ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ସହ ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି ।
ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ସହ ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କରି ନଗର ଉନ୍ନୟନ ବିଭାଗ ନୂଆ ବ୍ୟବସ୍ଥା ଲାଗୁ କରିଛି । ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ । ନୂଆ ନିୟମ ଅନୁଯାୟୀ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମ କମିଶନରଙ୍କ ସମକକ୍ଷ କରାଯାଇଛି । ଫଳରେ ସହରାଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ନିଷ୍ପତ୍ତି ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆହୁରି ଦ୍ରୁତ ହେବ । ମହାନଗର ନିଗମଗୁଡ଼ିକରେ କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ମଞ୍ଜୁରୀ ପାଇଁ କମିଶନରଙ୍କ ଆର୍ଥିକ ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ଭୁବନେଶ୍ୱରରେ ୫୦ ଲକ୍ଷ ଓ ଅନ୍ୟ ମହାନଗର ନିଗମରେ ମାତ୍ର ୧୫ ଲକ୍ଷ ଟଙ୍କା ଥିଲା । ସେହିପରି ଦରମା ଓ ପେନ୍ସନ୍ ବିଲ୍ ପ୍ରଦାନ ପାଇଁ କମିଶନରମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି ।
କେବଳ ସେତିକି ନୁହେଁ, ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ ୨ କୋଟିରୁ ବଢ଼ାଇ ୩ କୋଟି ଟଙ୍କା କରାଯାଇଛି । ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ହ୍ରାସ ପାଇବ ଏବଂ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ । ଅନ୍ୟପଟେ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ନିର୍ବାହୀ ଅଧିକାରୀଙ୍କ ବିଲ୍ ମଞ୍ଜୁରୀ କ୍ଷମତା ୧୦ ଲକ୍ଷରୁ ବୃଦ୍ଧି ପାଇ ୨୦ ଲକ୍ଷ ଟଙ୍କା ହୋଇଛି । ସେମାନଙ୍କୁ ମଧ୍ୟ ଦରମା ଓ ପେନ୍ସନ୍ ବିଲ୍ ପ୍ରଦାନର ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଏହା ସହ ପ୍ରଶାସନିକ ଅନୁମୋଦନ ସୀମା ମଧ୍ୟ ୧୦ ଲକ୍ଷରୁ ବଢ଼ି ୨୦ ଲକ୍ଷ ଟଙ୍କା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ପ୍ରଶାସନିକ ସଂସ୍କାର ଫଳରେ ପୌରସଂସ୍ଥାଗୁଡ଼ିକ ଅଧିକ ଆର୍ଥିକ ସ୍ୱାୟତ୍ତତା ପାଇବେ। ସରକାରୀ ପ୍ରକ୍ରିୟାରେ ବିଳମ୍ବ କମିବ, ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ ଓଡ଼ିଶାର ସହରାଞ୍ଚଳ ବିକାଶକୁ ମିଳିବ ନୂଆ ଗତି ।

