ନିଟ୍‌ ୟୁଜି କାଉନସେଲିଂରେ ବଡ଼ ପରିବର୍ତ୍ତନ: ଘରେ ବସି କରିହେବ ଡକ୍ୟୁମେଣ୍ଟ ଭେରିଫିକେସନ୍

ପୂର୍ବରୁ ପ୍ରଥମ ରାଉଣ୍ଡରେ କୌଣସି କଲେଜରେ ସିଟ୍‌ ମିଳିଲେ ପ୍ରାର୍ଥୀଙ୍କୁ ସେହି କଲେଜକୁ ଯାଇ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ୁଥିଲା । ପରବର୍ତ୍ତୀ ରାଉଣ୍ଡରେ ଭଲ କଲେଜ ମିଳିବା ଆଶା ଥିଲେ ମଧ୍ୟ ବାରମ୍ବାର କଲେଜ ଯିବା ଅନିବାର୍ୟ୍ୟ ଥିଲା । ଏବେ ନୂଆ ନିୟମ ଅନୁଯାୟୀ ପ୍ରଥମ କିମ୍ବା ଦ୍ୱିତୀୟ ରାଉଣ୍ଡରେ ସିଟ୍‌ ମିଳିଲେ ପ୍ରାର୍ଥୀମାନେ ଅନଲାଇନ୍‌ରେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରି ପ୍ରୋଭିଜନାଲ୍ ଆଡମିଶନ୍ ନେଇପାରିବେ । 

ନିଟ୍‌ କାଉନସେଲିଂ ପାଇଁ ଏବେ ବାରମ୍ବାର ମେଡିକାଲ କଲେଜ ଦୌଡିବାକୁ ପଡ଼ିବନି । ଡାକ୍ତରୀ ଏଣ୍ଟ୍ରି ପ୍ରକ୍ରିୟାକୁ ସହଜ, ସ୍ୱଚ୍ଛ ଏବଂ ଚାପମୁକ୍ତ କରିବା ପାଇଁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାଉନସେଲିଂ ନିୟମରେ ଅନେକ ଐତିହାସିକ ପରିବର୍ତ୍ତନ କରିଛି । ଏବେ କଲେଜ ଅପଗ୍ରେଡ୍ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ମେଡିକାଲ୍ କଲେଜକୁ ଯାଇ ବାରମ୍ବାର ଫିଜିକାଲ ରିପୋର୍ଟିଂ କରିବାକୁ ପଡ଼ିବନି । ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମୀକ୍ଷା ବୈଠକ ପରେ ଲାଗୁ ହୋଇଥିବା ଏହି ନୂଆ ନିୟମ ଅନୁଯାୟୀ ‘ୱାନ୍-ଟାଇମ୍ ଫିଜିକାଲ୍ ରିପୋର୍ଟିଂ’ ଏବଂ ‘ଅନଲାଇନ୍ ଡକ୍ୟୁମେଣ୍ଟ ଭେରିଫିକେସନ୍’ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଫଳରେ ପ୍ରଥମ କିମ୍ବା ଦ୍ୱିତୀୟ ରାଉଣ୍ଡରେ ସିଟ୍‌ ମିଳିବା ପରେ ଉନ୍ନତ କଲେଜ ପାଇଁ ଅପେକ୍ଷା କରୁଥିବା ପ୍ରାର୍ଥୀମାନେ ମୋବାଇଲ୍ କିମ୍ବା ଲାପଟପ୍‌ ମାଧ୍ୟମରେ ଘରେ ବସି ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରିପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ୱାନ୍-ଟାଇମ୍ ଫିଜିକାଲ୍ ରିପୋର୍ଟିଂ । 

ୱାନ୍-ଟାଇମ୍ ଫିଜିକାଲ୍ ରିପୋର୍ଟିଂ : 
ପୂର୍ବରୁ ପ୍ରଥମ ରାଉଣ୍ଡରେ କୌଣସି କଲେଜରେ ସିଟ୍‌ ମିଳିଲେ ପ୍ରାର୍ଥୀଙ୍କୁ ସେହି କଲେଜକୁ ଯାଇ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ୁଥିଲା । ପରବର୍ତ୍ତୀ ରାଉଣ୍ଡରେ ଭଲ କଲେଜ ମିଳିବା ଆଶା ଥିଲେ ମଧ୍ୟ ବାରମ୍ବାର କଲେଜ ଯିବା ଅନିବାର୍ୟ୍ୟ ଥିଲା । ଏବେ ନୂଆ ନିୟମ ଅନୁଯାୟୀ ପ୍ରଥମ କିମ୍ବା ଦ୍ୱିତୀୟ ରାଉଣ୍ଡରେ ସିଟ୍‌ ମିଳିଲେ ପ୍ରାର୍ଥୀମାନେ ଅନଲାଇନ୍‌ରେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରି ପ୍ରୋଭିଜନାଲ୍ ଆଡମିଶନ୍ ନେଇପାରିବେ । 

କାଉନସେଲିଂ ସମୟରେ ପ୍ରାର୍ଥୀଙ୍କୁ ମିଳିବ ଦୁଇଟି ମୁଖ୍ୟ ବିକଳ୍ପ: 
ଫ୍ଲୋଟ୍ : ଯଦି ପ୍ରାର୍ଥୀଙ୍କୁ ଗୋଟିଏ ସିଟ୍‌ ମିଳିଛି, କିନ୍ତୁ ପରବର୍ତ୍ତୀ ରାଉଣ୍ଡରେ ଆହୁରି ଭଲ କଲେଜ ଚାହୁଁଛନ୍ତି, ତେବେ ‘ଫ୍ଲୋଟ୍’ ବିକଳ୍ପ ବାଛିପାରିବେ । ଏହାଦ୍ୱାରା ବର୍ତ୍ତମାନର ସିଟ୍‌ ସୁରକ୍ଷିତ ରହିବ ଏବଂ ଡକ୍ୟୁମେଣ୍ଟ ଅନଲାଇନ୍‌ରେ ଯାଞ୍ଚ ହେବ । ପରବର୍ତ୍ତୀ ରାଉଣ୍ଡରେ ଭଲ କଲେଜ ମିଳିଲେ ପୁରୁଣା ସିଟ୍‌ ସ୍ୱୟଂଚାଳିତ ଭାବେ ଅନ୍ୟ ପ୍ରାର୍ଥୀଙ୍କୁ ଦିଆଯିବ ।

ଫ୍ରିଜ୍ : ଯଦି ପ୍ରାର୍ଥୀ ମିଳିଥିବା ସିଟ୍‌ରେ ସନ୍ତୁଷ୍ଟ ଅଛନ୍ତି କିମ୍ବା ତୃତୀୟ ରାଉଣ୍ଡ ପରେ ସେହି ସିଟ୍‌କୁ ରଖିବାକୁ ଚାହୁଁଛନ୍ତି, ତେବେ ‘ଫ୍ରିଜ୍’ ବିକଳ୍ପ ବାଛିବାକୁ ପଡ଼ିବ । ଏହା ପରେ ସମ୍ପୃକ୍ତ କଲେଜରେ ଯାଇ ଫିଜିକାଲ୍ ରିପୋର୍ଟିଂ, ମୂଳ ଡକ୍ୟୁମେଣ୍ଟ ଦାଖଲ ଏବଂ ଫି ଜମା କରିବାକୁ ହେବ ।

ଏହା ଛଡ଼ା ମେଡିକାଲ୍ କାଉନସେଲିଂ କମିଟି  ଆଉ ଏକ ବଡ଼ ସୁବିଧା ଦେଇଛି । ଏବେ କୌଣସି ପ୍ରାର୍ଥୀ ନିଜକୁ ମିଳିଥିବା ସିଟ୍‌ ଛାଡ଼ିବାକୁ ଚାହିଁଲେ କଲେଜକୁ ଯିବାର ଆବଶ୍ୟକତା ନାହିଁ । ଏସ୍‌ସିସି ପୋର୍ଟାଲ୍‌ ମାଧ୍ୟମରେ ଅନଲାଇନ୍‌ରେ ସିଟ୍‌ ରେଜିଗ୍ନେସନ୍ କରିପାରିବେ । ଏନ୍‌ଆର୍‌ଆଇ କୋଟାରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏବେ ଅଲଗା ପୋର୍ଟାଲ୍‌ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଡକ୍ୟୁମେଣ୍ଟ ଇ-ମେଲ୍‌ ମାଧ୍ୟମରେ ପଠାଯାଉଥିଲା, ଯାହା ଅନେକ ସମୟରେ ସ୍ପାମ୍‌ରେ ଚାଲିଯାଉଥିଲା କିମ୍ବା ମିସ୍‌ ହେଉଥିଲା । ଏବେ ସମସ୍ତ ଡକ୍ୟୁମେଣ୍ଟ ଅନଲାଇନ୍‌ ପୋର୍ଟାଲ୍‌ରେ ସିଧାସଳଖ ଭେରିଫିକେସନ୍ ହେବ । କାଉନସେଲିଂ ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିବା ପାଇଁ ନ୍ୟାସନାଲ୍ ଇନଫର୍ମାଟିକ୍ସ ସେଣ୍ଟର  ସହ ମିଶି ନୂଆ ସାଇବର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ ଏନଟିଏର ତଥ୍ୟ ସ୍ୱୟଂଚାଳିତ ଭାବେ ପୋର୍ଟାଲ୍‌ରେ ଉପଲବ୍ଧ ହେବ । ଏହାଛଡ଼ା ଦିବ୍ୟାଙ୍ଗ  ପ୍ରାର୍ଥୀଙ୍କ ସୁବିଧା ପାଇଁ ଆସେସମେଣ୍ଟ ସେଣ୍ଟର ସଂଖ୍ୟା ୧୬ରୁ ବଢ଼ାଇ ୬୧ କରାଯାଇଛି । ସେହିପରି କାଉନସେଲିଂ ସମ୍ବନ୍ଧୀୟ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସଂଶୋଧିତ ଏନ୍‌ଏମ୍‌ସିର ନିର୍ଦ୍ଦେଶିକା ଅନୁଯାୟୀ ଏକ ଅପିଲେଟ୍ ବୋର୍ଡ ମଧ୍ୟ ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *