ରାମ ମନ୍ଦିର ଦାନକୁ ନେଇ ବଡ଼ ଖୁଲାସା, ଅଡିଟ୍‌ରେ ମିଳିଲାନି ବଡ଼ ଆର୍ଥିକ ହେରଫେର

ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ତତ୍ତ୍ୱାବଧାନରେ ନିରପେକ୍ଷ ଭାବେ ତଦନ୍ତ ଚାଲିଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଜମି ଦର ବୃଦ୍ଧି ପାଇଥିବା ଓ ବ୍ୟବସାୟିକ ଢାଞ୍ଚା ପାଇଁ କ୍ଷତିପୂରଣ ଦେବାକୁ ପଡ଼ିଥିବାରୁ ଜମି କ୍ରୟ ଖର୍ଚ୍ଚ ବଢ଼ିଥିବା କୁହାଯାଇଛି ।

ଅଯୋଧ୍ୟା ରାମ ମନ୍ଦିରର ଦାନକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ମଧ୍ୟରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ୩୩୦୦ କୋଟି ଟଙ୍କାର ଦାନରେ କୌଣସି ଆର୍ଥିକ ହେରାଫେରି ହୋଇନଥିବା ରିପୋର୍ଟରୁ ଜଣାପଡ଼ିଛି । ଦାନ ଗଣତି ବେଳେ ବାହାର ଏଜେନ୍ସିର କିଛି କର୍ମଚାରୀ ଚୋରି କରିଥିବା ବେଳେ ଟ୍ରଷ୍ଟର ସମସ୍ତ ଆର୍ଥିକ କାରବାର ସ୍ୱଚ୍ଛ ଥିବା କୁହାଯାଇଛି ।

ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ୩୩୦୦ କୋଟି ଟଙ୍କାର ଦାନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ରିପୋର୍ଟରୁ ଜଣାପଡ଼ିଛି ଯେ ଟ୍ରଷ୍ଟର ହିସାବରେ କୌଣସି ବଡ଼ ଆର୍ଥିକ ହେରଫେର ହୋଇନାହିଁ । ସ୍ୱାଧୀନ ବାହ୍ୟ ଅଡିଟର ଏମ୍/ଏସ୍ ଭି. ଶଙ୍କର ଆୟର ଆଣ୍ଡ କମ୍ପାନି ସମସ୍ତ ଆର୍ଥିକ କାରବାରର ଅଡିଟ୍ କରିଛି । ରିପୋର୍ଟ ଅନୁସାରେ, ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧୮୦୦ କୋଟି ଟଙ୍କା ଏବଂ ଜମି କ୍ରୟ ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସମସ୍ତ ଦେୟ ବ୍ୟାଙ୍କ ମାଧ୍ୟମରେ ପରିଶୋଧ କରାଯାଇଥିବାରୁ କୌଣସି ନଗଦ କାରବାର ହୋଇନଥିବା ଦାବି କରାଯାଇଛି । ତେଣୁ ବଡ଼ ଧରଣର ଆର୍ଥିକ ଦୁର୍ନୀତି ଅଭିଯୋଗର କୌଣସି ଆଧାର ନାହିଁ ବୋଲି କୁହାଯାଇଛି । ଦାନ ବାକ୍ସରୁ ବାହାରିଥିବା ଟଙ୍କାକୁ ମେସିନରେ ଗଣିବା ପୂର୍ବରୁ ହାତରେ ଅଲଗା କରାଯାଉଥିବା ସମୟରେ ଏସ୍‌ବିଆଇ ନିଯୁକ୍ତ ସୈନିକ ସିକ୍ୟୁରିଟି ସର୍ଭିସେସ୍ର ୬ ଜଣ ବାହ୍ୟ କର୍ମଚାରୀ ଚୋରି କରିଥିବା ଅଭିଯୋଗ ରହିଛି । ସିସିଟିଭି ଫୁଟେଜ୍ ଆଧାରରେ ସମସ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି । ସେମାନେ ଟ୍ରଷ୍ଟ କିମ୍ବା ମନ୍ଦିର ପ୍ରଶାସନର କର୍ମଚାରୀ ନଥିବା ସ୍ପଷ୍ଟ କରାଯାଇଛି ।

ଘଟଣାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର କାର୍ଯ୍ୟ ଉପରେ ସୁପ୍ରିମକୋର୍ଟଙ୍କ ନଜର ରହିଛି । ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ତତ୍ତ୍ୱାବଧାନରେ ନିରପେକ୍ଷ ଭାବେ ତଦନ୍ତ ଚାଲିଛି । ଜମି କ୍ରୟରେ ଦୁର୍ନୀତି ଅଭିଯୋଗକୁ ମଧ୍ୟ ସରକାରୀ ସୂତ୍ର ଖଣ୍ଡନ କରିଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଜମି ଦର ବୃଦ୍ଧି ପାଇଥିବା ଓ ବ୍ୟବସାୟିକ ଢାଞ୍ଚା ପାଇଁ କ୍ଷତିପୂରଣ ଦେବାକୁ ପଡ଼ିଥିବାରୁ ଜମି କ୍ରୟ ଖର୍ଚ୍ଚ ବଢ଼ିଥିବା କୁହାଯାଇଛି । ଜୁନ୍ ୨୦୨୬ର ଘଟଣା ପରେ ମଧ୍ୟ ରାମ ମନ୍ଦିର ପ୍ରତି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ପ୍ରତିମାସ ହାରାହାରି ୫ କୋଟି ଟଙ୍କା ହୁଣ୍ଡି ମାଧ୍ୟମରେ ଦାନ ଆସୁଥିବା ସରକାରୀ ତଥ୍ୟ କହୁଛି । ରିପୋର୍ଟ ଅନୁସାରେ ଏହା ଟ୍ରଷ୍ଟର ଆର୍ଥିକ ହେରଫେର ନୁହେଁ, ବରଂ ନଗଦ ଗଣତି ସମୟରେ ଚୋରି ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *