କେସିଙ୍ଗା SDPOଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ, ବିଧାନସଭାର କଡ଼ା ପଦକ୍ଷେପ

କଳାହାଣ୍ଡିର ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି ଓଡ଼ିଶା ବିଧାନସଭା । କେସିଙ୍ଗା ଏସଡିପିଓ ଏବଂ ତାଙ୍କ ଅଧୀନସ୍ଥ ପୁଲିସ କର୍ମଚାରୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରି ୧୫ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

 କଳାହାଣ୍ଡିର ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି ଓଡ଼ିଶା ବିଧାନସଭା । କେସିଙ୍ଗା ଏସଡିପିଓ ଏବଂ ତାଙ୍କ ଅଧୀନସ୍ଥ ପୁଲିସ କର୍ମଚାରୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରି ୧୫ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏନେଇ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏକ ଜରୁରୀ ପତ୍ର ପଠାଯାଇଛି। ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କ ସ୍ୱାକ୍ଷରିତ ଏହି ପତ୍ରରେ ବିଧାୟିକାଙ୍କ ନୋଟିସରେ ଥିବା ସମସ୍ତ ଅଭିଯୋଗର ତଥ୍ୟଭିତ୍ତିକ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ବିଧାୟିକା ମନୋରମା ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ କେସିଙ୍ଗା ଏସଡିପିଓଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଭୁବନେଶ୍ୱର ୟୁନିଟ୍–୪ ଏମ୍‌ଏଲ୍‌ଏ କଲୋନୀରେ ଥିବା ତାଙ୍କ ସରକାରୀ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲା। ଘରର ଫାଟକ, କବାଟ ଓ ଝରକା ଭାଙ୍ଗି ଘର ଭିତରକୁ ପଶିବା ସହ ପରିବାର ସଦସ୍ୟ ଓ ଗୃହ ସହାୟିକାଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି ।

 ବିଧାୟିକାଙ୍କ କହିବା ଅନୁସାରେ, ସେହି ସମୟରେ ସେ ଘରେ ନଥିଲେ। ପୁଲିସ ତାଙ୍କ ସ୍ୱାମୀ ତଥା ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଆସିଥିଲା । କିନ୍ତୁ ସ୍ଥାନୀୟ ଥାନା ପୁଲିସକୁ ସାଙ୍ଗରେ ନନେଇ ଏବଂ ପ୍ରଚଳିତ ଆଇନଗତ ପ୍ରକ୍ରିୟାକୁ ଅନୁସରଣ ନକରି ଏଭଳି କାର୍ଯ୍ୟ କରାଯାଇଥିବାରୁ ଏହା ବେଆଇନ ବୋଲି ସେ ଦର୍ଶାଇଛନ୍ତି । ନୋଟିସରେ ଆହୁରି କୁହାଯାଇଛି ଯେ, ବିଧାୟକଙ୍କ ସରକାରୀ ବାସଭବନ ବିଧାନସଭା ସଚିବାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବାରୁ ଅଧିବେଶନ ସମୟରେ ଏଭଳି ବଳପୂର୍ବକ ପୁଲିସ ପ୍ରବେଶ ବିଧାନସଭାର ଗରିମା ଓ ସ୍ୱାଧିକାର ପ୍ରତି ଆଘାତ ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଗୃହ ବିଭାଗ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ୧୫ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ବିଧାନସଭା ସଚିବାଳୟରେ ଦାଖଲ କରିବ । ଏହାପରେ ମାମଲାକୁ ସ୍ୱାଧିକାର କମିଟିକୁ ପଠାଯିବ କିମ୍ବା ଅନ୍ୟ କୌଣସି ପଦକ୍ଷେପ ନିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *