ପୈତୃକ ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ-ଭଉଣୀଙ୍କ ମଧ୍ୟରେ ଜମିବାଡ଼ି ବିବାଦ ନେଲା ହିଂସ୍ର ରୂପ । କାଠ ଫାଳିଆ ଓ କଟୁରୀରେ ପରସ୍ପରକୁ ଆକ୍ରମଣ କରିବାରୁ ଉଭୟ ପକ୍ଷର ଲୋକ ଆହତ ହୋଇଛନ୍ତି ।
ପୈତୃକ ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ-ଭଉଣୀଙ୍କ ମଧ୍ୟରେ ଜମିବାଡ଼ି ବିବାଦ ନେଲା ହିଂସ୍ର ରୂପ । କାଠ ଫାଳିଆ ଓ କଟୁରୀରେ ପରସ୍ପରକୁ ଆକ୍ରମଣ କରିବାରୁ ଉଭୟ ପକ୍ଷର ଲୋକ ଆହତ ହୋଇଛନ୍ତି । ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ ଚାନ୍ଦପଡ଼ା ବଳାଜିତପୁର ଗାଁରେ । ଘଟଣାକୁ ନେଇ କଣାସ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଜମିବାଡ଼ି ବିବାଦ ପୁଣି ଥରେ ରକ୍ତାକ୍ତ କରିଛି ଏକ ପରିବାରକୁ। ପୈତୃକ ସମ୍ପତ୍ତି ବଣ୍ଟନକୁ କେନ୍ଦ୍ର କରି ପୁରୀ ଜିଲ୍ଲା କଣାସ ବ୍ଲକ ଚାନ୍ଦପଡ଼ା ବଳାଜିତପୁର ଗାଁରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବଚସା ମୁହୂର୍ତ୍ତକ ମଧ୍ୟରେ ହିଂସାର ରୂପ ନେଇଥିଲା ।
ଅଭିଯୋଗ ଅନୁଯାୟୀ, ବିବାଦ ଉଗ୍ର ହେବା ପରେ କାଠ ଫାଳିଆ ଓ କଟୁରୀରେ ପରସ୍ପରକୁ ଆକ୍ରମଣ କରାଯାଇଥିଲା । ଏଥିରେ ବଡ଼ ଭାଇଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଥିବାବେଳେ ସାନ ଭଉଣୀ ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତ ବଡ଼ ଭାଇଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲକୁ ଏବଂ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ସେ ଘରକୁ ଫେରିଥିବାବେଳେ ସାନ ଭଉଣୀ କଣାସ ମେଡିକାଲରେ ଚିକିତ୍ସା ପାଇ ଘରକୁ ଫେରିଛନ୍ତି । ଘଟଣା ପରେ ଉଭୟ ପକ୍ଷ କଣାସ ଥାନାରେ ପରସ୍ପର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି ।

