UPI ପେମେଣ୍ଟରେ ଲାଗିବ କି ଚାର୍ଜ? ୨ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନକୁ ନେଇ ବଢ଼ିଲା ଚର୍ଚ୍ଚା

ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନର ସଙ୍କେତ! ଏବେ UPI ମାଧ୍ୟମରେ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଚାର୍ଜ ଲାଗିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନର ସଙ୍କେତ! ଏବେ UPI ମାଧ୍ୟମରେ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଚାର୍ଜ ଲାଗିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ।  UPI ଟ୍ରାଞ୍ଜାକ୍ସନ ଉପରେ MDR ବା Merchant Discount Rate ଲାଗୁ କରିବା ନେଇ ବିଚାର ଚାଲିଛି । ପ୍ରସ୍ତାବ ଅନୁସାରେ, ବଡ଼ ବ୍ୟବସାୟୀଙ୍କ ପାଇଁ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ପ୍ରାୟ ୦.୩ ପ୍ରତିଶତରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ MDR ଲାଗିପାରେ ବୋଲି ଆଲୋଚନା ହେଉଛି । ତେବେ ଏହି ଚାର୍ଜ ସିଧାସଳଖ ଗ୍ରାହକଙ୍କ ଠାରୁ ନିଆଯିବ କି ନାହିଁ, ତାହା ଏବେ ସ୍ପଷ୍ଟ ନୁହେଁ ।

 ସାଧାରଣତଃ MDR ହେଉଛି ବ୍ୟବସାୟୀଙ୍କ ଠାରୁ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା ନେଉଥିବା ଶୁଳ୍କ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି, UPI ଏବେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା। ଏହାର ଢାଞ୍ଚା ଚଳାଇବା ପାଇଁ ଖର୍ଚ୍ଚ ରହିଛି ଏବଂ ସେହି ଖର୍ଚ୍ଚ କିଏ ବହନ କରିବ, ତାହା ନେଇ ଆଲୋଚନା ଚାଲିଛି। ବର୍ତ୍ତମାନ UPI ପେମେଣ୍ଟ ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ମାଗଣା ରହିଛି। ଡିଜିଟାଲ ପେମେଣ୍ଟକୁ ବଢ଼ାଇବା ପାଇଁ ସରକାର MDR ହଟାଇଥିଲେ। ଯଦି ନୂଆ ନିୟମ ଲାଗୁ ହୁଏ, ତେବେ ବଡ଼ ବ୍ୟବସାୟୀ ଓ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିପାରେ । ତେବେ ଆଶ୍ୱସ୍ତିର କଥା ହେଉଛି, ଏନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ସରକାର ଓ RBI ପକ୍ଷରୁ ଆଗାମୀ ଦିନରେ ଏହା ଉପରେ ସ୍ପଷ୍ଟ ନିର୍ଦ୍ଦେଶ ଆସିବା ପରେ ହିଁ ପୂରା ଚିତ୍ର ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *