଗରେ ପାଣିରେ ବୁଡ଼ିଯାଉଛି ଏକର ଏକର ଧାନଜମି । ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି ବୈତରଣୀର ଶାଖା କାଣୀ ନଦୀ । ଗତ ଜୁଲାଇ ୨୯ ତାରିଖରେ ତରପଦା ପଞ୍ଚାୟତର ଡୋଭାଭିଲ-ପାଟଣା ନିକଟରେ କାଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଥିଲା । ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ଘାଇ ମରାମତି କରାଯାଇଥିଲା । ହେଲେ ପୁଣିଥରେ ବନ୍ୟା ଆସିବା ପରେ ସେହି ମରାମତି ସ୍ଥାନ ନେଇ ଉଠିଛି ପ୍ରଶ୍ନ ।

 ଘାଇ ମରାମତି କରାଯାଇଥିବା ସ୍ଥାନର ଉଚ୍ଚତାଠାରୁ ପ୍ରାୟ ୪ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇ ଗାଁ ଆଡ଼କୁ ପଶୁଥିବା କୁହାଯାଉଛି । ଫଳରେ ଆଗକୁ ଆହୁରି ପାଣି ବଢ଼ିଲେ ପରିସ୍ଥିତି କେତେ ଭୟଙ୍କର ହେବ, ସେନେଇ ଚିନ୍ତାରେ ଅଞ୍ଚଳବାସୀ । ବନ୍ୟାଜଳସ୍ତର ଲଗାତାର ବଢ଼ୁଥିବାରୁ ନଦୀକୂଳିଆ ଗାଁଗୁଡ଼ିକରେ ଏବେ ଭୟର ବାତାବରଣ । ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ନେଇ ମଧ୍ୟ ଲୋକେ ଚିନ୍ତାରେ ପଡ଼ିଛନ୍ତି । ଚାଷୀଙ୍କ ପାଇଁ ଏହି ବନ୍ୟା ଦୁଇଗୁଣ ଦୁଃଖ ଆଣିଛି—ଗୋଟିଏ ପଟେ ଚାଷ ନଷ୍ଟ, ଅନ୍ୟପଟେ ଘରଦ୍ୱାର ଭାଙ୍ଗିବାର ଆଶଙ୍କା । ପ୍ରଶ୍ନ ଉଠୁଛି—ମାତ୍ର କିଛି ଦିନ ତଳେ ମରାମତି ହୋଇଥିବା ଘାଇ ପୁଣି ବନ୍ୟା ଚାପକୁ କେତେଦୂର ସମ୍ଭାଳିପାରିବ? ଆଗକୁ ବୈତରଣୀର ଜଳସ୍ତର ଆହୁରି ବଢ଼ିଲେ ଦଶରଥପୁରରେ ପରିସ୍ଥିତି କେଉଁ ରୂପ ନେବ?

Leave a Reply

Your email address will not be published. Required fields are marked *